ଏକାମ୍ର କ୍ଷେତ୍ରରେ ଜଳାଶୟ ପୁନରୁଦ୍ଧାର : ୧୫ ପୁଷ୍କରିଣୀ ପାଇବ ନୂଆ ରୂପ

ଓବିସିସି ଓ ଆଇସିଟି-ଆଇଓଏଫ୍‌ ମଧ୍ୟରେ ହେବ ଚୁକ୍ତି, ୩ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିବ

ଭୁବନେଶ୍ବର : ଏକାମ୍ର କ୍ଷେତ୍ର ଯୋଜନାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର ହେବ। ଓଡ଼ିଶା ସେତୁ ଓ ନିର୍ମାଣ ନିଗମ (ଓବିସିସି) ଏହି କାମ କରିବାକୁ ଥିବାବେଳେ ଆସନ୍ତା ୧୦ତାରିଖରେ ଓବିସିସି ଓ ଆଇସିଟି-ଆଇଓଏଫ୍‌ର ଭୁବନେଶ୍ବର ଶାଖା ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର ହେବ। ମେ ୧୫ତାରିଖ ସୁଦ୍ଧା ସମସ୍ତ ୧୫ ପୁଷ୍କରିଣୀକୁ ନୂଆ ରୂପ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

୨୧ଏକର ଜମିରେ ଥିବା ବିନ୍ଦୁସାଗର ସମେତ ପ୍ରାୟ ୧୦ଏକର ଜମିରେ ଥିବା ଦେବୀ ପାଦହରା, ପାପନାଶିନୀ, ଗୁଆଝର, କୋଟିତୀର୍ଥେଶ୍ବର, ଗୋସାଗରେଶ୍ବର, କପିଳେଶ୍ବର, ନାଗେଶ୍ବର, ଯମଶ୍ବେର, ମୁକ୍ତେଶ୍ବର (ମରିଚି କୁଣ୍ଡ), କେଦାର ଗୌରୀ, ଗଙ୍ଗା ଯମୁନା, ଗୋଦାବରୀ, ବ୍ରହ୍ମେଶ୍ବର, ମେଘେଶ୍ବର ପୁଷ୍କରିଣୀର ପୁନରୁଦ୍ଧାର ହେବ। ଆଇସିଟି-ଆଇଓସି ଭୁବନେଶ୍ବର ଆଇସିଟି-ମୁମ୍ବାଇ ସହଯୋଗରେ ବିନ୍ଦୁସାଗର ଏବଂ ଏହା ଚାରିକଡ଼େଥିବା ୪ଟି ପୁଷ୍କରିଣୀର ପୁନରୁଦ୍ଧାର କରିବ। ପୁଷ୍କରିଣୀ ପୁନରୁଦ୍ଧାର ପୂର୍ବରୁ କେଉଁଠି କେତେ ପାଣି ଅଛି ଏବଂ ପାଣିର ମାନ କିପରି ଅଛି ସେନେଇ ଓବିସିସି ସମସ୍ତ ରିପୋର୍ଟ ଦେବ। ଏହାପରେ ପୁନରୁଦ୍ଧାର କାମ ଆରମ୍ଭ ହେବ। ପୁନରୁଦ୍ଧାର ପରେ ଘରୋଇ ସଂସ୍ଥା ୩ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ କରିବ। ବିନ୍ଦୁସାଗର ସମେତ ୪ ପୁଷ୍କରିଣୀରେ ସ୍କିଡ୍‌ ମାଉଣ୍ଟେଡ୍‌ ବ୍ୟବସ୍ଥା ହେବାକୁ ଥିବାରୁ ଏହାକୁ ଲଗାଇବା ଦାୟିତ୍ବ ଓବିସିସି ନେବ।

ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ବିଏମ୍‌ସି ମାଗଣାରେ ବିଦ୍ୟୁତ ଯୋଗାଇବ। ଆଇସିଟି-ଆଇଓସି ଭୁବନେଶ୍ବର ପୁଷ୍କରିଣୀ ପୁନରୁଦ୍ଧାର ପାଇଁ ଏଏସ୍‌ଆଇର ଆବଶ୍ୟକୀୟ ଅନୁମତି ଆଣିବ। ସମସ୍ତ କାମ ବର୍ଷା ଋତୁ ପୂର୍ବରୁ ସରିବ।

ସମ୍ବନ୍ଧିତ ଖବର