ଭୁବନେଶ୍ବର: ବିଏମ୍ସି ଆଦାୟ କରୁଛି ପୂଜା ଚାନ୍ଦା। ଘର ପିଛା କୋଡ଼ିଏ ଟଙ୍କା। ଦୁଇ ଦିନ ଧରି ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇଛି। ପୂର୍ବରୁ କେତେକ ସଫେଇ କର୍ମଚାରୀ ପୂଜା ଖର୍ଚ୍ଚ କହି ଟଙ୍କା ମାଗୁଥିବ ଅଭିଯୋଗ ରହିଥିବା ବେଳେ ଏଥର ସୀମା ଟପି ଯାଇଛି। ସ୍ବତନ୍ତ୍ର ରସିଦ୍ ପ୍ରସ୍ତୁତ କରାଯାଇ ବଣ୍ଟା ଯାଇଛି। ଘର ଓ ମାଲିକଙ୍କ ପଦବି ଦେଖି କେଉଁଠି ୨୦ ଟଙ୍କା ତ କେଉଁଠି ୫୦ ଟଙ୍କା ଆଦାୟ ହୋଇଛି। ବିଏମ୍ସିର ଷ୍ଟାମ୍ପ ସହ ଖୋଲାଖୋଲି ଭାବରେ ରସିଦ୍ ଦେଇ ଆଦାୟ କରାଯାଉ ଥିବାରୁ କେହି ସନ୍ଦେହ କରିନାହାନ୍ତି। ବିଶେଷକରି ନୂଆପଲ୍ଲୀ, ସିଆରପି, ବରମୁଣ୍ଡା, ରେଣ୍ଟାଲ୍ କଲୋନି ପ୍ରଭୃତି ଅଞ୍ଚଳରେ ଏଭଳି ଆଦାୟ ହୋଇଛି।
ତେବେ ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଏଭଳି ରସିଦ୍ ବିଏମ୍ସି ଛାପି ନାହି କିମ୍ବା ଚାନ୍ଦା ଆଦାୟ କରିନାହିଁ। ବରଂ ଏଭଳି ଚାନ୍ଦା ଆଦାୟ ନ କରିବା ପାଇଁ ପୂର୍ବରୁ କର୍ମଚାରୀମାନଙ୍କୁ ଚେତାଇ ଦିଆଯାଇଥିଲା। ସଫେଇ କର୍ମଚାରୀମାନେ ମାଗୁଥିବା ଅଭିଯୋଗ ଥିବାରୁ ସେମାନଙ୍କୁ ମଧ୍ୟ ତାଗିଦ୍ କରାଯାଇଥିଲା। ସଫେଇ କରୁଥିବା ଠିକା ସଂସ୍ଥାମାନଙ୍କୁ ମଧ୍ୟ ଏ ବାବଦରେ କୁହାଯାଇଥିଲା। ଏଣୁ ବିଏମ୍ସି ଏଭଳି କରିନାହିଁ। ତେବେ ବିଏମ୍ସି ନାଁରେ ଏଭଳି କିଏ କରିଛି ତାହାର ଅନୁସନ୍ଧାନ କରାଯିବ।