ଲୁଟେରାଙ୍କ ଟାର୍ଗେଟରେ ପୂଜା ମଣ୍ଡପ: ଦିନକରେ ୫୦ରୁ ଅଧିକ ଲୁଟ୍‌

ପାର୍ବଣ ପୂର୍ବରୁ କମିସନରେଟ୍‌ ଅପରାଧୀ ଓ ଲୁଟେରାଙ୍କୁ ଦମନ ପାଇଁ ସ୍ବତନ୍ତ୍ର ଓ ବିସ୍ତୃତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କଲା। ଅଭ୍ୟାସଗତ ଅପରାଧୀ ଓ ଲୁଟେରା ଗ୍ୟାଙ୍ଗର ତାଲିକା କରି ପୁଲିସ ଖୋଜି ଖୋଜି ବାନ୍ଧିଲା। ତଥାପି ଅସଲ ସ୍ଥିତିରେ ଲୁଟେରାଙ୍କ ଉପରେ ଅଙ୍କୁଶ ଲଗାଇବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ମା’ଙ୍କ ପୂଜା ଆରମ୍ଭରୁ ସାରା ସହରରେ ପୁଲିସ ଝାଉଣି ଥିଲେ ବି ଲୁଟେରା ଚକ୍‌ମାଦେଇ ଗୋଟିଏ ଦିନରେ ୫୦ରୁ ଊର୍ଧ୍ବ ଲୋକଙ୍କୁ ଲୁଟିଛନ୍ତି।

ଆଜି ସକାଳ ସମୟରେ ଦମ୍ପତ୍ତି ବାଇକ୍‌ରେ ସହିଦନଗର ଦୁର୍ଗାମଣ୍ଡପକୁ ଯାଉଥିଲେ। ସେମାନେ ରୁପାଲି ଛକ ନିକଟରେ ପହଞ୍ଚିବାବେଳେ ବାଇକ୍‌ରେ ପିଛା କରୁଥିବା ଦୁଇଜଣ ଲୁଟେରା ମହିଳାଙ୍କ ବେକରୁ ସୁନାହାର ଝାମ୍ପି ନେଇଥିଲେ। ପାଟିକରି ଡ଼ାକିଲା ବେଳକୁ ଉଭୟ ଆଖି ପିଛୁଳାକେ ସେଠାରୁ ଫେରାର୍‌ ହୋଇଯାଇଥିଲେ। ଏନେଇ ମହିଳା ସହିଦନଗର ଥାନାରେ ଅଭିଯୋଗ କରିବାପରେ ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଲୁଟେରାଙ୍କୁ ଚିହ୍ନଟ ପାଇଁ ଆଖପାଖରେ ଥିବା ସିସିଟିଭି ଫୁଟେଜ୍‌ ଯାଞ୍ଚ କରା ଯାଉଛି। ସେହିପରି ଦିନ ଦ୍ବିପ୍ରହରରେ ବମିଖାଲ ଅଞ୍ଚଳରେ ଲୁଟେରାମାନେ ତିନିଜଣ ମହିଳାଙ୍କଠାରୁ ଲୁଟିଥିଲେ। ଜଣଙ୍କ ମୋବାଇଲ୍‌ ଓ ପର୍ସ ଛଡ଼ାଇ ନେଇଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ସୁନାହାର ଛଡ଼ାଇ ନେଇଥିଲେ। ତେବେ କେବଳ ଏହି ୩ଟି ଘଟଣା ନୁହେଁ, ରାଜଧାନୀର ବିଭିନ୍ନ ମଣ୍ଡପ ଅଞ୍ଚଳରୁ ଲୁଟେରାମାନେ ୫୦ରୁ ଊର୍ଧ୍ବ ଲୋକଙ୍କ ଠାରୁ ଲୁଟ୍‌ପାଟ କରିଥିବା ଅଭିଯୋଗ ହୋଇଛି। ଆଗକୁ ନବମୀ ଓ ଦଶମୀ ରହିଛି। ସେହିପରି ରାଜଧାନୀରେ ଭସାଣି ଉତ୍ସବ ବି ବେଶ୍‌ ଆଡ଼ମ୍ବର ସହ ହୁଏ। ତେଣୁ ଏହି ସମୟରେ ଜନଗହଳିର ସୁଯୋଗନେଇ ଲୁଟେରାଙ୍କ ଦୌରାତ୍ମ ଆହୁରି ବଢ଼ିବା ଆଶଙ୍କା ରହିଛି। ସ୍ଥାନୀୟ ଲୁଟେରାଙ୍କ ସଂପର୍କରେ ପୁଲିସ ନିକଟରେ କିଛି କିଛି ସୂଚନା ଅଛି, କିନ୍ତୁ ପୂଜା ପାଇଁ ଅନ୍ୟ ରାଜ୍ୟରୁ ଅନେକ ଲୁଟେରା ଆସି ସହରରେ ‌ଡ଼େରା ପକାଇଛନ୍ତି। ସେମାନଙ୍କୁ ନିୟନ୍ତ୍ରଣ କରିବା କାଠିକର ପାଠ ନିଶ୍ଚୟ। ପୁଣି ଏଥର ପୂଜାରେ ହେଉଥିବା ଅସମ୍ଭବ ଭିଡ଼କୁ ନିୟନ୍ତ୍ରଣ କରିବା ସହିତ ଅପରାଧ ଉପରେ ମଧ୍ୟ ନଜର ରଖିବା ସହଜ କଥା ନୁହେଁ।

ସମ୍ବନ୍ଧିତ ଖବର