ଭୁବନେଶ୍ବର: ଭିଏସ୍‌ଏସ୍‌ନଗର ରେଳ ଓଭର୍‌ବ୍ରିଜ୍‌ ପାଇଁ ତିଆରି ହୋଇଥିବା ଦୁଇ ଆପ୍ରୋଚ୍‌ ରୋଡ୍‌ (ଇଡ୍‌କୋ ମାର୍କେଟ୍‌ ପାଖ ଓ ବାଦାମବାଡ଼ି ଛକ ନିକଟ)ର ଅବସ୍ଥା ପୂରା ସଂଗିନ୍‌ ହୋଇପଡ଼ିଛି। ତିଆରି ସମୟରେ ତରବରିଆ ଭାବେ ମାଟି ପକାଇ ରାସ୍ତା ନିର୍ମାଣ କରାଯାଇଥିବାରୁ ଏବେ ବର୍ଷାରେ ଅବସ୍ଥା ବେହାଲ ହୋଇଯାଇଛି। ରାସ୍ତାସାରା ଖାଲଖମା ସାଙ୍ଗକୁ କାଦୁଅ ପଚପଚ। ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ସ୍କୁଲ, କଲେଜ ଓ ବିଭିନ୍ନ ଅଞ୍ଚଳକୁ ଯାଉଥିବା ଲୋକମାନେ ବଡ଼ ହନ୍ତସନ୍ତ ହେଉଛନ୍ତି। ବାଦାମବାଡ଼ି ଛକରେ ଲୋକମାନେ ଯେନତେନ ଚାଲି ଯାଉଛନ୍ତି। ହେଲେ ଇଡ୍‌କୋ ମାର୍କେଟ୍‌ ପାଖରେ ରେଳଫାଟକ ଖୋଲିବା ସମୟରେ ମାତ୍ରାଧିକ ଲୋକ ସେହି ଖାଲଖମା‌ ରାସ୍ତା ଅତିକ୍ରମ କରିବାକୁ ନୟାନ୍ତ ହେଉଛନ୍ତି।

Advertisment

ସ୍ଥାନୀୟ ବାସିନ୍ଦା ପ୍ରକାଶ ତ୍ରିପାଠୀ କହିଛନ୍ତି, ଠିକା ସଂସ୍ଥା ଯେତେବେଳେ ରାସ୍ତା ନିର୍ମାଣ କଲା, ତାକୁ ସିମେଣ୍ଟ୍‌ ଗୁଣ୍ଡ ଓ ବଜୁରି ପକାଇବା ପାଇଁ ଆମେ କହିଥିଲୁ। କିନ୍ତୁ କାହା କଥା ନଶୁଣି ସଂସ୍ଥା ମନମୁଖୀ କାମ କଲା। ଯାହାର ଫଳ ଏବେ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଅନ୍ୟଜଣେ ବାସିନ୍ଦା ସମୀର ରଞ୍ଜନ ସେଠ କହିଛନ୍ତି, କାର୍‌ ଚାଳକ ଯେନତେନ ପ୍ରକାରେ ପାର୍‌ ହୋଇଯାଉଛନ୍ତି, ହେଲେ ବାଇକ୍‌ ଚାଳକ ଓ ଚାଲିଚାଲି ଯାଉଥିବା ଲୋକ କାଦୁଅରେ ଘାଣ୍ଟି ହେବା ଛଡ଼ା ଅନ୍ୟ କିଛି ଉପାୟ ନାହିଁ। ରାସ୍ତା ପାର୍‌ ହେବା ବେଳକୁ ଲୋକଙ୍କ ପ୍ୟାଣ୍ଟ-ସାର୍ଟରେ କାଦୁଅ ଛିଟାରେ ମାନଚିତ୍ର ହୋଇଯାଉଛି। ଆଗକୁ ଆହୁରି ବର୍ଷା ହେଲେ ସ୍ଥିତି ଆହୁରି ଅସମ୍ଭାଳ ହୋଇପଡ଼ିବ। ଏନେଇ ପୂର୍ତ୍ତ ବିଭାଗ ଡିଭିଜନ୍‌-୪ ଏସ୍‌ଡିଓ ଦୟାସାଗର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ଏ ସଂପର୍କରେ ମୁଁ ଅଭିଯୋଗ ପାଇଛି। ରାସ୍ତାରେ ସିମେଣ୍ଟ୍‌ ଗୁଣ୍ଡ ଓ ବଜୁରି ପକାଇବା ପାଇଁ ଠିକାସଂସ୍ଥାକୁ କୁହାଯାଇଛି। ସେମାନେ ଲଗାଣ ବର୍ଷା ପୂର୍ବରୁ ରାସ୍ତା ସଜାଡ଼ିଦେବେ।