ବିଗିଡ଼ି ଗଲାଣି ବିଦ୍ୟୁତ ସେବା: ଅନ୍ୟ ରାଜ୍ୟଠୁ ଓଡ଼ିଶାରେ ବିଦ୍ୟୁତ୍‌ ଦେୟ ଅଧିକ

ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ଲୋ’ ଭୋଲ୍‌ଟେଜ୍‌, ବିଦ୍ୟୁତ କାଟରେ ଓଡ଼ିଶା ଦେଶରେ ଦ୍ବିତୀୟ

ଭୁବନେଶ୍ବର : ଟାଟା ପାୱାର (ଟିପିସିଓଡିଏଲ୍‌) ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ବ ନେବାକୁ ବର୍ଷେ ପୂରିଲାଣି। ସେସୁ ପରେ ଏପରି ଏକ ବଡ଼ କମ୍ପାନି ଦାୟିତ୍ବ ନେଉଥିବାରୁ ବିଦ୍ୟୁତ ସେବା ସୁଧୁରିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ କିଛି ସୁଧୁରିନି ବରଂ ବିଗିଡ଼ିଯାଇଛି। ରାଜଧାନୀ ଭୁବ‌ନେଶ୍ବର ସମେତ ବିଭିନ୍ନ ସହରରେ ଘନଘନ ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ସମସ୍ୟାରେ ଉପଭୋକ୍ତା ଘାଣ୍ଟି ହେଉଛନ୍ତି।

ଏଣେ ଅନ୍ୟ ପଡ଼ୋଶୀ ରାଜ୍ୟଠାରୁ ଓଡ଼ିଶାରେ ବିଦ୍ୟୁତ ଦେୟ(ଟାରିଫ୍‌) ଅଧିକା ରହିଛି। ଯଦି ଜଣେ ଉପଭୋକ୍ତା ମାସକୁ ୧୦୦ ୟୁନିଟ୍‌ ବିଦ୍ୟୁତ ବ୍ୟବହାର କରୁଛି, ତାକୁ ୩୯୦ ଟଙ୍କା ଦେବାକୁ ପଡ଼ୁଛି। ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ଏହି ନିର୍ଦ୍ଧାରିତ ୟୁନିଟ୍‌ ବ୍ୟବହାର କରି ଜଣେ ଉପଭୋକ୍ତା ୨୦୮ ଟଙ୍କା ଦେଉଥିବାବେଳେ ଛତିଶଗଡ଼ ଉପଭୋକ୍ତା ୩୬୭ ଟଙ୍କା ଦେଉଛନ୍ତି। ଗୁଜୁରାଟ ଗ୍ରାମାଞ୍ଚଳରେ ଏହି ଦର ୩୨୫ ଟଙ୍କା ରହିଥିବାବେଳେ ଗୋଆରେ ଉପଭୋକ୍ତାକୁ ଏଥିପାଇଁ ମାତ୍ର ୧୮୦ ଟଙ୍କା ଦେବାକୁ ପଡ଼ୁଛି।

କୌତୂହଳର ବିଷୟ ହେଲା, ଓଡ଼ିଶା ଉପଭୋକ୍ତା ଅନ୍ୟ ରାଜ୍ୟ ତୁଳନାରେ ଅଧିକ ବିଦ୍ୟୁତ ଦେୟ ଗଣୁଥିଲେ ମଧ୍ୟ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଛନ୍ତି। ଏଠି ୮୫ ପ୍ରତିଶତ ଉପଭୋକ୍ତା ପାୱାର କଟ୍‌ର ଶିକାର ହେଉଛନ୍ତି। ଏନର୍ଜି, ଏନ୍‌ଭାଇରନ୍‌ମେଣ୍ଟ ଆଣ୍ଡ ୱାଟର କାଉନ୍‌ସିଲ୍‌ ସର୍ବେକ୍ଷଣ ମୁତାବକ, ଭାରତବର୍ଷରେ ବିହାର ପରେ ଓଡ଼ିଶା ହେଉଛି ଦ୍ବିତୀୟ ରାଜ୍ୟ; ଯେଉଁଠି ସର୍ବାଧିକ ପାୱର କଟ୍‌ ହୁଏ। ଦିଲ୍ଲୀରେ ୫ ପ୍ରତିଶତରୁ କମ୍‌ ଉପଭୋକ୍ତା ଏଭଳି ପାୱାରକଟ୍‌ର ଶିକାର ହେଉଥିବା ବେଳେ ଗୁଜରାଟରେ ୧୫ ପ୍ରତିଶତ ଉପଭୋକ୍ତା ଏହି ସମସ୍ୟାର ସମ୍ମୁଖୀନ ହୁଅନ୍ତି। ରାଜ୍ୟର ରାଜଧାନୀ ଭୁବନେଶ୍ବର ମଧ୍ୟ ଏହି ସମସ୍ୟାରୁ ବର୍ତ୍ତି ନାହିଁ। କେବଳ କେତେକ ନିର୍ଦ୍ଦିଷ୍ଟ ଭିଆଇପି ଅଞ୍ଚଳକୁ ଛାଡ଼ିଦେଲେ ସହରର ବିଭିନ୍ନ ଜାଗାରେ ଅଘୋଷିତ ପାୱାର କଟ୍‌ ଏକ ନିତିଦିନିଆ କଥା। ବର୍ଷା ସମୟରେ ହଠାତ୍‌ ବିଦ୍ୟୁତ କାଟ କରାଯାଉଥିବାବେଳେ ଅନେକ ସମୟରେ ବର୍ଷା ପୂର୍ବରୁ ବି ଜାଣିଜାଣି ବିଦ୍ୟୁତ କାଟ କରାଯାଏ। ସେହିପରି ଓଡ଼ିଶାରେ ୪୦ ପ୍ରତିଶତ ଉପଭୋକ୍ତା ଲୋ ଭୋଲ୍‌ଟେଜ୍‌ ସମସ୍ୟାର ଶିକାର ହୁଅନ୍ତି। ଗୋଟିଏ ପଟେ ଅଧିକ ଟାରିଫ୍‌ ଓ ଅନ୍ୟପଟେ ଅବହେଳା ଏବେ ଉପଭୋକ୍ତାଙ୍କ ଅସନ୍ତୋଷକୁ ଚରମସୀମାରେ ପହଞ୍ଚାଇଛି।

ପ୍ରତିଦିନ ଉପଯୁକ୍ତ ବିଦ୍ୟୁତ ସେବାରୁ ବଞ୍ଚିତ ହୋଇ ଉପଭୋକ୍ତା ହଇରାଣ ହେଉଥିଲେ ମଧ୍ୟ ଟିପିସିଓଡିଏଲ୍‌ କର୍ତ୍ତୃପକ୍ଷ କିନ୍ତୁ ଏସବୁ ଅଭିଯୋଗକୁ ସ୍ବୀକାର କରୁନାହାନ୍ତି। କମ୍ପାନି ପକ୍ଷରୁ କୁହାଯାଇଛି, ସାମୟିକ ସମସ୍ୟା ପାଇଁ କେତେବେଳେ କେମିତି ବିଦ୍ୟୁତ କାଟ୍‌ ହୋଇଥାଏ। ନିୟମିତ ବିଦ୍ୟୁତ କାଟ ଏବେ ହେଉ ନାହିଁ। ଟ୍ରାନ୍‌ସଫର୍ମର ଫାଟିବା ପୂର୍ବରୁ ଜାଣିବା ପାଇଁ ନୂଆ କୌଶଳ ଡିଜଲ୍‌ଭଡ୍‌ ଗ୍ୟାସ୍‌ ଆନାଲିସିସ୍‌ ବ୍ୟବହାର କରାଯାଉଛି। ଏଣୁ ଯଥେଷ୍ଟ ସମୟ ପୂର୍ବରୁ ଫାଟିବାକୁ ଥିବା ଟ୍ରାନ୍‌ସ୍‌ଫର୍ମରକୁ ରକ୍ଷା କରାଯାଇ ପାରୁଛି। ଏହାଛଡ଼ା ତାରରେ ଗଛ ଡାଳ ପଡ଼ି ଲାଇନ୍‌ ଚାଲିଗଲେ ତୁରନ୍ତ ଆପେପେ ଆ‌ବିଦ୍ୟୁତ ସଂଯୋଗ ପାଇଁ ଏକ ନୂଆ ବ୍ୟବସ୍ଥା ମଧ୍ୟ କାମ କରୁଛି। ଉପଭୋକ୍ତାଙ୍କୁ ଉନ୍ନତ ସେବା ଯୋଗାଇ ଦେବାପାଇଁ ଉଦ୍ୟମ ଅବ୍ୟାହତ ରହିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର