ଭୁବନେଶ୍ୱର: ରାଜଧାନୀର ସବୁଠୁ ବଡ଼ ଆମିଷ ବଜାର କହି‌ଲେ ଚାରି ନମ୍ୱର ହାଟକୁ ବୁଝାଏ। ମାଛ ଓ ମାଂସର ସବୁଠୁ ବଡ଼ ମାର୍କେଟ ହୋଇଥିବାରୁ ଏଠାରେ ପ୍ରତିଦିନ ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କର ପ୍ରବଳ ଗହଳି ହୁଏ। ତେବେ ଏହା ଯେତିକି ସଫା ସୁତର ହେବା ଆଶା କରାଯାଏ, ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ପାଖାପାଖି ୪୦ ବର୍ଷ ପୁରୁଣା ଏହି ମାର୍କେଟରେ ପରିଚ୍ଛନ୍ନତା, ଜଳ ଯୋଗାଣ ବ୍ୟବସ୍ଥା, ଟଏଲେଟ, ପାର୍କିଂ ଆଦି ବହୁ ମୌଳିକ ସମସ୍ୟା ରହିଛି। ଦିନଥିଲା ଏହା କେବଳ ଏକ ବଡ଼ ମାଛହାଟର ପରିଚୟ ବହନ କରୁଥିଲା। ଏବେ କିନ୍ତୁ ମାଛ ସହିତ ଅଣ୍ଡା, ମାଂସ ଓ ପରିବା ଠାରୁ ଆରମ୍ଭ କରି ତେଜରାତି ଦୋକାନ ପର୍ଯ୍ୟନ୍ତ ଏଠାରେ ପାଖାପାଖି ୧୫୦୦ ଦୋକାନ ରହିଛି। ଦୈନିକ ଏଠାକୁ ୫ଟନ୍‌ ପରିବା, ୧୦ କ୍ବିଣ୍ଟାଲ ଚିକେନ୍‌ ଓ ୪୦-୫୦ କ୍ବିଣ୍ଟାଲ ମାଛ ଆସୁଛି। କିଛି ସ୍ବତନ୍ତ୍ର ଦିନରେ ମାଛ ଓ ମାଂସର ପରିମାଣ ଆହୁରି ବହୁତ ବଢ଼ିଯାଏ। ତେଣୁ ଖୁଚୁରା ବ୍ୟବସାୟୀ ଓ ଗ୍ରାହକଙ୍କୁ ମିଶାଇ ‌ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସନ୍ତି। କିନ୍ତୁ ଏଠାକାର ମୌଳିକ ସମସ୍ୟାଗୁଡ଼ିକର ସମାଧାନ ତ ହେଉନାହିଁ, ବଦଳରେ ବଢ଼ିବାରେ ଲାଗିଛି।

Advertisment

ଏହି ମାର୍କେଟର ଗୋଟିଏ ବଡ଼ ସମସ୍ୟା ହେଉଛି ବଢ଼ି ଚାଲିଥିବା ଜବରଦଖଲ। ଏହା ଅନ୍ୟ ଅନେକ ସମସ୍ୟାର ମୂଳ। ଜବରଦଖଲ କାରଣରୁ ପାର୍କିଂ ସମସ୍ୟା ବଢୁଛି। ପାର୍କିଂଜନିତ ସମସ୍ୟା ଥିବାରୁ ଲୋକେ ରାସ୍ତାରେ ଗାଡ଼ି ରଖିବାକୁ ବାଧ୍ୟ ହେଉଛନ୍ତି ଓ ରାସ୍ତା ସଙ୍କୁଚିତ ହୋଇଯାଉଛି। ତେଣୁ ଭିଡ଼ ଭିତରେ ଥରେ ଫସିଲେ, ବାହାରିବା ମୁସ୍କିଲ ହୋଇପଡ଼ୁଛି। ହାଟ ମଧ୍ୟରେ ପିଇବା ପାଣି ଓ ଶୌଚାଳୟର ସୁବିଧା ନାହିଁ। ପୂର୍ବରୁ ମାର୍କେଟରେ ଏକ ଭ୍ରାମ୍ୟମାଣ ଶୌଚାଳୟ ଥିଲା, ତାହା ଅଚଳ ହେବାପରେ ଆଉ ସଜଡ଼ା ଗଲାନାହିଁ। ଅଚଳ ଅବସ୍ଥାରେ ଅନେକ ଦିନ ପଡ଼ିବାପରେ ତା’କୁ ମୂଳରୁ ଉଠାଇ ନିଆ ଯାଇଛି। ଯେଉଁ ଭଙ୍ଗା ଦଦରା ଓ ଅପରିଚ୍ଛନ୍ନ ପରିସ୍ରାଗାର ଅଛି, ସେଠାକୁ ପାଣି ଆସୁନି। ସେଥିପାଇଁ ଲୋକମାନେ ବାଧ୍ୟ ହୋଇ ବାହାରେ ଏକ କରୁଛନ୍ତି। ଫଳରେ ପରିସ୍ରା ଗନ୍ଧରେ ଗୋଟିଏ ଅଞ୍ଚଳରେ ନାକ ଫାଟି ପଡ଼ୁଛି। ମାଛ, ମାଂସ ଭଳି ସଂକ୍ରମଣଶୀଳ ଖାଦ୍ୟ ପଦାର୍ଥ ବିକ୍ରି ହେଉଥିଲେ ହେଁ ହାଟ ଭିତରେ ପରିମଳ ବ୍ୟବସ୍ଥା କଥା କହିଲେ ନ ସରେ! ମାଛ ମାର୍କେଟ୍‌ର ଅବସ୍ଥା ସବୁଠୁ ବଡ଼ କଦର୍ଯ୍ୟ। ଅନେକ ବର୍ଷ ତଳେ ତିଆରି ହୋଇଥିବା ନଳାସବୁ ଏବେ ବିକଳାଙ୍ଗ ସ୍ଥିତିରେ ଅଛି। ତେଣୁ ଭିତର ପାଣି ସହଜରେ ବାହାରି ପାରୁନି। ମାଛଧୁଆ ପାଣି ରାସ୍ତା ଉପରେ ଚାଲୁଛି। ଲୋକମାନେ ସେହିବାଟରେ ଯିବାବେଳେ ଆମିଷ ପାଣି ଉପରେ ଡେଇଁ ଡେଇଁ ଯାଉଛନ୍ତି। ଚିନ୍ତା କରନ୍ତୁ, ପୂଜା ସମାଗ୍ରୀ କିଣିବାକୁ ଯାଉଥିବା ଲୋକ ସେବାଟେ କେମିତି ଯାଉଥିବ! ଏହା ଉପରକୁ ମାର୍କେଟ ମଧ୍ୟରେ ଥିବା ଅଧିକାଂଶ ଡ୍ରେନ୍‌ର କଭରସ୍ଲାବ୍ ଭାଙ୍ଗି ଯାଇଥିବାରୁ ସେସବୁ ଅସ୍ଥାୟୀ ଡଷ୍ଟବିନ୍‌ରେ ପରିଣତ ହୋଇଯାଇଛି ଓ ଡ୍ରେନ୍‌ ଅଟକି ଅଚଳ ହୋଇ ଯାଇଛି।

୨୦୨୧ ମସିହାରେ ଏହି ହାଟକୁ ବିଶ୍ୱସ୍ତରୀୟ କରାଯିବ ବୋଲି କହିଥିଲେ ତତ୍କାଳୀନ ବିଏମ୍‌ସି କମିସନର। ଏଠାରେ ମାଛ ପାଇଁ ଏକ ବୃହତ୍‌ ଶୀତତାପ ନିୟନ୍ତ୍ରିତ ଗୋଦାମ ଓ ପରିବା‌ ଗୋଦାମ କରାଯିବ ବୋଲି ଘୋଷଣା ହୋଇଥିଲା। ସେହିପରି ମାଛ ମାର୍କେଟ୍‌ରେ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କିମ୍ବା ଏକ ବହୁତଳ ପାର୍କିଂସ୍ଥଳୀ ନିର୍ମାଣ କରାଯିବା ପାଇଁ ମଧ୍ୟ ପ୍ରତିଶ୍ରୁତି ଦିଆ ଯାଇଥିଲା। କିନ୍ତୁ ସେସବୁ ସେହି ପ୍ରତିଶ୍ରୁତିରେ ରହିଯାଇଛି। ଏନେଇ ବ୍ୟବସାୟୀ ସଂଘର ସଂପାଦକ ବଦ୍ରୀ ନାରାୟଣ ମିଶ୍ର, ଉପସଭାପତି ସରୋଜ କୁମାର ରାଉତ କହନ୍ତି, ହାଟ ମଧ୍ୟରେ ଥିବା ଶୌଚାଳୟ ଅଚଳ ହୋଇପଡ଼ିଛି। ଏନେଇ ସଂଘ ପକ୍ଷରୁ ବାରମ୍ୱାର ବିଏମ୍‌ସିକୁ ଲିଖିତ ଭାବେ ଅଭିଯୋଗ କରାଯାଇଥିଲେ ହେଁ କିଛି ସୁଫଳ ମିଳିନାହିଁ। ସେହିପରି ଜବରଦଖଲ ହଟାଇବା ପାଇଁ ସଂଘ ପକ୍ଷରୁ ବାରମ୍ବାର ଅଭିଯୋଗ ହେଉଛି। ହାଟ ଚାରିପଟେ ପାଚେରି ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କିନ୍ତୁ କିଛି କରା ଯାଉନାହିଁ।