ଫାଷ୍ଟଫୁଡ୍‌ରେ ନିମ୍ନମାନର ସସ୍: ବ୍ରାଣ୍ଡ ନାମୀ, ଦାମ୍ କମ୍, ରୋଗ କିଣୁଛନ୍ତି ଗ୍ରାହକ

ଭୁବନେଶ୍ବର: ଦିନକୁ ଦିନ ଫାଷ୍ଟ୍‌ଫୁଡ୍‌ର ଚାହିଦା ବଢ଼ିବାରେ ଲାଗିଛି। ତେଣୁ ରାଜଧାନୀର ପ୍ରତି ଗଳିକନ୍ଦିରେ ଫାଷ୍ଟ୍‌ଫୁଡ୍ ଦୋକାନର ହାଟ ବସୁଛି। ସନ୍ଧ୍ୟା ହେଉ ହେଉ ରାଜଧାନୀର ରାଜରାସ୍ତା କଡ଼ରେ ମେଲି ଯାଉଛି ଫାଷ୍ଟଫୁଡ୍‌ ମେଳା। କିନ୍ତୁ ଦୋକାନୀମାନେ ବ୍ୟବହାର କରୁଥିବା ନିମ୍ନମାନର ସସ୍‌ ପ୍ରତି କାହାର ନଜର ନାହିଁ। ଦୋକାନୀମାନେ କମ୍ ବ୍ୟୟରେ ଅଧିକ ମୁନାଫା ପାଇବା ପାଇଁ ନିମ୍ନମାନର ସସ୍ ଦେଇ ଗ୍ରାହକଙ୍କୁ କେବଳ ଠକୁ ନାହାନ୍ତି, ସେମାନଙ୍କ ଭିତରେ ରୋଗର ବିହନ ବୁଣି ଚାଲିଛନ୍ତି। ସଚେତନତା ଅଭାବରୁ ଗ୍ରାହକଟିଏ ଶସ୍ତା ଯୋଗୁଁ ଆକ‌ର୍ଷିତ ହୋଇ ଧୀରେଧୀରେ ରୋଗ କିଣୁଛି ବୋଲି ବୁଝିପାରେନାହିଁ। ଏଣେ ସରକାରୀ ଖାଦ୍ୟ ଅଧିକାରୀ ସବୁ ଦେଖି ନ ଦେଖିବା ଭଳି ଚୁପ୍‌ ରହୁଛନ୍ତି। ନିୟମିତ ଯାଞ୍ଚ ନ କରିବା ଦ୍ବାରା ଦୋକାନୀମାନେ ମଉକା ପାଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳିବାକୁ ପଛାଉ ନାହାନ୍ତି।

ଏବେ ଖାଦ୍ୟପେୟର ଧାରା ବଦଳିଗଲାଣି। ତେଣୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରିୟ ହୋଇଛି ଫାଷ୍ଟ୍‌ଫୁଡ୍। ରାସ୍ତାକଡ଼ରେ ମାଳମାଳ ପକୋଡ଼ା, ଚାଉମିନ୍, ରୋଲ୍‌, ମୋମୋ ବିକ୍ରି କରୁଥିବା ଦୋକାନ। ଏହି ସବୁ ଫାଷ୍ଟ୍‌ଫୁଡ୍‌ ଖାଦ୍ୟକୁ ଅଧିକ ସୁଆଦିଆ କ‌ରେ ସସ୍‌। ଟମାଟୋ ସସ୍, ଚିଲି ସସ୍ ଓ ସୋୟା ସସ୍‌ ହେଉଛି ମୁଖ୍ୟ। ଦୋକାନୀ ପ୍ଲେଟ୍‌କୁ ଦେଖି ସସ୍ ଲଗାଉଥିଲେ ବି ଗ୍ରାହକମାନେ ଅଧିକ ସ୍ବାଦ ପାଇଁ ଆଉ ଦୁଇ ଚାରି ଥର ମାଗିବା ଏକ ସାଧାରଣ ଘଟଣା ହୋଇଛି। କିନ୍ତୁ ଗ୍ରାହକ ଦେଖେ ନାହିଁ ଯେ ସେ ଖାଉଥିବା ସସ୍ ‌କେତେ ନିମ୍ନମାନର। ଟମାଟୋ ସସ୍‌ ହେଉ କି ଚିଲି ସସ୍ ସବୁଥି‌ରେ ଥାଏ ଅଧିକ ପରିମାଣର କଖାରୁ, ପାଣି କଖାରୁ ଓ ଅମୃତଭଣ୍ଡା ଭଳି ପରିବା। ତେବେ ସ୍ବାଦ ପାଇଁ ସେଥିରେ ମିଶାଇ ଦିଆଯାଏ ବିଭିନ୍ନ ପ୍ରକାରର କେମିକାଲଯୁକ୍ତ ଏସେନ୍‌ସ।

ଅଧିକ ଦିନ ରହିବା ପାଇଁ ମିଶାଇ ଦିଆଯାଏ ଭିନେଗାର୍‌ ଭଳି କେମିକାଲ୍‌। ଏହି ସବୁ କେମିକାଲ୍ ବିଷାକ୍ତ ହୋଇଥିଲେ ବି ସେସବୁର ତ୍ବରିତ୍‌ ପ୍ରତିକ୍ରିୟା ନଥିବାରୁ ଲୋକେ କିଛି ଜାଣିପାରନ୍ତି ନାହିଁ। ମାତ୍ର ସେସବୁ ନିୟମିତ ବା ଅଧିକ ଦିନ ଖାଇଲେ, ତାହାର ପାର୍ଶ୍ବ ପ୍ରତିକ୍ରିୟା ଧୀରେଧୀରେ ଦେଖାଯାଏ। ଏଭଳି ଗ୍ରାହକମାନେ ବିଭିନ୍ନ ପ୍ରକାର ପେଟରୋଗର ଶିକାର ହୋଇଥା’ନ୍ତି। ଆଜିକାଲି ସହରରେ ପେଟ ରୋଗ ଏକ ସାଧାରଣ ସମସ୍ୟା ହୋଇସାରିଥିବା ବେଳେ ଲୋକେ ସଚେତନ ହେଉନାହାନ୍ତି।

ବଜାରରେ ମିଳୁଥିବା ଭଲ ବ୍ରାଣ୍ଡର ସବୁ ସସ୍‌ର ଦାମ ଶହେ ଟଙ୍କା ପାଖାପାଖି। କିନ୍ତୁ ଫାଷ୍ଟ୍‌ଫୁଡ୍‌ ଦୋକାନରେ ବ୍ୟବହାର ହେଉଥିବା ସସ୍‌ ଦାମ୍ ୨୦ ଟଙ୍କା। ଏତେ କମ୍‌ ଦାମ୍‌ରେ ମିଳୁଥିବା ଏହି ସବୁ ସସ୍‌ ନିମ୍ନମାନର। ପୂର୍ବରୁ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ହୋଇଥିବା ଚଢ଼ଉରୁ ଏହା ସ୍ପଷ୍ଟ ହୋଇସାରିଛି। ପଚାସଢ଼ା କଖାରୁ ଓ କଞ୍ଚାଲଙ୍କାରୁ ଏସବୁ ତିଆରି ହୋଇଥାଏ। ପୁଣି ଅପମିଶ୍ରିତ ଏହି ସବୁ ସସ୍‌ ବେଶ୍ ଅସ୍ବାସ୍ଥ୍ୟକର ପରିବେଶରେ ତିଆରି ହୋଇଥାଏ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏସବୁ ନିମ୍ନମାନର ସସ୍‌ ତିଆରି କରି ଅସାଧୁ ବେପାରୀମାନେ ନାମୀ କମ୍ପାନିର ଲୋଗୋ ଲଗାଇ ବଜାରକୁ ଛାଡ଼ିଥା’ନ୍ତି। ଫଳରେ ବହୁ ସମୟରେ ଗ୍ରାହକମାନେ ବି ଠକାମିର ଶିକାର ହୋଇଥାନ୍ତି। ଏନେଇ କିଛି ଦୋକାନୀଙ୍କ କହିବା କଥା ଭଲ ସସ୍‌ ଦେଲେ, ଦର ବଢ଼ାଇବାକୁ ପଡ଼ିବ। ବର୍ତ୍ତମାନର ବଜାର ଦରରେ ଭଲ ସସ୍‌ ଦେବା ସମ୍ଭବ ନୁହେଁ।

ଏଣେ ଦର ବଢ଼ାଇଲେ, ବେପାର ମାନ୍ଦା ହୋଇଯିବ। ପୁଣି ଲୋକେ ବି ଗୋଟିଏ ପ୍ଲେଟ୍‌ରେ ଦୁଇ ଚାରି ଥର ମାଗୁଛନ୍ତି। ନଦେଲେ ସମସ୍ୟା। ତେଣୁ ଶସ୍ତା ସସ୍ ଦେବାକୁ ବାଧ୍ୟ ହେଉଛୁ ବୋଲି ସେମାନେ କହିଛନ୍ତି। ସେମାନଙ୍କ କହିବା କଥା ଗ୍ରାହକମାନେ ବି ଜାଣିଛନ୍ତି ଯେ କମ୍ ଦାମ୍‌ର ସସ୍ ଦିଆଯାଉଛି। ତେବେ ସେମାନେ ଏଭଳି ସସ୍‌କୁ ବିଷାକ୍ତ ବୋଲି ମାନିବାକୁ ନାରାଜ। ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ୍ ପଟେଲ କହିଛନ୍ତି ଯେ ଫାଷ୍ଟ୍‌ଫୁଡ୍ ଦୋକାନୀମାନେ ଶସ୍ତା ସସ୍ ବ୍ୟବହାର କରୁଥିବାର ଅଭିଯୋଗ ସବୁବେଳେ ଆସୁଛି। ମାସକୁ ଟାର୍ଗେଟ୍‌ ଅନୁସାରେ ଚଢ଼ଉ କରି ୪/୫ ଟି ସାମ୍ପୁଲ୍‌ ଲ୍ୟାବ୍‌କୁ ପଠାଯାଉଛି। ଖରାପ ରିପୋର୍ଟ ଆସିଲେ, ଉଭୟ ଦୋକାନୀ ଓ କମ୍ପାନି ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର