ନୂଆପଲ୍ଲୀ ବ୍ରିଟ୍ କଲୋନି ପାଚେରି କାନ୍ଥରେ ଅଶ୍ଳୀଳ ଚିତ୍ର, ଅଭିଯୋଗ ପରେ ଲିଭାଇବାକୁ ନିର୍ଦ୍ଦେଶ ଦେଲେ ବିଏମ୍ସି କମିସନର୍
ଖଣ୍ଡଗିରି: କରୋନା ସଚେତନତା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ କାନ୍ଥବାଡ଼ରେ ଅଙ୍କା ଯାଉଥିବା ଚିତ୍ରକୁ ନେଇ ଆଜି ନୂଆପଲ୍ଲୀ ବ୍ରିଟ୍ କଲୋନି ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପାଶ୍ଚାତ୍ୟ ଦେଶର ଏକ ଅଶ୍ଳୀଳ ଇଙ୍ଗିତ ଥିବା ଚିତ୍ରକୁ ନେଇ କଲୋନିବାସୀ ଆପତ୍ତି ଉଠାଇଛନ୍ତି। ଅଭିଯୋଗ ହେବା ପରେ ତୁରନ୍ତ ଏହି ସବୁ ଚିତ୍ରକୁ ଲିଭାଇବା ପାଇଁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାଯୋଗ୍ୟ, ଲୋକଙ୍କୁ କରୋନା ଓ ଟିକାକରଣକୁ ନେଇ ସଚେତନ କରାଇବା ପାଇଁ ରାଜଧାନୀର ରାସ୍ତାକଡ଼ କାନ୍ଥରେ ବିଭିନ୍ନ ପ୍ରକାର ଚିତ୍ର କରାଯାଉଛି। ବିଏମ୍ସି ପକ୍ଷରୁ କରାଯାଉଥିବା ଏହି ଚିତ୍ର ଦ୍ବାରା ପାଚେରି କାନ୍ଥବାଡ଼ ସୁନ୍ଦର ଦେଖାଯିବା ସହ ଲୋକେ କରୋନା ମୁକାବିଲା ଦିଗରେ ସଚେତନ ହେବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ନୂଆପଲ୍ଲୀ ବ୍ରିଟ୍ କଲୋନିର ପ୍ରବେଶ ପଥ କାନ୍ଥରେ ଅଙ୍କା ଯାଇଥିବା ଚିତ୍ରରେ ଅଶ୍ଳୀଳ ଇଙ୍ଗିତ ଥିବା ଅଭିଯୋଗ ହୋଇଛି।
କରୋନା ରାକ୍ଷସକୁ ଜଣେ କରୋନା ଯୋଦ୍ଧା ହାତର ମଝି ଆଙ୍ଗୁଠି ଦେଖାଉଥିବା ଚିତ୍ରଟିଏ ରହିଛି। କିନ୍ତୁ ଏହି ଆଙ୍ଗୁଠି ଦେଖାଇବା ପାଶ୍ଚାତ୍ୟ ସଭ୍ୟତାରେ ଖରାପ ଅର୍ଥରେ ନିଆ ଯାଇଥାଏ। ତେଣୁ ଏହି ଚିତ୍ର ପିଲାମାନଙ୍କ ମନରେ ଖରାପ ପ୍ରଭାବ ପକାଇବ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ। ଏହି ଚିତ୍ର ଆଙ୍କିବା ସମୟରେ ଲୋକେ ବିରୋଧ କରିଥିଲେ ମଧ୍ୟ ଚିତ୍ରକର କାହା କଥା ଶୁଣିନଥିଲେ ଓ ଚିତ୍ର ଆଙ୍କି ଦେଇ ଚାଲି ଯାଇଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକେ ବିଏମ୍ସି ଅଧିକାରୀଙ୍କୁ ଜଣାଇବା ପରେ କମିସନର ସଂଜୟ ସିଂହ ଏହାକୁ ଲିଭାଇବାକୁ ନିର୍ଦ୍ଦେଶ ଦେଇଥିଲେ।