ବାଲିଅନ୍ତା: ସ୍ଥାନୀୟ ବାଳକାଟି ଅଞ୍ଚଳରେ ଆଜି ପ୍ରଥମଥର ପାଇଁ କରୋନା‌ରେ ୨ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏହା ପୂର୍ବରୁ କରୋନାରେ କାହାର ମୃତ୍ୟୁ ହୋଇନଥିଲା। ଏହି ଅଞ୍ଚଳରୁ ଜଣେ ଶିଶୁଙ୍କ ସମେତ ୨ଜଣଙ୍କ କୋଭିଡ୍‌ ମୃତ୍ୟୁ ହୋଇଥିବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଦୁଇ ଜଣଯାକ ପ୍ରତାପଶାସନ ପଞ୍ଚାୟତ ଚାରିମାଣିଆ ଗ୍ରାମର। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ୫୮ ବର୍ଷୀୟ ମୃତକ ବ୍ୟକ୍ତି (ପରିବା ବ୍ୟବସାୟୀ) ଜଣକ କରୋନା ଆକ୍ରାନ୍ତ ବୋଲି ସ୍ପଷ୍ଟ ହେବା ପୂର୍ବରୁ ପରିବାରଲୋକେ ତାଙ୍କ ମୃତଦେହର ସତ୍କାର କରି ଦେଇଥିଲେ। ତେଣୁ ଶବ ସତ୍କାର କରିଥିବା ଲୋକେ ଏବେ ଚିନ୍ତାରେ ପଡ଼ିଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ ସେମାନଙ୍କୁ କୌଣସି ସତର୍କତାମୂଳକ ପରାମର୍ଶ ଦିଆଯାଇ ନଥିବାରୁ ଏହା ଆହୁରି ଅଧିକ ଚିନ୍ତାର କାରଣ ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ପ୍ରଶାସନିକ ବ୍ୟବସ୍ଥାର ଏହି ସଂଗିନ୍ ତ୍ରୁଟି ପାଇଁ କରୋନା ସଂକ୍ରମଣ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି।

Advertisment

ସୂଚନାନୁସାରେ, ଉକ୍ତ ବ୍ୟକ୍ତି ଦୀର୍ଘଦିନ ହେବ ମୂତ୍ରାଶୟ ଜନିତ ରୋଗ ସହ ଉଚ୍ଚ ରକ୍ତଚାପ ଓ କିଡ୍‌ନି ରୋଗରେ ପୀଡ଼ିତ ଥିଲେ। ଗତକାଲି ଚିକିତ୍ସା ଲାଗି ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶକ୍ରମେ ସେଠାରେ ତାଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା। ସଂଧ୍ୟାରେ କ୍ୟାପିଟାଲ ହସ୍ପିଟାଲ୍‌ରୁ ତାଙ୍କ ଘରକୁ ଫୋନ୍‌ରେ ସେ ପଜିଟିଭ୍‌ ବୋଲି ଜଣାଇ ଦିଆଯାଇଥିଲା। କିନ୍ତୁ ବ୍ଲକ ବା ପଞ୍ଚାୟତ ପ୍ରଶାସନ ପକ୍ଷରୁ ତାଙ୍କ ପରିବାରକୁ କିଛି ଜଣାଇ ଦିଆ ଯାଇନଥିଲା। ଆଜି ସକାଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ପରିବାରଲୋକେ ତରବରରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନେଇଯାଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ସେତେବେଳ ପର୍ଯ୍ୟନ୍ତ ସେ କରୋନା ଆକ୍ରାନ୍ତ ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ଦିଆଯାଇନଥିଲା। ତେଣୁ ପରିବାରଲୋକ ତାଙ୍କ ମୃତଦେହକୁ ଘରକୁ ଆଣିବା ସହ ସତ୍କାର କରାଇଥିଲେ। ଏନେଇ ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନାନୁସାରେ, ମୃତକଙ୍କ କୋଭିଡ୍‌ ପରୀକ୍ଷା ରିପୋର୍ଟ ହସ୍ତଗତ ହୋଇ ନଥିବାରୁ ସ୍ଥାନୀୟ ପ୍ରଶାସନକୁ ଜଣାଇବା ସମ୍ଭବ ହୋଇନଥିଲା। ସେହିଭଳି ମୃତ ଶିଶୁଟି ତାଙ୍କ ମା’ଙ୍କ ସହ ପିପିଲିରେ ରହୁଥିଲେ ଓ ଅସୁସ୍ଥ ହେବା ପରେ ସେଠାରୁ ତାକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଗତକାଲି ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁଟିର ମୃତ୍ୟୁ ହୋଇଥିଲା ଓ କୋଭିଡ୍‌ ପରୀକ୍ଷାରୁ ସେ ପଜିଟିଭ୍‌ ବୋଲି ଜଣାପଡ଼ିଥିଲା।

ବାଲିଅନ୍ତା: ସ୍ଥାନୀୟ ପ୍ରତାପରୁଦ୍ରପୁର ପଞ୍ଚାୟତର ଜଣେ କିଡ୍‌ନି ରୋଗୀ ମାସକ ମଧ୍ୟରେ ୩ଥର ପଜିଟିଭ୍‌ ଚିହ୍ନଟ ହେବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। କୋଭିଡ୍‌ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିବା ପରେ ମଧ୍ୟ ସେ ବାରମ୍ବାର କୋଭିଡ୍‌ ଆକ୍ରାନ୍ତ ହେଉଥିବା ସ୍ବାବ୍‌ ପରୀକ୍ଷାରୁ ଜଣାପଡ଼ୁଛି। ଆଜି ସରଦେଇପୁର କୋଭିଡ୍‌ ପରୀକ୍ଷା କେନ୍ଦ୍ରରୁ ତାଙ୍କ ପଜିଟିଭ୍‌ ରିପୋର୍ଟ ମିଳିବା ପରେ ଲୋକେ ନାନା କଥା ଆଲୋଚନା କରୁଛନ୍ତି।

ସୂଚନାନୁସାରେ, ୩୭ ବର୍ଷୀୟ ଏହି ଯୁବକ ଭୁବନେଶ୍ବରସ୍ଥିତ ଏକ ଘରୋଇ ସଂସ୍ଥାରେ କାମ କରୁଛନ୍ତି। ସେହି କମ୍ପାନିର ଜଣେ ଆକ୍ରାନ୍ତ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ସେ ଗତ ମାସରେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସା ପାଇଁ ସେ କୋଭିଡ୍‌ ହସ୍ପିଟାଲରେ ଭର୍ତି ହୋଇଥିଲେ। ୧୪ ଦିନ କୋଭିଡ୍‌ ହସ୍ପିଟାଲରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ଓ ସେତେବେଳେ ପୁଣିଥରେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଥିଲା। ସେଥର ମଧ୍ୟ ସ୍ବାବ୍‌ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ହେବାରୁ ତାଙ୍କୁ ଗୃହ ସଂଗରୋଧରେ ରହିବା ପାଇଁ କୁହାଯାଇଥିଲା। ଗୃହ ସଙ୍ଗରୋଧର ଠିକ୍‌ ୨୮ ଦିନ ପୂରିବା ପରେ ଆଜି ସେ ସରଦେଇପୁରସ୍ଥିତ ଡାକବଙ୍ଗଳା ସ୍ବାବ ପରୀକ୍ଷା କେନ୍ଦ୍ରରେ ତୃତୀୟଥର ପାଇଁ ସ୍ବାବ୍‌ ନମୁନା ପରୀକ୍ଷା କରାଇଥିଲେ। ଏଥର ମଧ୍ୟ ତାଙ୍କ ରିପୋର୍ଟ କୋଭିଡ ପଜିଟିଭ୍‌ ଆସିଛି ବୋଲି ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଜଣେ ଡାକ୍ତର କହିଛନ୍ତି। ତେଣୁ ଜଣେ ବ୍ୟକ୍ତି ତିନି ତିନିଥର ପଜିଟିଭ୍‌ ଚିହ୍ନଟ ହେବା ଘଟଣା ବାଲିଅନ୍ତା ଅଞ୍ଚଳରେ ପ୍ରଥମ ଏବଂ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।