ସୁସ୍ଥ ହେବା ପରେ କରୋନା ଆକ୍ରାନ୍ତ ମହିଳା ପୁଣି ପଜିଟିଭ୍‌

ବାଲିଅନ୍ତା : ସ୍ଥାନୀୟ ପ୍ରତାପଶାସନ ପଞ୍ଚାୟତର ଜଣେ କରୋନା ଆକ୍ରାନ୍ତ ମହିଳା କୋଭିଡ୍‌ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଫେରିବା ପରେ ପୁଣି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କର୍କଟ ରୋଗରେ ପୀଡ଼ିତା ଏହି ମହିଳା ଗତ ୭ ତାରିଖରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହା ପରେ ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା। ଗତ ୧୬ ତାରିଖରେ ତାଙ୍କୁ ସୁସ୍ଥ ବୋଲି ଦର୍ଶାଇ ଘରକୁ ପଠାଇ ଦିଆଯାଇଥିଲା। ଡିସ୍‌ଚାର୍ଜ କଲାବେଳେ ବାଲିଅନ୍ତା ଡାକବଙ୍ଗଳା ସ୍ବାବ୍‌ ପରୀକ୍ଷା କେନ୍ଦ୍ରରେ ଆଉ ଥରେ ମହିଳାଙ୍କ ସ୍ବାବ୍‌ ପରୀକ୍ଷା କରାଇ ନେବାକୁ ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା। ତେଣୁ ମହିଳାଜଣକ ପୁଣି ଥରେ ଡାକବଙ୍ଗଳାରେ ତାଙ୍କ ସ୍ବାବ୍‌ ପରୀକ୍ଷା କରାଇଥିଲେ ଓ ଆଜି ତାଙ୍କ ରିପୋର୍ଟ ପଜିଟିଭ‌୍ ବୋଲି ଜଣାପଡ଼ିଛି।

ମହିଳାଜଣକ କର୍କଟ ରୋଗରେ ପୀଡ଼ିତ ଥିବାରୁ ତାଙ୍କ ପରିବାରର ୬ ସଦସ୍ୟ ମଧ୍ୟ ଅସୁସ୍ଥ ଥିବା ଜଣାପଡ଼ିଛି ଓ ସେମାନେ କରୋନା ଆକ୍ରାନ୍ତ ବୋଲି ସନ୍ଦେହ କରାଯାଉଛି। ଏମିତିକି ୬ବର୍ଷ ବୟସର ଏକ ଝିଅ ଅବସ୍ଥା ମଧ୍ୟ ଖରାପ ଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ପଞ୍ଚାୟତ ଜନପ୍ରତିନିଧି, ମେଡିକାଲ ଟିମ୍‌ ଓ ବ୍ଲକ ପ୍ରଶାସନ ମହିଳାଙ୍କ ଯତ୍ନ ନେବା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି। ଏମିତିକି ତାଙ୍କୁ କେମୋ ନେବାରେ ମଧ୍ୟ ଅସୁବିଧା ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି। ଏ ଦିଗରେ ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର