ପଜିଟିଭ୍‌ ପରିବାରକୁ ନଳକୂପ ମନା, କଇଁଜଙ୍ଗାରେ ଉତ୍ତେଜନା

ବାଲିଅନ୍ତା: ଜଣେ କରୋନା ପଜିଟିଭ୍‌ ଥିବା ଏକ ପରିବାରକୁ ଗ୍ରାମବାସୀମାନେ ନଳକୂଅ ବାରଣ କରିବାରୁ ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାଟି ଆଜି ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ କଇଁଜଙ୍ଗା ଗାଁରେ ଘଟିଛି। ପୂର୍ବରୁ ଗାଁ’ଗଣ୍ଡାରେ କରୋନା ଆକ୍ରାନ୍ତଙ୍କୁ ଭିନ୍ନ ଢଙ୍ଗରେ ବାସନ୍ଦ କରାଯାଉଥିବା ନଜିର ଥିଲା, କିନ୍ତୁ ଏହି ମାମଲାରେ ନଳକୂଅରୁ ପାଣି ନେବା ବନ୍ଦ କରିବା ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତେଣୁ ଏମିତି ଏକ ମାମଲାକୁ ନେଇ ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ସୂଚନାଯୋଗ୍ୟ, କଇଁଜଙ୍ଗାରେ ଜଣେ ବ୍ୟକ୍ତି ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କୁ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଆଜି ଗାଁର କିଛି ଲୋକ ତାଙ୍କ ପରିବାରକୁ ନଳକୂଅରୁ ପାଣି ନେବାକୁ ବାରଣ କରିଥିଲେ। କରୋନା ସଂକ୍ରମଣ ହେବା କାରଣ ଦର୍ଶାଇ ତାଙ୍କୁ ନଳକୂଅ ମନା କରାଯାଇଥିଲା। କୌଣସି ପରିସ୍ଥିତିରେ ଉକ୍ତ ପରିବାରର ଲୋକେ ନଳକୂପରୁ ପାଣି ନେଇପାରିବେ ନାହିଁ ବୋଲି କିଛି ଗ୍ରାମବାସୀ ଜିଦ୍‌ କରିଥିଲେ। ଫଳରେ ଆକ୍ରାନ୍ତଙ୍କ ପରିବାର ସହ ସେମାନଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟନାରାୟଣ ଦାସ ଗାଁରେ ପହଞ୍ଚିଥିଲେ ଓ ଆକ୍ରାନ୍ତଙ୍କ ପରିବାରକୁ ସ୍ବତନ୍ତ୍ର ଭାବେ ୭ ଦିନ ପାଇଁ ଜଳ ଯୋଗାଣର ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଫଳରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧିତ ଖବର