ରାଜଧାନୀରେ ପଜିଟିଭ୍ ହାର ୨୦%ରୁ କମିଲା

ଭୁବନେଶ୍ବର: ରାଜଧାନୀରେ ଗତ ସପ୍ତାହରେ ପଜିଟିଭ୍ ହାର ପ୍ରାୟ ୪୬% ଥିବା ବେଳେ ଚଳିତ ସପ୍ତାହରେ ଏହା ୨୦%ରୁ କମ୍‌କୁ ଖସିଛି। ଏବେ ଲଗାତାର ଦୁଇ ଦିନ ହେଲା ପ୍ରତିଦିନ ୪୫୦୦ରୁ ଅଧିକ ଲୋକଙ୍କର କୋଭିଡ୍‌ ପରୀକ୍ଷା ହେଉଥିବା ବେଳେ ହଜାରେରୁ କମ୍‌ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପରୀକ୍ଷା ତୁଳନାରେ ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍‌ ରହୁଥିବାରୁ କରୋନା ଏବେ ନିୟନ୍ତ୍ରଣକୁ ଆସୁଥିବା କୁହାଯାଉଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ୨୪ ତାରିଖରେ ୩୭୨୩ଜଣଙ୍କର କୋଭିଡ ପରୀକ୍ଷା ହୋଇଥିବା ବେଳେ ୧୦୬୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସଂକ୍ରମଣ ହାର ୨୮.୫୨% ଥିଲା। ୨୫ରେ ୨୯୪୪ଜଣଙ୍କ କୋଭିଡ୍‌ ପରୀକ୍ଷା ହୋଇଥିବା ବେଳେ ୯୧୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ପଜିଟିଭ୍ ହାର ୩୧.୨୧% ଥିଲା। ସେହିପରି ୨୬ ତାରିଖରେ ଜମା ପରୀକ୍ଷା ହୋଇ ନଥିବା ବେଳେ ୨୪ ଓ ୨୫ ତାରିଖରେ ସ୍ବାବ୍‌ ଦେଇଥିବା ଲୋକଙ୍କ ମଧ୍ୟରୁ ୪୭୧ ଜଣଙ୍କର ପଜିଟିଭ୍ ଆସିଥିଲା। ସେହିପରି ୨୭ରେ ୪୬୬୮ଜଣ କୋଭିଡ୍‌ ପରୀକ୍ଷା କରିଥିବା ବେଳେ ଗତକାଲି ୭୪୭ଜଣ ଚିହ୍ନଟ ହୋଇଥିଲେ। ପଜିଟିଭ୍ ହାର ୧୬% ଥିଲା। ସେହିପରି ୨୮ରେ ୪୬୨୫ଜଣ କୋଭିଡ୍‌ ପରୀକ୍ଷା କରିଥିବା ବେଳେ ଆଜି ୮୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଜିଟିଭ୍ ହାର ୧୮.୮୩% ରହିଛି।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ ଏବେ କରୋନା ପରୀକ୍ଷା ହାର ଦିନକୁ ଦିନ ବଢ଼ାଯାଉଛି। ଯେପରି କୌଣସି ସନ୍ଦିଗ୍ଧ ବିନା ପରୀକ୍ଷାରେ ଫେରି‌ବେନି, ସେଥିପାଇଁ ଆମେ ଆବଶ୍ୟକ ପଦକ୍ଷେପ ନେଇଛୁ। ଅଧିକ ପରୀକ୍ଷା ହେଉଥିଲେ ହେଁ ୨୦%ରୁ କମ୍ ଆକ୍ରାନ୍ତ ଚିହ୍ନଟ ହେବା ସୂଚାଉଛି ଯେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି।

୮୭୧ ଆକ୍ରାନ୍ତ, ୧୦୭୩ ସୁସ୍ଥ
ଭୁବନେଶ୍ବର : ରାଜଧାନୀରେ ଶନିବାର ଲଗାତାର ଚତୁର୍ଥ ଦିନ ପାଇଁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳେ ରହିଛି। ଆଜି ୮୭୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦୭୩ଜଣ ସୁସ୍ଥ ହୋଇଛନ୍ତି। ତିନି ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଆଜି ଜୟଦେବବିହାରରୁ ୨୨ଜଣ, ଡୁମଡୁମାରୁ ୨୬ଜଣ, ଲକ୍ଷ୍ମୀସାଗରରୁ ୨୯ଜଣ, ଝାରପଡ଼ାରୁ ୩୧ଜଣ, ବିଜେବି ନଗରରୁ ୧୭ଜଣ, ବଡ଼ଗଡ଼ରୁ ୨୩ଜଣ, ଚନ୍ଦ୍ରଶେଖରପୁରରୁ ୨୬ଜଣ, ବରମୁଣ୍ଡାରୁ ୧୭ଜଣ, ଭୀମଟାଙ୍ଗିରୁ ୧୫ଜଣ, ଜାଗମରାରୁ ୧୫ଜଣ, ସହିଦନଗରରୁ ୧୫ଜଣ, ଟଙ୍କପାଣି ରୋଡରୁ ୧୭ଜଣ, ମଞ୍ଚେଶ୍ବରରୁ ୧୭ଜଣ, ୟୁନିଟ୍‌-୩ରୁ ୧୬ଜଣ, ପାତ୍ରପଡ଼ାରୁ ୧୪ଜଣ, ୟୁନିଟ-୮ରୁ ୨୩ଜଣ, ପୋଖରୀପୁଟରୁ ୧୪ଜଣ, ୟୁନିଟ୍‌-୬ରୁ ୨୧ଜଣ, ନୀଳାଦ୍ରିବିହାରରୁ ୧୬ଜଣ, ରସୁଲଗଡ଼ରୁ ୨୨ଜଣ, ଶୈଳଶ୍ରୀବିହାରରୁ ୩୧ଜଣ, ପୁରୁଣା ଭୁବନେଶ୍ବରରୁ ୪୩ଜଣ, ପଟିଆରୁ ୪୬ଜଣ, ଖଣ୍ଡଗିରିରୁ ୪୦ଜଣ, ନୂଆପଲ୍ଲୀରୁ ୪୭ଜଣ, ୟୁନିଟ-୯ରୁ ୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ ବିଭିନ୍ନ ଅଞ୍ଚଳରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର