ରାଜ୍ୟପାଳଙ୍କୁ ଚିଠି : ମାନବାଧିକାର କମିସନରେ କର୍ମଚାରୀ ନାହାନ୍ତି, ପଡ଼ିରହିଛି ୧୫ ହଜାର ମାମଲା

ଦିନକୁ ରୁଜୁ ହେଉଛି ୩୦ ମାମଲା, ୪୦ ଭାଗ କର୍ମଚାରୀ ପଦ ଖାଲି

ଭୁବନେଶ୍ୱର : ଓଡ଼ିଶା ମାନବାଧିକାର କମିସନ୍‌ରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ୪୦ ଭାଗ କର୍ମଚାରୀ ପଦ ଖାଲି ପଡ଼ିଛି। ଫଳରେ ମାମଲା ବିଚାରରେ ବିଳମ୍ବ ଘଟୁଛି। ଏନେଇ ୪ଜଣ ଆଇନଜୀବୀ ଚିଠି ଲେଖି ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ବପ୍ରିୟ କାନୁନ୍‌ଗୋ, ବିଜୟ କୁମାର ପଣ୍ଡା, ଗୋଲେଖ ପ୍ରସାଦ ନାୟକ, ସୁଭାଶିଷ ପଣ୍ଡା ପ୍ରମୁଖ ୪ ଜଣ ଆଇନଜୀବୀ ଚିଠିରେ ଉଲ୍ଲେଖ କରିଛନ୍ତି, ମାନବାଧିକାର ଉଲ୍ଲଂଘନ ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ୧୫ ହଜାର ମାମଲା ବିଚାରାଧୀନ ଥିବା ବେଳେ ପ୍ରତିଦିନ ହାରାହାରି ୩୦ ମାମଲା ରୁଜୁ ହେଉଛି। ମାମଲା ବୃଦ୍ଧି ପାଉଥିଲେ ହେଁ କର୍ମଚାରୀଙ୍କ ସଂଖ୍ୟା ବଢ଼ିବା ଦୂରର କଥା, ଆବଶ୍ୟକ କର୍ମଚାରୀ ନାହାନ୍ତି। ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବ ପଦ ଖାଲି ପଡ଼ିଥିବା ବେଳେ ମାମଲା ପଞ୍ଜୀକରଣଠାରୁ ନଥି ପ୍ରସ୍ତୁତ କରିବା, ଅଧ୍ୟକ୍ଷଙ୍କ ସମେତ ଦୁଇ ସଦସ୍ୟଙ୍କ ପାଖରେ ମାମଲା ଉପସ୍ଥାପନ କରିବା, ଆଦେଶ ଟାଇପ କରିବା ଓ ଡେସ୍‌ପାଚ୍‌ କରିବା ଭଳି କାମ କରିବା ପାଇଁ ବହୁ ସଂଖ୍ୟକ କର୍ମଚାରୀ ଆବଶ୍ୟକ। ଗୋଟିଏ ପଟେ କମିସନର ଏବେ ଫୁଲ ବେଞ୍ଚ ଥିଲେ ମଧ୍ୟ କର୍ମଚାରୀ ଅଭାବରୁ ଆବେଦନକାରୀ ସୁଫଳ ପାଇ ପାରୁନାହାନ୍ତି। ଯଥେଷ୍ଟ ସଂଖ୍ୟକ ଷ୍ଟେନୋଗ୍ରାଫର, ପେସକାର, ଗ୍ରୁପ-ଡି କର୍ମଚାରୀ ନିଯୁକ୍ତି ବାବଦରେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେମାନେ ରାଜ୍ୟପାଳଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।

ରାଜ୍ୟ ମାନବାଧିକାର କମିସନ ପ୍ରୋସିଡିଓର ରେଗୁଲେସନ୍‌-୨୦୦୩ ମୁତାବକ ମାମଲା ପଞ୍ଜୀକରଣ ହେବାର ୭ ଦିନ ମଧ୍ୟରେ ଶୁଣାଣି ହେବା କଥା। ହେଲେ କର୍ମଚାରୀ ଅଭାବରୁ ତାହା ସମ୍ଭବ ହୋଇ ପାରୁନାହିଁ। ମାମଲା ପଡ଼ି ରହିଥିବା ବେଳେ ପ୍ରତ୍ୟେକ ଦିନ ମାମଲା ରୁଜୁ ହେଉଥିବାରୁ ସଂଖ୍ୟା ବଢ଼ି ବଢ଼ି ଯାଉଛି। ରାଜ୍ୟ ମାନବାଧିକାର କମିସନର କର୍ମଚାରୀଙ୍କ ମଞ୍ଜୁରୀପ୍ରାପ୍ତ ସଂଖ୍ୟା ୬୯ ଥିବା ବେଳେ ଏଥିରେ ୨୭ ପଦ ଖାଲି ପଡ଼ିଛି। ଅର୍ଥାତ ପ୍ରାୟ ୪୦ ଭାଗ କର୍ମଚାରୀ ନାହାନ୍ତି। ଏଣୁ ମାନବାଧିକାର କ୍ଷୁଣ୍ଣ ଅଭିଯୋଗ ନେଇ କମିସନଙ୍କ ଦ୍ବାରସ୍ଥ ହେଉଥିବା ବ୍ୟକ୍ତି ଏହି ବିଳମ୍ବ ଯୋଗୁଁ ମଧ୍ୟ ପ୍ରଭାବିତ ହେଉଥିବା ଆଇନଜୀବୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର