ଭୁବନେଶ୍ବର: ଦିନ ଥିଲା ଡାକବାଲା ଥିଲା ଅନ୍ୟତମ ପ୍ରତୀକ୍ଷିତ ବ୍ୟକ୍ତି। ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ଡାକବାଲାକୁ ଅପେକ୍ଷା କରାଯାଉଥିଲ। ସୀମାରେ ବନ୍ଧୁକ ଧରି ଦେଶମାତୃକାର ସୁରକ୍ଷା ପାଇଁ ଠିଆ ହୋଇଥିବା ପୁଅର ସନ୍ଦେଶ ପାଇଁ ଗାଁରେ ରହୁଥିବା ମାଆବାପା ଡାକବାଲାକୁ ଚାହିଁବସୁଥିଲେ। ପ୍ରବାସରେ ଥିବା ସ୍ବାମୀର ଖବର ପାଇଁ ସ୍ତ୍ରୀଜଣକ ଡାକବାଲାକୁ ଅପେକ୍ଷା କରୁଥିଲା। ଛାତ୍ରାବାସରେ ରହୁଥିବା ପୁଅ ବା ଝିଅ ବାପାଙ୍କଠାରୁ ପାଇବାକୁ ଥବା ମନିଅର୍ଡର ପାଇଁ ଚାତକ ଭଳି ଡାକବାଲାକୁ ଚାହିଁ ରହୁଥିଲା। ଚାକିରି ପାଇଁ ବିଭିନ୍ନ ପରୀକ୍ଷା ଦେଉଥିବା ଯୁବକଟି ମଧ୍ୟ ଆଡ୍ମିଟ୍ କାର୍ଡ ପାଇଁ ଡାକବାଲାକୁ ଅପେକ୍ଷା କରୁଥିଲା। ଡାକବାଲା ଆସୁଥିଲା ଏବଂ ହଳଦିଆ ରଙ୍ଗର ପୋଷ୍ଟକାର୍ଡ ହେଉ ବା ନୀଳରଙ୍ଗର ଇନ୍ଲାଣ୍ଡ ଲେଟର (ଅନ୍ତର୍ଦେଶୀୟ ପତ୍ର)ଟିଏ ବଢ଼ାଇ ଦେଉଥିଲା। ଡାକବାଲା ହାତରୁ ଚିଠି ଖଣ୍ଡିକ ପାଇବା ବେଳେ ଯେଉଁ ଖୁସି ମିଳୁଥିଲା, ଉତ୍କଣ୍ଠା ଅବସାନର ଯେଉଁ ମହାର୍ଘ୍ୟ ଅନୁଭବ ମିଳୁଥିଲା, ତାହା ଆଜିର ଡିଜିଟାଲ୍ ଯୁଗର ପିଲାଙ୍କ ପାଇଁ ପୁରୁଣା ପରୀ କାହାଣୀ ସଦୃଶ। ଡାକବାଲା ଅଛନ୍ତି, ହଳଦିଆ ପୋଷ୍ଟକାର୍ଡ ଅଛି ଏବଂ ଅଛି ମଧ୍ୟ ନୀଳ ଲପାଫା ବା ଇନ୍ଲାଣ୍ଡ ଲେଟର। ମାତ୍ର ଡିଜିଟାଲ୍ ଯୁଗ ସେସବୁକୁ ଡାକଘରର କେଉଁ କୋଣରେ ଲୁଚାଇ ରଖିବା ଭଳି ଅବସ୍ଥାରେ ରଖିଛି। କେଉଁ ଅଜଣା ରାଇଜକୁ ଚାଲିଯାଇଛି।
୮୦ ଓ ୯୦ ଦଶକ ପର୍ଯ୍ୟନ୍ତ ପୋଷ୍ଟକାର୍ଡ ଓ ଇନ୍ଲାଣ୍ଡ ଲେଟରର ବହୁଳ ବ୍ୟବହାର ଥିଲା। ଚିଠି ପାଇଁ ଲୋକେ ଏହି ଦୁଇ କାର୍ଡକୁ ବେଶି ବ୍ୟବହାର କରୁଥିଲେ। ସ୍ବଳ୍ପ ବାର୍ତ୍ତା ପାଇଁ ଲୋକେ ପୋଷ୍ଟକାର୍ଡ କିଣୁଥିଲେ। କିନ୍ତୁ ଗୋପନ ବାର୍ତ୍ତା ବା ଟିକିଏ ଅଧିକ କଥା ପାଇଁ ଦରକାର ପଡ଼ୁଥିଲା ଇନ୍ଲାଣ୍ଡ ଲେଟର। କିନ୍ତୁ ମୋବାଇଲ୍ ଫୋନ୍ ସେଟ୍ ଆସିବା ପରଠୁ ଚିତ୍ର ବଦଳିଗଲା। ଡିଜିଟାଲ୍ କମ୍ୟୁନିକେସନ୍ର ପ୍ରଭାବରେ ପୋଷ୍ଟକାର୍ଡ ଓ ଇନ୍ଲାଣ୍ଡ ଲେଟର୍ ପ୍ରଭାବଶୂନ୍ୟ ହୋଇପଡ଼ିଲା। ଏବେ ବହୁ ଡାକଘରେ ସେହି ଦୁଇ କାର୍ଡ ବିକ୍ରି ପ୍ରାୟ ବନ୍ଦ ହୋଇଯାଇଛି। ଭାରତୀୟ ଡାକସେବା ପକ୍ଷରୁ ଏହି କାର୍ଡ ବିକ୍ରି ବନ୍ଦ ହୋଇନାହିଁ। ରାଜଧାନୀର ବହୁ ଡାକଘରେ ଏବେ ବି ପୋଷ୍ଟକାର୍ଡ ଓ ଇନ୍ଲାଣ୍ଡ ଲେଟର ମିଳୁନାହିଁ। ଭୁବନେଶ୍ବରର କିଛି ଡାକଘରୁ ମିଳିଥିବା ସୂଚନାନୁସାରେ ଏହି ଦୁଇ କାର୍ଡର ବିକ୍ରି ନାହିଁ। ତଥାପି ଏହାକୁ ଯୋଗାଇବା ଲାଗି ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଛି। ମହାରାଷ୍ଟ୍ର ନାସିକ୍ରୁ ଏସବୁ କାର୍ଡ ଆସିଥାଏ। କିନ୍ତୁ ଏବେ ବହୁ ଦିନ ହେଲା ଏହି ଦୁଇ କାର୍ଡ ନାସିକ୍ରୁ ଆସିନାହିଁ। ଲୋକଙ୍କ ଚାହିଦା ଥିଲେ, ବିଭାଗ ପକ୍ଷରୁ ତତ୍ପରତା ଦେଖିବାକୁ ମିଳନ୍ତା! ମାତ୍ର ଚାହିଦା ନଥିବାରୁ ସ୍ବାଭାବିକ ଭାବେ ବିଭାଗୀୟ ଉଦାସୀନତା ଦେଖିବାକୁ ମିଳୁଛି।
ବରମୁଣ୍ଡା ଡାକଘରର ଅଧିକାରୀ ମନୋଜ କୁମାର ପଣ୍ଡା କୁହନ୍ତି ଯେ ସାଧାରଣ ଲୋକେ ଆଉ ଏହି ଦୁଇ କାର୍ଡ ବ୍ୟବହାର କରୁନାହାନ୍ତି। କିଛି ବୀମା କମ୍ପାନି ଓ ବ୍ୟବସାୟିକ କ୍ଷେତ୍ରରେ ଅନ୍ତର୍ଦେଶୀୟ ପତ୍ରର ବ୍ୟବହାର ଏବେ ମଧ୍ୟ ହେଉଛି। ଏହି ଦୁଇ କାର୍ଡ ପ୍ରଚଳନ ବନ୍ଦ ହୋଇନାହିଁ। ମଜାର କଥା ହେଉଛି ରାଜଧାନୀର କିଛି କଲେଜ ଛାତ୍ରଙ୍କ କହିବା କଥା ସେମାନେ ପୋଷ୍ଟକାର୍ଡ ବିଷୟରେ ଶୁଣିଛନ୍ତି। କିଛି ଛାତ୍ର ଦେଖିଥିବା ମଧ୍ୟ କହିଛନ୍ତି। କିନ୍ତୁ ଇନ୍ଲାଣ୍ଡ ଲେଟର କଥା ଶୁଣି ସେମାନେ ବିସ୍ମିତ ହୋଇପଡ଼ିଥିଲେ। ଏମିତି ଏକ ନୀଳ ଲପାଫା କେବେ ପ୍ରଚଳିତ ଥିଲା ବୋଲି ସେମାନେ ପାଲଟା ପ୍ରଶ୍ନ କରିଥିଲେ।