ଭୁବନେଶ୍ବର: କାନ୍ଥବାଡ଼କୁ ଟଙ୍କା ଖର୍ଚ୍ଚ କରି ବିଏମ୍‌ସି ସୁନ୍ଦର କରୁଥିବା ବେଳେ କେତେକ ସଂସ୍ଥା କାନ୍ଥରେ ପୋଷ୍ଟର ଲଗାଇ ବିକୃତ କରୁଛନ୍ତି। କାନ୍ଥରେ ପୋଷ୍ଟର ଲାଗିଲେ ସମ୍ପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍‌ସି ଘୋଷଣା କରିଛି। ଏହିକ୍ରମରେ ଆଜି ୫ଟି ସଂସ୍ଥା ବିରୋଧରେ ବିଏମ୍‌ସି ଏତଲା ଦେଇଛି। ଏତଲାକୁ ଗ୍ରହଣ କରି ବଡ଼ଗଡ଼ ଥାନା ପୁଲିସ ମାମଲା ରୁଜୁ କରିଛି। ଖୁବ୍‌ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ବିଏମ୍‌ସି ୫ଟି ସଂସ୍ଥା ବିରୋଧରେ ଏତଲା ଦେଇଥିଲା। ଏଭଳି ୧୦ଟି ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି। ଥାନାରେ ଏତଲା ସହ ସମ୍ପୃକ୍ତ ସଂସ୍ଥାମାନଙ୍କୁ ନୋଟିସ କରାଯାଇଛି। ସେମାନଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରିବାକୁ ମଧ୍ୟ ଯୋଜନା କରିଛି ବିଏମ୍‌ସି।

Advertisment

ବିଏମ୍‌ସି ଯେଉଁ ସଂସ୍ଥାମାନଙ୍କ ବିରୋଧରେ ଏତଲା ଦେଇଛି ସେମାନେ ହେଉଛନ୍ତି, ଟିଏଏସ୍‌ ଇନ୍ସପାଇରେସନ, ସାଇ ଇନ୍‌ଷ୍ଟିଚ୍ୟୁଟ୍‌, ସିଏମ୍‌ ଫିଟ୍‌ନେସ୍‌, କିଡୋ ଡେନ୍‌ପ୍ରି ସ୍କୁଲ୍‌ ଓ ଭଡ଼ା ଦେବାପାଇଁ ବିଜ୍ଞାପନ କରିଥିବା ଦୁଇ ମୋବାଇଲ ନମ୍ବର ଆଧାରରେ ଏତଲା ହୋଇଛି। ତିନିଟି ଜୋନ୍‌ର ସ୍ବତନ୍ତ୍ର ଦଳ ପ୍ରତ୍ୟେକ ଦିନ ସହରସାରା ଘୂରି ବୁଲି ଏଭଳି ପୋଷ୍ଟର ଚିହ୍ନଟ କରୁଛନ୍ତି। ସେମାନଙ୍କ ରିପୋର୍ଟ ଆଧାରରେ ବିମ୍‌ସି ଏତଲା ଦେଉଛି। ଆଗକୁ ଏହି ଚଢ଼ଉ ଜୋରଦାର ହେବ ବୋଲି ବିଏମ୍‌ସି କହିଛି। ଯେଉଁ ସଂସ୍ଥାମାନେ ଯେଉଁଠି ବିଜ୍ଞାପନ ପୋଷ୍ଟର ଲଗାଇଛନ୍ତି ସେଠାରୁ ତୁରନ୍ତ ହଟାଇ ନେବାକୁ ବିଏମ୍‌ସି ପରାମର୍ଶ ଦେଇଛି।