ଭୁବନେଶ୍ବର: ସଂଜ ନଇଁଲେ ହାତରେ ମଦ ବୋତଲ ସାଙ୍ଗକୁ ବନ୍ଧୁକ ନ ହେଲେ ଖଣ୍ଡା। ପୂରା ଭୁବନେଶ୍ବର ବୁଲି ବୁଲି ଏମାନେ ଉତ୍ପାତ କରନ୍ତି। ଏମାନଙ୍କ ଅସାମାଜିକ କାର୍ଯ୍ୟକଳାପକୁ ଯିଏ ନଜର ଉଠାଇ ଚାହେଁ, ତାକୁ ଆକ୍ରମଣ କରିବାକୁ ପଛାନ୍ତି ନାହିଁ। ଖାଲି ସେତିକି ନୁହେଁ; କାହାକୁ ଧମକାଯିବ, କୋଉଠୁ ଦାଦାବଟି ହେବ, କାହାକୁ ମାଡ଼ ମରାଯିବ, ଏପରିକି ଅନେକ ସଂସ୍ଥା ଓ ଲୋକଙ୍କ ପାଇଁ ଭଡ଼ାଟିଆ ଗୁଣ୍ଡା ସାଜି ଏମାନେ ଅପରାଧ ମଧ୍ୟ ଭିଆଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ଗୋଷ୍ଠୀ ଲୋକଙ୍କୁ ହତ୍ୟା କରିବାକୁ ସୁପାରି ନେଉଥିବା ମଧ୍ୟ ନଜିର ରହିଛି। ତେବେ ଏ ସବୁକୁ ବଳି ଯାଇଛି ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହୋଇଥିବା ଏକ ଭିଡିଓ। ଭିଡିଓରେ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିବାଠାରୁ ଆରମ୍ଭ କରି ରାସ୍ତାରେ ବନ୍ଧୁକ ଫୁଟାଇ ଅଶାନ୍ତ କରୁଥିବା ଚିତ୍ର ଦେଖିବାକୁ ମିଳିଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ଗୋଷ୍ଠୀର ନାଁ’ ହେଉଛି କେବିଏନ୍ ଗ୍ରୁପ୍। ଏହି ଗ୍ରୁପର୍‌ ମୁଖ୍ୟତଃ ବରମୁଣ୍ଡା, ଖଣ୍ଡଗିରି, ଜାଗମରା, ନୂଆପଲ୍ଲୀ, ୟୁନିଟ୍-୮, ପଟିଆ, ପୁରୁଣା ଭୁବନେଶ୍ବର ପ୍ରମୁଖ ଅଞ୍ଚଳର ଯୁବପିଢ଼ି ରହିଥିବା ଜଣାପଡ଼ିଛି। ଏଭଳି ଚିତ୍ର ଏବେ ସାମ୍‌ନାକୁ ଆସିବା ବେଳେ ଲୋକେ ରାତିରେ ଘରୁ ବାହାରିବାକୁ ଭୟ କଲେଣି। ତେଣୁ ଏହି ଅପରାଧୀ ଗୋଷ୍ଠୀର ପରିସମାପ୍ତି କେବେ ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କଲେଣି।

Advertisment

ମଙ୍ଗ ଧରିଛି ହୋମଗାର୍ଡ ପୁଅ ବୁବୁ
କେବିଏନ୍ ଗ୍ରୁପ୍ ଅର୍ଥାତ କୋଇ ଭି ନେହିଁ। ତାଙ୍କ ରାସ୍ତାରେ ଯିଏ ବି କଣ୍ଟା ହେବ, କାହାରିକୁ ବି ଛଡ଼ା ଯିବନି। ଏଭଳି ଏକ ଆପରାଧିକ ସଂଗଠନର ଆରମ୍ଭ କେଉଁଠୁ, ତା’ ଜଣାପଡ଼ିନାହିଁ। ମାତ୍ର ଏହି କେବିଏନ୍ ଗ୍ରୁପ୍‌ର ମୁଖିଆ ସାଜିଛି ଜଣେ ପୁଲିସ କର୍ମଚାରୀଙ୍କ ପୁଅ ଦେବୀ ପ୍ରସାଦ ଜେନା ଓରଫ ବୁବୁ। ବରମୁଣ୍ଡାରେ ରହୁଥିବା ବୁବୁ ନାଁ’ରେ ବିଭିନ୍ନ ଥାନାରେ ମାଳମାଳ ଆପରାଧିକ ମାମଲା। ନାବାଳକ ସମୟରୁ ସେ ହଣାକଟା, ବୋମାମାଡ଼ ଘଟଣା ସହ ସଂପୃକ୍ତ। ଏହି ଗୋଷ୍ଠୀର ଅନେକଙ୍କୁ ପୁଲିସ ଗିରଫ କରି ଦେଇଥିବାରୁ ଏବେ ବୁବୁ ଏହାର ମଙ୍ଗ ଧରି ଆତଙ୍କ କରୁଛି। ନିକଟରେ ବୁବୁ ସିଆର୍‌ପିସ୍ଥିତ ଅମ୍ରିତା ମାର୍କେଟ୍‌ କମ୍ପ୍ଲେକ୍ସରେ ତା’ ଗୋଷ୍ଠୀ ପିଲାଙ୍କୁ ଆଣି ଆତଙ୍କ ସୃଷ୍ଟି କରିଥିଲା। ଘଟଣା ପରେ ପୁଲିସ ୩ଜଣଙ୍କୁ ଗିରଫ କରିଥିଲେ ବି ଏବେ ବି ମୁଖ୍ୟ ଅପରାଧୀ ବୁବୁକୁ ଗିରଫ କରିବାରେ ସଫଳ ହୋଇନାହି। ସୂଚନାଯୋଗ୍ୟ, ପୁରୁଣା ଭୁବନେଶ୍ବରର ବହୁଚର୍ଚ୍ଚିତ ମିଠା ଦୋକାନୀ ପ୍ରଭାକର ସାହୁ ଓରଫ ଜମ୍ବୁକୁ ଦିନରେ ଗୋଡ଼େଇ ଗୋଡ଼େଇ ରାସ୍ତା ଉପରେ ହାଣି ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରାଜକୁମାର ବେହେରା ଏହି କେବିଏନ୍ ଗ୍ରୁପ୍‌ର ଶ୍ରୀତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତିଙ୍କ ସୁପାରି ଦେଇଥିଲା।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରୁଛନ୍ତି ଆତଙ୍କର ଦୃଶ୍ୟ
ହାତରେ ଖଣ୍ଡା, ଧାରୁଆ ଅସ୍ତ୍ର, ହକି ଷ୍ଟିକ୍ ଧରି ଗୀତ ବଜାଇ ରାସ୍ତା ଉପରେ ନାଚିବା ଏମାନଙ୍କ ସଉକ। ମଧ୍ୟପ୍ରଦେଶ ଉଜୟିନୀର ଗ୍ୟାଙ୍ଗଷ୍ଟାର୍ ଦୁର୍ଲଭ କଶ୍ୟପ ଭଳି ଏହି ଗୋଷ୍ଠୀ ଏବେ ଏଭଳି ଭିଡିଓ ପୋଷ୍ଟ କରି ଲୋକଙ୍କୁ ଆତଙ୍କିତ କରୁଛି। ପୂରା ସମାଜ ତାଙ୍କୁ ଚିହ୍ନୁ ଏବଂ ତାଙ୍କ ଆତଙ୍କକୁ ଭୟ କରୁ ବୋଲି ଏମାନଙ୍କ ଉଦ୍ଦେଶ୍ୟ। ଆଜି ଖଣ୍ଡଗିରି ପୁଲିସ ଏହିଭଳି ରାହୁଲ ଜେନା ନାମକ ଜଣେ ଯୁବକକୁ ମଧ୍ୟ ସମାନ ଘଟଣାକୁ ନେଇ ଗିରଫ କରିଛି।