ଘରୋଇ ହସ୍ପିଟାଲ୍‌ରେ ଶବ ବ୍ୟବଚ୍ଛେଦ ମନା

ଫେଲ୍‌ ମାରିଲା କମିସନରେଟ୍‌ ପୁଲିସ୍‌ ଓ ସ୍ୱାସ୍ଥ୍ୟ ବିଭାଗ ଯୋଜନା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲ୍‌ରେ ଡାକ୍ତର ଓ କର୍ମଚାରୀ ଅଭାବ କାରଣରୁ ଶବ ବ୍ୟବଚ୍ଛେଦ ନେଇ ଗୁରୁତର ସମସ୍ୟା ଦେଖାଯାଉଛି। କେବଳ ଶବ ବ୍ୟବଚ୍ଛେଦ କାହିଁକି, ଅଭିଯୁକ୍ତଙ୍କ ଡାକ୍ତରୀମାଇନାରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଏହି କାରଣରୁ ପୁଲିସର ତଦନ୍ତ ବିଳମ୍ବ ହେବା ସାଙ୍ଗକୁ ନ୍ୟାୟିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପଡ଼ୁଛି। ଦୈନିକ କ୍ୟାପିଟାଲ ହସ୍ପିଟାଲକୁ ଭୁବନେଶ୍ୱର ରାଜଧାନୀ ଉପକଣ୍ଠ ବାଲିଅନ୍ତା, ବାଲିପାଟଣା, ଖୋର୍ଧା, ପିପିଲି, ନୟାଗଡ଼ ପଟୁ ଶବ ବ୍ୟବଚ୍ଛେଦ ପାଇଁ ଆସିଥାଏ। ପ୍ରତିଦିନ ୧୦ରୁ ୧୨ଟି ଶବ ବ୍ୟବଚ୍ଛେଦ ହୋଇଥାଏ। ତେବେ ଏତେ ସଂଖ୍ୟକ ମୃତଦେହର ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲରେ ଜଣେ ମାତ୍ର ଡାକ୍ତର ଓ ତାଙ୍କ ସହଯୋଗ କରିବାକୁ ଦୁଇ ଜଣ କର୍ମଚାରୀ ଅଛନ୍ତି। ଏହି ସବୁ କାରଣରୁ ଶବ ବ୍ୟବଚ୍ଛେଦ କରିବାରେ ବିଳମ୍ବ ଘଟିଥାଏ। ଗତ କିଛି ମାସ ହେବ କମିସନରେଟ୍‌ ପୁଲିସ ଖଣ୍ଡଗିରି, ତମାଣ୍ଡୋ ଓ ଜଟଣୀ ଥାନାର ବିଭିନ୍ନ ମାମଲାର ଶବଗୁଡ଼ିକୁ ଏମ୍‌ସରେ ବ୍ୟବଚ୍ଛେଦ କରାଉଛି। ଆହୁରି ସୁବିଧା ଓ ରିପୋର୍ଟ ପାଇବାରେ ସହଜ ଓ ସରଳ କରିବାକୁ କମିସନରେଟ ପୁଲିସ ଘରୋଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ କରାଇବାକୁ ଚାହୁଁଥିଲା। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ଓ କମିସନରେଟ ପୁଲିସ ଏକ ବୈଠକରେ ଆଲୋଚନା ମଧ୍ୟ କରିଥିଲେ। କିନ୍ତୁ ଲ’ ବିଭାଗ ଏହାକୁ ଖାରଜ କରିବା ପରେ ଏବେ କମିସନରେଟ ପୁଲିସର ଯୋଜନା ଫେଲ ମାରିଛି। ତେବେ ଏହାର ପ୍ରଭାବ ପୁଲିସଠାରୁ ଆରମ୍ଭ କରି କୋର୍ଟ ଏବଂ ସାଧାରଣ ଲୋକଙ୍କ ଉପରେ ପଡ଼ିବାର ଅନେକ ଆଶଙ୍କା ରହିଛି। ଏଠାରେ ପ୍ରକାଶଥାଉକି, ଦେଶର ଅନ୍ୟ ରାଜ୍ୟଗୁଡିକରେ ଘରୋଇ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ନିୟମ ରହିଛି। କମିସନରେଟ୍‌ ପୁଲିସ ରାଜ୍ୟରେ ପ୍ରଥମ ଭାବେ ଏହି ବ୍ୟବସ୍ଥା ପ୍ରଚଳନ କରି ପାରିଥା’ନ୍ତା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର