ବାଲିଅନ୍ତା : ରାଜ୍ୟରେ ଆଳୁ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଆଳୁ ମିସନ୍‌ କରିଥିଲେ। ମାତ୍ର ଶହ ଶହ କୋଟି ଟଙ୍କା ବ୍ୟୟ ହେଲା ସିନା, ଯୋଜନା ଫସର ଫାଟିଗଲା। ଏଥିପାଇଁ ବିଭିନ୍ନ କାରଣକୁ ଦାୟୀ କରାଗଲା। ବିଶେଷକରି ବହୁ ଅଞ୍ଚଳରେ ଚାଷୀମାନଙ୍କୁ ଦାୟୀ କରାଯାଇଥିଲା। କିନ୍ତୁ ଅସଲ ଚିତ୍ର ଥିଲା ଭିନ୍ନ। ଅସଲ ଚିତ୍ର ଏବେ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ସରକାରୀ କଳର ଅନଭିଜ୍ଞତା ଓ ଉଦାସୀନତା ପାଇଁ ଏହି ମିସନ୍‌ ବିଫଳ ହୋଇଥିଲା ବୋଲି ବାଲିଅନ୍ତା ବ୍ଲକ ଚିତ୍ରରୁ ସ୍ପଷ୍ଟ ହୋଇଛି। ଚାଷୀମାନେ ବିଲ ହଳ କରି ସରକାରୀ ବିହନକୁ ଅପେକ୍ଷା କରି ବସିଛନ୍ତି, କିନ୍ତୁ ବିଭାଗୀୟ ପ୍ରତିଶ୍ରୁତି ମୁତାବକ ରିହାତି ଦରରେ ବିହନ ମିଳୁନାହିଁ। ଫଳରେ ବାଧ୍ୟ ହୋଇ ଚାଷୀ ଘରୋଇ ସଂସ୍ଥାରୁ ଚଢ଼ା ଦରରେ ବିହନ କିଣୁଛି। ମଉକାକୁ ହାତ ଛଡ଼ା ନକରି ଅସାଧୁ ବେପାରୀମାନେ ଚାଷୀମାନଙ୍କୁ ଶୋଷଣ କରିବାକୁ ପଛାଉ ନାହାନ୍ତି।

Advertisment

ବନ୍ୟା କ୍ଷତିଗ୍ରସ୍ତ ବାଲିଅନ୍ତା ବ୍ଲକର ଚାଷୀଙ୍କୁ ସ୍ଥାନୀୟ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆଳୁ ଓ ପିଆଜ ମଞ୍ଜି ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଆଗ୍ରହୀ ଚାଷୀମାନଙ୍କ ମତାମତ ସଂଗ୍ରହ କରି ପ୍ରାୟ ୬ ଶହ ‌ହେକ୍ଟର ଜମିରେ ଆଳୁ ଚାଷ ହେବ ବୋଲି ଉଭୟ କୃଷି ଓ ଉଦ୍ୟାନ କୃଷି ବିଭାଗ ଆକଳନ କରିଥିଲା। ଚଳିତ ବର୍ଷ ଆଳୁ ଦର ୫୦ ଟଙ୍କାକୁ ଛୁଇଁଥିବାରୁ ଚାଷୀମାନେ ମଧ୍ୟ ଏହି ଚାଷ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଆଳୁ ପିଆଜ ବିହନ ରିହାତି ଦରରେ ଯୋଗାଇ ଦିଆଯିବା କଥା ଉଠିବାରୁ ଚାଷୀମାନେ ଅଧିକ ଉତ୍ସାହିତ ହୋଇ ପଡ଼ିଥିଲେ। ତେଣୁ ଧାନ ଅମଳ ସରୁ ସରୁ ବହୁ ଚାଷୀ ବିଲରେ ଖତ ସାର ଦେଇ ହଳ କରି ପକାଇଲେ। ତେବେ ବିଲ ପ୍ରସ୍ତୁତ ହୋଇ ସାରିବା ପରେ ଉଦ୍ୟାନ କୃଷି ବିଭାଗର ଅସଲ ଚେହେରା ଦେଖାଗଲା। ସରକାରୀ ଦରରେ ବିହନ ଯୋଗାଣ ହୋଇପାରୁନାହିଁ ବୋଲି ଚାଷୀଙ୍କୁ ଶୁଣାଇ ଦିଆଗଲା। ଏମିତିକି ବହୁ ସମୟରେ ଏହି କାର୍ଯ୍ୟାଳୟରେ ତାଲା ପଡ଼ି ରହୁଥିବା ଦେଖିବାକୁ ମିଳିଲା। ସରକାରୀ ପ୍ରୋତ୍ସାହନ ଅବସ୍ଥା ଦେଖି ସ୍ଥାନୀୟ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି। ବନ୍ୟାରେ ହୋଇଥିବା ଧାନ ଫସଲର କ୍ଷତିଭରଣା ପାଇଁ ଆଳୁ ଚାଷ ପ୍ରତି ମନ ବଳାଇଥିବା ଚାଷୀ ଏବେ ହତାଶ ହୋଇ ପଡ଼ିଛି। ଆଳୁ ଓ ପିଆଜ ଚାଷ ପାଇଁ ଜମି ପ୍ରସ୍ତୁତ କରି ରଖିଥିବା ଚାଷୀମାନେ ହାତ ବାନ୍ଧି ବସିଛନ୍ତି। କିଛି ଚାଷୀ ବାଧ୍ୟ ହୋଇ ଧାର କରଜ କରି ଘରୋଇ ସଂସ୍ଥାରୁ କ୍ବିଣ୍ଟାଲ ପିଛା ୪ ହଜାର ଟଙ୍କା ଦେଇ ଆଳୁ ବିହନ କିଣୁଛନ୍ତି। ମାତ୍ର ବହୁ ଚାଷୀ ଅର୍ଥ ଅଭାବରୁ ହଳ ଜମିକୁ ପଡ଼ିଆ ରଖିବାକୁ ବାଧ୍ୟ ହୋଇଛନ୍ତି।

ବ୍ଲକ ଉପ ଉଦ୍ୟାନ କୃଷି ଅଧିକାରୀ ପଦ୍ମିନୀ ବଳଙ୍କ ସୂଚନାନୁସାରେ, ଚଳିତ ବର୍ଷ ନଭେମ୍ବର ସୁଦ୍ଧା ବିହନ ଯୋଗାଣ ହେବ ବୋଲି ଯୋଜନା କରାଯାଇଥିଲା। ମାତ୍ର ବିହନ ଯୋଗାଣକାରୀ ସଂସ୍ଥା ଠିକ୍‌ ହୋଇପାରିଲା ନାହିଁ। ତେଣୁ ଏହି ବ୍ଲକର ଚାଷୀଙ୍କୁ ସରକାରୀ ଦରରେ ଅର୍ଥାତ୍ ରିହାତି ଦରରେ ବିହନ ଯୋଗାଣ ସମ୍ଭବ ହୋଇପାରୁନାହିଁ। ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲାକୁ ଏହି ରିହାତି ଯୋଜନା ବନ୍ଦ ହୋଇଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଏ ବର୍ଷ କଟକ ଜିଲ୍ଲା ସମେତ ଅନ୍ୟ ଉପାନ୍ତ ଜିଲ୍ଲାକୁ ରିହାତି ଦରରେ ବିହନ ଯୋଗାଣ କରାଯାଇଛି, ମାତ୍ର ଖୋର୍ଦ୍ଧା ଜିଲ୍ଲା ବାଦ୍‌ ପଡ଼ିଛି ବୋଲି ତାଙ୍କ ସୂଚନାରୁ ଜଣାପଡ଼ିଛି। ଯେଉଁ କାରଣରୁ ଖୋର୍ଦ୍ଧା ଜିଲ୍ଲାକୁ ଏହି ଯୋଜନାରୁ ବାଦ୍‌ ଦିଆଯାଇଥିଲେ ମଧ୍ୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକରେ ଆଳୁ ଚାଷ ପାଇଁ ଭଲ ଭିତ୍ତିଭୂମି ଥିବାରୁ ଏହି ଦୁଇ ବ୍ଲକର ଚାଷୀଙ୍କ କଥାକୁ ବିଚାର କରିବା ପାଇଁ ଦାବି ହେଉଛି।