ତେଜୁଛି ଆଳୁ ଦର, କେଜି @୨୦

ଭୁବନେଶ୍ବର : ପରିବା ବଜାରକୁ କରୋନା ପ୍ରଭାବିତ କରିନଥିଲେ ହେଁ ଅତ୍ୟାବଶ୍ୟକ ଆଳୁ ଦର ବଢ଼ିଛି। ଗତ ସପ୍ତାହରେ କିଲୋ ପିଛା ୧୬ ଟଙ୍କାରେ ବିକ୍ରି ହେଉଥିବା ଆଳୁ ଦର ବର୍ତ୍ତମାନ ୨୦ ଟଙ୍କାକୁ ଛୁଇଁଛି। ପଶ୍ଚିମବଙ୍ଗରୁ ଆମଦାନିରେ କୌଣସି ପ୍ରଭାବ ପଡ଼ିନଥିଲେ ମଧ୍ୟ ଦର ବୃଦ୍ଧି ଘଟିଛି। ଫଳରେ କରୋନା କଟକଣା ପାଇଁ ହୁଏତ ଆଳୁ ଦର ଆହୁରି ବଢ଼ିବ ବୋଲି ଖାଉଟି ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ଗତ ସପ୍ତାହରେ ଖୁଚୁରା ବଜାରରେ ଆଳୁ କିଲୋ ୧୬ଟଙ୍କା ଥିଲା। କୁବେରପୁରୀରେ ପାଇକାରୀ ଦର ଥିଲା କ୍ବିଣ୍ଟାଲ୍ ୧୧ଶହ ଟଙ୍କା। କିନ୍ତୁ ଗତ ଦୁଇ ଦିନ ହେଲା କରୋନା କଟକଣା ଲାଗୁ ହେବା ପରେ ହଠାତ୍ ପାଇକାରୀ ଦରରେ ବୃଦ୍ଧି ଘଟିଛି। କ୍ବିଣ୍ଟାଲ ପିଛା ୧୪୮୦ ଟଙ୍କାରୁ ୧୫ ଶହ ଟଙ୍କା ହୋଇଯାଇଛି। ତେଣୁ ପାଇକାରୀ ଦର ପାଖାପାଖି ୪ଶହ ଟଙ୍କା ବଢ଼ିବା କାରଣରୁ ଖୁଚୁରା ବଜାର ଦର ସେହି ଅନୁପାତରେ ବଢ଼ିଛି। ଫଳରେ ଖୁଚୁରା ଦର ଏବେ ୨୦ ଟଙ୍କାକୁ ଛୁଇଁଛି। ଗୁରୁବାର କ୍ୟାପିଟାଲ ହାଟରେ ଆଳୁ କିଲୋ ୧୮/୨୦ ଟଙ୍କାରେ(ମାନ ଅନୁସାରେ) ବିକ୍ରି ହୋଇଛି।

କୁବେରପୁରୀ ବ୍ୟବସାୟୀମାନଙ୍କ ସୂଚନାନୁସାରେ, ଆଳୁ ଦର ବୃଦ୍ଧି କେବଳ କରୋନା ପ୍ରଭାବରୁ ଘଟିଛି। ଟ୍ରକ୍‌ରେ ଆଳୁ ଲୋଡିଂ ଓ ଅନ୍‌ଲୋଡିଂ କରିବାରେ ଖର୍ଚ୍ଚ ଅଧିକ ହେଉଛି। ଶ୍ରମିକମାନେ ପରସ୍ପରଠାରୁ ଦୂରତା ରକ୍ଷା କରି ଏହି କାର୍ଯ୍ୟ କରୁଥିବାରୁ ଅଧିକ ସମୟ ବ୍ୟୟ ହେଉଛି। ଗୋଦାମରେ ଭିଡ଼ କମାଇବା ପାଇଁ ଶ୍ରମିକ ସଂଖ୍ୟା ହ୍ରାସ କରାଯାଇଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଉଭୟ ପଶ୍ଚିମବଙ୍ଗ ଓ ଓଡ଼ିଶାର ଆଳୁ ଗୋଦାମଗୁଡ଼ିକରେ ଏଭଳି ସ୍ଥିତି। ତେଣୁ କ‌ରୋନା କଟକଣା ନ ହଟିବା ପର୍ଯ୍ୟନ୍ତ ଏହି ସ୍ଥିତି ଲାଗି ରହିବ। କୁବେରପୁରୀ ବ୍ୟବସାୟୀ ସଂଘର ସମ୍ପାଦକ ତଥା ଆଇନଜୀବୀ ଶକ୍ତିଶଙ୍କର ମିଶ୍ରଙ୍କ କହିବା କଥା, ଆଗକୁ ଆଳୁଦର ଆଉ ବଢ଼ିବା ଆଶଙ୍କା ନାହିଁ। କାରଣ ଆମଦାନିରେ କିଛି ପ୍ରଭାବ ନାହିଁ। ଗୁରୁବାର ପଶ୍ଚିମବଙ୍ଗରୁ ୨୮ଟି ଟ୍ରକ୍‌ରେ ପ୍ରାୟ ୪ ଶହ ଟନ୍‌ ଆଳୁ ରାଜଧାନୀକୁ ଆସିଛି। ତେଣୁ ଆମଦାନିଜନିତ ଦରବୃଦ୍ଧି ଆଶଙ୍କା ନାହିଁ। କେବଳ ଲୋଡିଂ ଅନ୍‌ଲୋଡିଂ ଖର୍ଚ୍ଚ ବୃଦ୍ଧି ପାଇଁ ଆଳୁଦର ସାମାନ୍ୟ ଉଚ୍ଚା ହୋଇଛି। କିନ୍ତୁ ଖୁଚୁରା ବଜାର ପ୍ରତି ରାଜ୍ୟ ଯୋଗାଣ ବିଭାଗ ସତର୍କ ନ ରହିଲେ, ଖାଉଟିମାନେ ଶୋଷଣର ଶିକାର ହେବେ। କୁବେରପୁରୀରେ ଦରବୃଦ୍ଧି ବାହାନାରେ ଗୁଜବ କରି ଖୁଚୁରା ବେପାରୀମାନେ ଖାଉଟିଙ୍କୁ ଶୋଷିବେ। ପାଇକାରୀ ଦର ୧୫ ଶହ ଟଙ୍କାରେ କିଣି ସେମାନେ ଖାଉଟିଙ୍କୁ ୨୫ ଟଙ୍କାରେ ବିକିବା କିଛି ଅସମ୍ଭବ ନୁହେଁ।

ନିୟମ ନ ମାନିବାରୁ ୫ହଜାର ଜରିମାନା
ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ (ଏସ୍‌ଓପି) ପାଳନ କରିନଥିବାରୁ ନିମାପଡ଼ା ସୁଇଟ୍‌ସକୁ ଆଜି ୫ହଜାର ଟଙ୍କାର ଜରିମାନା କରାଯାଇଛି। ଏଥିସହ ବିଏମସି ସ୍କ୍ବାଡ୍‌ ୟୁନିଟ୍‌-୪ ମାର୍କେଟ୍‌ରେ ଚେକିଂ କରିବା ସହ ବ୍ୟବସାୟୀଙ୍କୁ ସଚେତନ କରାଯାଇଛି। ବିଏମ୍‌ସି ସ୍କ୍ବାଡ୍‌ ୟୁନିଟ୍‌-୩ସ୍ଥିତ ପ୍ରିୟା ହୋଟେଲରେ ମଧ୍ୟ ଏସ୍ଓପି ପାଳନ କରାଯାଉଛି ନା ନାହିଁ, ତଦାରଖ କରିଥିଲା।

ସମ୍ବନ୍ଧିତ ଖବର