ଖଣ୍ଡଗିରି: ମାସାଧିକ କାଳ ସବୁଜ ପରିବା ଦରବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରୁଛି। ଏହା ଭିତରେ ୩ ଦିନ ହେଲା ଆଳୁ ଦରବୃଦ୍ଧି ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ହୋଇଛି। ପ୍ରାୟ ସବୁ ପରିବା ଦର ୬୦ ଟଙ୍କା ଉପରେ ରହିଥିବା ବେଳେ ଆଳୁ ଦର ମଧ୍ୟ ପ୍ରତିଯୋଗିତା କଲା ଭଳି ୫୦ ଟଙ୍କା ଛୁଇଁଛି। ଶୁକ୍ରବାର ବହୁ ଜାଗାରେ ଆଳୁ କିଲୋ ୬୦ ଟଙ୍କାରେ ପହଞ୍ଚିଛି। ପଶ୍ଚିମବଙ୍ଗରୁ ଆଳୁ ଆମଦାନି ଠପ୍‌ ହୋଇଯାଇଥିବାରୁ ରାଜ୍ୟରେ ଆଳୁ ସଂକଟ ଦେଖାଦେଇଛି। ଭୁବନେଶ୍ବର କୁବେରପୁରୀ ସମେତ ରାଜ୍ୟର ସମସ୍ତ ପାଇକାରୀ ବେପାରୀଙ୍କ ଗୋଦାମ ଖାଲି ପଡ଼ିଛି। ତେଣୁ ବୁଧବାରଠାରୁ ଖୁଚୁରା ବଜାରରେ ଆଳୁ କିଲୋ ପିଛା ୫୦/୬୦ ଟଙ୍କାରେ ବିକ୍ରି ହେଉଛି। ଆଜି ବଜାର ସ୍ଥିତି ପରଖିବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଇଗିଣିଆ କୁବେରପୁର ପାଇକାର ବଜାର ସହ ଶୀତଳଭଣ୍ଡାର ବୁଲି ଦେଖିଛନ୍ତି। ମନ୍ତ୍ରୀଙ୍କ ପରିଦର୍ଶନ ପରେ ଶୀତଳଭଣ୍ଡାରରୁ କିଛି ପରିମାଣର ଆଳୁ ମାର୍କେଟ୍‌କୁ ଆସିଛି। କିନ୍ତୁ ଖୁଚୁରା ବଜାର ଦର ଅପରିବର୍ତ୍ତିତ ରହିଛି।

Advertisment

ଆଜି ସକାଳୁ ମନ୍ତ୍ରୀ ଶ୍ରୀ ପାତ୍ର ଆଇଗିଣିଆ କୁବେରପୁରୀରେ ପହଞ୍ଚି ସମସ୍ତ ପାଇକାରୀ ଗୋଦାମ ବୁଲିଥିଲେ। କିନ୍ତୁ କୌଣସି ଗୋଦାମରେ ଆଳୁ ନଥିଲା। ତେଣୁ ସେ କୁବେରପୁରୀ ଓ ପାତ୍ରପଡ଼ାସ୍ଥିତ ଶୀତଳଭଣ୍ଡାରକୁ ଯାଇଥିଲେ। ସେଠାରେ ପ୍ରଚୁର ଆଳୁ ମହଜୁଦ ଥିବା ଦେଖିଥିଲେ। ଶୀତଳଭଣ୍ଡାର ମାଲିକଙ୍କ ସହ ଆଲୋଚନା କରିବା ବେଳେ ଦରବୃଦ୍ଧି ପ୍ରସଙ୍ଗ ପଚାରିଥିଲେ। ପଶ୍ଚିମବଙ୍ଗରୁ ୨୨ ଟଙ୍କାରେ କିଣା ହେଉଥିବା ଆଳୁ କିଭଳି ଖୁଚୁରା ବଜାରରେ ୫୦ ଟଙ୍କା ହେଉଛି ବୋଲି ପଚାରି ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ଏହାପରେ ସେ ଗଣମାଧ୍ୟମକୁ ସମ୍ବୋଧିତ କରି ଆଉ ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ଅନ୍ତ ହେବ ବୋଲି କହିଥିଲେ। ପଶ୍ଚିମବଙ୍ଗ ସମସ୍ୟା ସମାଧାନ ନ ହେଲେ, ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟରୁ ଆଳୁ ଆମଦାନି କରାଯିବ ବୋଲି କହିଥିଲେ। ଏଥିସହିତ କୃତ୍ରିମ ଅଭାବ ସୃଷ୍ଟି କରି ଖାଉଟିଙ୍କ ଶୋଷଣ କରୁଥିବା ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ। କୁବେରପୁରୀ ବ୍ୟବସାୟୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ଦୈନିକ ୩ଶହ ଟନ୍‌ରୁ ଅଧିକ ଆଳୁ ଆସୁଥିଲା। ୨ ଦିନ ହେଲା ମାତ୍ର ୧୦ରୁ ୨୦ ଟନ୍‌ ଆସୁଛି। ଶୁକ୍ରବାର ଗୋଟିଏ ହେଲେ ଟ୍ରକ୍‌ ଆସିନାହିଁ। ଆଜି ଶୀତଳଭଣ୍ଡାରରୁ କିଛି ଆଳୁ ବାହାରି ବିକ୍ରି କରାଯାଉଛି। କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ। ଏବେ ପାଇକାରୀ ବେପାରୀମାନେ କେତେ ଦରରେ ବିକୁଛନ୍ତି, ସେନେଇ କିଛି ସ୍ପଷ୍ଟ କରୁନାହାନ୍ତି। ଶୀତଳଭଣ୍ଡାରରୁ ମିଳୁଥିବା ଆଳୁ ଦର କେତେ ଜଣାପଡ଼ୁନାହିଁ। କିନ୍ତୁ ସେମାନଙ୍କଠାରୁ କିଣୁଥିବା ଖୁଚୁରା ବେପାରୀଙ୍କ କହିବା କଥା ୪୦ କେଜି ବିଶିଷ୍ଟ ପ୍ୟାକେଟ୍‌କୁ ୧୭୦୦ରୁ ୧୮୦୦ ଟଙ୍କା ପଡ଼ୁଛି। ତେଣୁ କିଲୋ ପିଛା ୪୨ ଟଙ୍କା ଉପରେ ପଡ଼ୁଛି। ସେହି ହିସାବରେ ଖୁଚୁରା ବଜାର ଦର ୫୦ ଟଙ୍କାରୁ ଅଧିକ ହେବା ସ୍ବାଭାବିକ।

ଏହାକୁ ନେଇ ଖାଉଟି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମନ୍ତ୍ରୀଙ୍କ ପରିଦର୍ଶନ ପରେ ବି ଖୁଚୁରା ବଜାର ଦର ନିୟନ୍ତ୍ରଣକୁ ଆ‌ସିପାରିଲା ନାହିଁ। ଆଜି ରାଜଧାନୀ ସମେତ ଉପକଣ୍ଠ ଅଞ୍ଚଳର ସମସ୍ତ ହାଟ ବଜାରରେ ଆଳୁ କିଲୋ ୫୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହୋଇଛି। ଉପକଣ୍ଠ ଗ୍ରାମାଞ୍ଚଳରେ କିଲୋ ୬୦ ଟଙ୍କା ହୋଇଯାଇଥିବା ଜଣାପଡ଼ିଛି। ଅଥଚ ଶୀତଳଭଣ୍ଡାରରୁ ପାଇକା‌ରୀ ବ୍ୟବସାୟୀମାନେ କେ‌ତେ ଟଙ୍କାରେ କିଣୁଛନ୍ତି, ତାହା ସ୍ପଷ୍ଟ ହେଉନାହିଁ। ପଶ୍ଚିମବଙ୍ଗରୁ ୨୨ଟଙ୍କାରେ କିଣା ହୋଇଥିବା ଆଳୁର ଦର କିଭଳି ଏଠାରେ ୪୨ ଟଙ୍କା ହେଉଛି, ସେନେଇ କିଏ ତଦାରଖ କରିବ ବୋଲି ଖାଉଟିମାନେ ପ୍ରଶ୍ନ କରିଛନ୍ତି। ଏହା ଭିତରେ ପାଇକାରୀ ବ୍ୟବସାୟୀମାନେ ଯେଉଁ ସୂଚନା ଦେଇଛନ୍ତି, ତାହା ‌ବଡ଼ ଭୟଙ୍କର। ରବିବାର ପୂର୍ବରୁ ଆଳୁ ଆମଦାନି ନ ହେଲେ, ଖୁଚୁରା ବଜାରରେ ଘୋର ଆଳୁ ସଂକଟ ଦେଖାଦେବ ଏବଂ ଆଳୁ କିଲୋ ୧୦୦ ଟଙ୍କା ଛୁଇଁବା ସ୍ଥିତି ଉପୁଜିବା ଅସମ୍ଭବ ନୁହେଁ।