ଭୁବନେଶ୍ବର: ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମୂଲ୍ୟ ଦିନକୁ ଦିନ ବଢ଼ୁଥିବାରୁ ଯୋଗାଣ ବିଭାଗ ଅଧିକ ତତ୍ପରତା ପ୍ରଦର୍ଶନ କରୁଛି। ଦୋକାନୀଙ୍କ ଉପରେ କଡ଼ା ନଜର ରଖିବା ସହ ବିଭିନ୍ନ ସ୍ଥାନରେ ବ୍ୟବସାୟୀଙ୍କୁ ତାଗିଦ୍ କରାଯାଉଛି। ତା’ପରେ ମଧ୍ୟ ଦରରେ କୌଣସି ସୁଧାର ଆସୁନାହିଁ। ବାରମ୍ବାର ତାଗିଦ୍ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ଆଜି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଭୁବନେଶ୍ବରର ହୋଲ୍ସେଲ୍ ମାର୍କେଟ୍ ଭାବେ ପରିଚିତ ୟୁନିଟ୍-୧ ହାଟ ଉପରେ ପୁଣି ଚଢ଼ଉ ହୋଇଥିଲା। ଏକ ଟିମ୍ ୨୫ରୁ ଅଧିକ ଆଳୁ ଦୋକାନ ଉପରେ ଚଢ଼ଉ କରିବା ସହ ୫ଜଣ ବ୍ୟବସାୟୀଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରିଛି। ଚଢ଼ାଉ ସମୟରେ ଦେଖିବାକୁ ମିଳିଥିଲା ଯେ ଦୋକାନଗୁଡ଼ିକ ନେଣଦେଣ ସମୟରେ ରସିଦ ବାବଦରେ ସ୍ବଚ୍ଛତା ଅବଲମ୍ବନ କରୁ ନାହାନ୍ତି। ହୋଲ୍ସେଲ୍ ବ୍ୟବସାୟୀ ନିଜ ପାଖରେ ହଜାରେ କ୍ବିଣ୍ଟାଲ୍ ଆଳୁ ଓ ୫୦ କ୍ବିଣ୍ଟାଲ ପିଆଜ ରଖିପାରିବେ। ଏହାର ସମ୍ପୂର୍ଣ୍ଣ ବିବରଣୀ ବୋର୍ଡରେ ମାରିବେ। ମାତ୍ର ଏଭଳି କରାଯାଉ ନ ଥିବାରୁ ବ୍ୟବସାୟୀମାନଙ୍କୁ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ର ଉତ୍ତର ଦେବାକୁ କୁହାଯାଇଛି। ଯଦି ସେମାନଙ୍କ ଉତ୍ତର ସନ୍ତୋଷଜନକ ନହେବ, ତେବେ ଦଣ୍ଡବିଧାନ କରାଯିବ ବୋଲି ଯୋଗାଣ ବିଭାଗର ଅଧିକାରୀ କହିଛନ୍ତି।
ଖାଉଟିଙ୍କ କାନ୍ଧରୁ ଆଳୁଦରର ବୋଝ ନଯାଉଣୁ ଏବେ ବଜାରରେ ପିଆଜ ଦର ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ଆଜି ସହରର ଅନେକ ସ୍ଥାନରେ ପିଆଜ କେଜି ପିଛା ୫୦ରୁ ୫୫ ଟଙ୍କା ଯାଏଁ ବିକ୍ରି ହେଉଛି। ଏହାଦ୍ବାରା ସାଧାରଣ ଗ୍ରାହକ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଗରିବ ଶ୍ରେଣୀର ଲୋକଙ୍କ କଥା ନକହିବା ଭଲ। ସେମାନେ କେଉଁଭଳି ଭାବେ ପରିବାର ଚଳାଇବେ, ଚିନ୍ତାରେ ପଡ଼ିଛନ୍ତି। ଏ ପ୍ରସଙ୍ଗରେ ଜଣେ ଗୃହିଣୀ ସୁନନ୍ଦା ପୁହାଣ କହନ୍ତି, ‘‘ଏଭଳି ଦରଦାମ ବୃଦ୍ଧିରେ ଘର ଚଳାଇବା କଷ୍ଟକର ହୋଇପଡ଼ିଲାଣି। ନୂଆ ସରକାର ଆସିବା ପରେ ଦର ଟିକିଏ କମିବ ବୋଲି ଆଶା ଥିଲା। ହେଲେ ଏବେ ବିପରୀତ ହେଉଛି...।’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/fshfshshfshfhf.jpg)