ଖଣ୍ଡଗିରି: ଓଡ଼ିଶାକୁ ଆଳୁ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର ରୋକ ଲଗାଇବା ପରେ ରାଜଧାନୀରେ ପୁଣି ଆଳୁ ଅଭାବକୁ ନେଇ ଆତଙ୍କ ଖେଳିଯାଇଛି। ରାଜଧାନୀରେ ଗତକାଲି ୧୦୦ ଟଙ୍କାରେ ୩ କିଲୋ ଆଳୁ ମିଳୁଥିଲା ବେଳେ ଆଜି କିଲୋ ପିଛା ୪୦ଟଙ୍କା ଦେଇ ଗ୍ରାହକମାନେ ଆଳୁ କିଣିଛନ୍ତି। ପଶ୍ଚିମବଙ୍ଗ ସୀମାରେ ଓଡ଼ିଶାକୁ ଆସୁଥିବା ଶତାଧିକ ଆଳୁବୋଝେଇ ଟ୍ରକ୍ ଛିଡ଼ାହୋଇ ରହିଥିଲା ବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆଳୁଦର ବଢ଼ିବାରେ ଲାଗିଛି। ଆଳୁଟ୍ରକ୍ ଅଟକିରହିଥିବା ଖବର ପ୍ରଚାର ହେବାରୁ ଗ୍ରାହକ ମଧ୍ୟ ଆତଙ୍କିତ ହୋଇଯାଇ ବ୍ୟାଗ୍ ଧରି ବଜାରକୁ ଧାଉଁଛନ୍ତି ଏବଂ ଆବଶ୍ୟକତାଠୁ ଅଧିକ ଆଳୁ ବୋହିନେଉଛନ୍ତି। ଅସାଧୁ ବେପାରୀଙ୍କୁ ମଧ୍ୟ ଏହି ସଙ୍କଟ ସୁହାଇଛି। ଗୋଦାମରେ ଆଳୁ ନଥିବା ଆଳ ଦେଖାଇ ଗ୍ରାହକଙ୍କ ପକେଟ୍ କାଟିବାରେ ଅସାଧୁ ବ୍ୟବସାୟୀମାନେ ଲାଗି ପଡ଼ିଛନ୍ତ। କାର୍ତ୍ତିକ ମାସରେ ପରିବା ମହଙ୍ଗାମାଡ଼ରୁ ଖାଉଟି ଆଶ୍ବସ୍ତି ପାଇବା ପୂର୍ବରୁ ପୁଣିଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଅଦୃଶ୍ୟ ମାଡ଼ରେ କଲବଲ ହୋଇଛନ୍ତି।
ଆଜି ଏକ ନମ୍ବର ହାଟରେ ଆଳୁ କେଜି ପିଛା ୩୫ଟଙ୍କା ରହିଥିଲା ବେଳେ ୪ନମ୍ବର ପରିବା ମାର୍କେଟ୍, ରସୁଲଗଡ଼, ପଟିଆ ଅଞ୍ଚଳରେ ଆଳୁ କିଲୋ ୪୦ଟଙ୍କାରେ ବିକ୍ରି ହୋଇଥିବା ଜଣାପଡ଼ିଛି। ଗତମାସ ୨୩ ତାରିଖରେ ବାତ୍ୟା ‘ଦାନା’ ପାଇଁ ଆଳୁଦର ଅହେତୁକ ବୃଦ୍ଧି ପାଇ ୮୦ଟଙ୍କାରେ ପହଞ୍ଚିଥିଲା। ଏବେ ଯଦିଓ ସେଭଳି ପରିସ୍ଥିତି ଉପୁଜିନାହିଁ, ତେବେ ପଶ୍ଚିମବଙ୍ଗରୁ ଏକ ସପ୍ତାହ ମଧ୍ୟରେ ଆଳୁ ନଆସିଲେ ପୁନର୍ବାର ଅନୁରୂପ ଅବସ୍ଥା ସୃଷ୍ଟିହେବାର ଆଶଙ୍କା ରହିଛି। ବର୍ତ୍ତମାନ ଆଳଗୋଦାମ କୁବେରପୁରୀରେ ଆଳୁର ପାଇକାରୀ ମୂଲ୍ୟ କ୍ବିଣ୍ଟାଲ ପିଛା ୨,୬୦୦ରୁ ୨,୮୦୦ ଟଙ୍କା ରହିଛି। ତେବେ ଗଚ୍ଛିତ ଥିବା ଆଳୁ ଶେଷ ହେବାରେ ଲାଗିଛି।
ବୁଧବାର ରାତିରୁ ପଶ୍ଚିମବଙ୍ଗର ବେଲଦାଠାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିବା କାରଣରୁ ଆଳୁଦର ହୁହୁ ହୋଇବଢ଼ିବାରେ ଲାଗିଛି। ଶୀତଳ ଭଣ୍ଡାରରେ ଗଚ୍ଛିତ ଥିବା ଆଳୁ ପ୍ରାୟତଃ ନଥିଲା ବେଳେ ଆଉ ଏକମାସ ପରେ ବଜାରକୁ ନୂଆ ଆଳୁ ଆସିବ। ଏଣୁ ପୁରୁଣା ଆଳୁ ଗଚ୍ଛିତ ରଖାଯାଉନାହିଁ। ପ୍ରତିଦିନ ୧୦ରୁ ୧୫ ଆଳୁ ଗାଡ଼ି ଆସୁଥିଲା ବେଳେ ଆଜି ରାଜଧାନୀକୁ ମାତ୍ର ୫ଟି ଗାଡ଼ି ଆସିଥିବା ଜଣାପଡ଼ିଛି। ଏହି ଗାଡ଼ି ସବୁ ଉତ୍ତରପ୍ରଦେଶରୁ ଆସିଛି। ଏବେ ଆମଦାନୀ ବନ୍ଦ ଥିବାରୁ ଆଳୁ ସଙ୍କଟ ଅଡ଼ୁଆ ବଢ଼ାଇବ। ଏହି ସମୟରେ ପଶ୍ଚିମବଙ୍ଗରୁ ଆଳୁ ନଆସିଲେ ଖାଉଟି ହଇରାଣ ହେବେ। ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ବ୍ୟବସାୟୀ ମହାସଂଘ ଦାବି କରିଛି।
ସମାଧାନ ପାଇଁ ଓଡ଼ିଆ ଅସ୍ମିତା ପରିଷଦର ଦାବି
ଭୁବନେଶ୍ବର: ଗତକାଲି ରାତିରୁ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଟ୍ରକ୍ ଛାଡ଼ୁନାହାନ୍ତି। ଫଳରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ବେଲ୍ଦାଠାରେ ଓଡ଼ିଶା ଅଭିମୁଖେ ଆସୁଥିବା ଶହ ଶହ ଆଳୁ ବୋଝେଇ ଟ୍ରକ୍ ଠିଆ ହୋଇରହିଛି। ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ବନ୍ଦ ହେବା ଖବର ପ୍ରଚାର ହେବା ମାତ୍ରେ ଓଡ଼ିଶାରେ ଆଳୁ ଦର ବଢ଼ିବା ସହିତ କଳାବଜାର ଆଶଙ୍କା ଦେଖାଦେଇଛି। ଏଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ଆଳୁ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିବାକୁ ଓଡ଼ିଆ ଅସ୍ମିତା ପରିଷଦ ଦାବି କରିଛି। ବଜାରରେ ଆଳୁ ଦରକୁ ନିୟନ୍ତ୍ରଣ କରିବା ସହିତ କଳାବଜାରକୁ ରୋକିବା ଲାଗି ପରିଷଦର ଆବାହକ ରବୀନ୍ଦ୍ରନାଥ ବେହେରା ଦାବି କରିଛନ୍ତି। ତୁରନ୍ତ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ କରି ଆଳୁ ସମସ୍ୟାର ସମାଧାନ କରିବାକୁ ସେ ନିବେଦନ କରିଛନ୍ତି। ଏ ପ୍ରକାର ସମସ୍ୟାକୁ ଏଡ଼ାଇବା ପାଇଁ ଓଡ଼ିଶାରେ ଆଳୁଚାଷକୁ ଅଧିକ ଗୁରୁତ୍ୱ ଦେଇ ମିସନ ମୋଡ୍ରେ କାର୍ଯ୍ୟ ଆରମ୍ଭ କରିବାକୁ ପରିଷଦ ଦାବି କରିଛି।