ମହଙ୍ଗା ମାଡ଼ରେ କଲବଲ: ଆକାଶଛୁଆଁ ଆଳୁ, ପିଆଜ, ତେଲ, ଡାଲି

ଭୁବନେଶ୍ବର: କରୋନା ପାଇଁ ବହୁ ସଂସ୍ଥା କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ବହୁ ଲୋକ ଏବେ ବେକାର ହୋଇ ଘରେ ବସିଛନ୍ତି। କେତେକଙ୍କର ଚାକିରି ଥିଲେ ବି ଦରମା ଅଧା ମିଳୁଛି। ବହୁ ଲୋକଙ୍କ ପାଖରେ ଚାକିରି ନାହିଁ କି ପକେଟ୍‌ରେ ଟଙ୍କା ନାହିଁ। ଠିକ୍‌ ଏହି ସମୟରେ ମହଙ୍ଗାମାଡ଼ ଲୋକଙ୍କୁ ତଳିତଳାନ୍ତ କରିଦେଲାଣି। ପେଟକୁ ଦାନା ଦେବାକୁ ବହୁ ଲୋକ ଦିନ ମଜୁରି ଖଟିଲେଣି। ତଥାପି ବି କାମ ମିଳୁନି। କ’ଣ କିଣିବେ, କ’ଣ ଖାଇବେ, କେମିତି ଚଳିବେ,‌ ଚିନ୍ତା ଏବେ ଲୋକଙ୍କୁ ଘାରିଲାଣି। ସରକାରୀ ଯୋଜନାରେ କିଛି ଗରିବ ଶ୍ରେଣୀର ଲୋକ ଚାଉଳ, ଗହମ ପାଇ ଯାଉଛନ୍ତି। ହେଲେ ଭାତ ରାନ୍ଧି ପଖାଳ ଖାଇଲେ ବି ସାଙ୍ଗରେ ଆଳୁ ଚକଟିବାକୁ ବି ଘରେ ଆଳୁ ନାହିଁ। ଆଳୁ ନଥିଲେ ଲଙ୍କା, ଲେମ୍ବୁ ପାଣି କରି ଭାତ ଖାଇ ଦିଅନ୍ତେ। ହେଲେ ଲେମ୍ବୁ, ଲଙ୍କାର ଦାମ୍‌ ଏତେ ହୋଇଛି ଯେ ତାକୁ ବି ବଜାରରୁ କିଣିଲା ବେଳକୁ ବାଧୁଛି।

ଯିଏ ସରକାରୀ ଯୋଜନାରେ ମିଳୁଥିବା ସୁବିଧା ସୁଯୋଗରୁ ବାଦ୍‌ ପଡ଼ିଛନ୍ତି, ପାଖ‌େର ଚାକିରି ନାହିଁ, ସେମାନଙ୍କ ଅବସ୍ଥା ଦୁର୍ବିସହ ହୋଇଗଲାଣି। ଦରମା ପାଉଥିଲେ ବୋଲି ନିମ୍ନ ମଧ୍ୟବିତ୍ତରେ ଗଣତି ହେଉଥିଲେ। ୬ମାସ ହେଲା ଚାକିରି ନାହିଁ କି ଦରମା ନାହିଁ। ସେ ନିମ୍ନ ମଧ୍ୟବିତ୍ତ ଲୋକଟି ଏବେ ଗରିବ ଶ୍ରେଣୀଠୁ ବି ତଳଶ୍ରେଣୀରେ ପହଞ୍ଚିଲାଣି। କେଉଁଠୁ ଧାର ଉଧାର କରି କିଛି ଆଣିଲେ ବି କେତେ ଦିନ ସେଥିରେ ଚଳିଯିବ, ତାହା ନିଜେ ଆକଳନ କରିପାରୁନି। କାରଣ ମହଙ୍ଗା ବଜାର ଏ‌େବ ପେଟର ଭୋକକୁ କେବଳ ମାରିନି, ମୁଣ୍ଡରେ କ୍ଷୁଧାରେ ମରିବାର ଭୟ ପୂରାଇ ଦେଇଛି। ସରକାର ପୂରା ପଙ୍ଗୁ ପାଲଟି ଯାଇଛନ୍ତି। ବଜାର ବ୍ୟବସ୍ଥାକୁ ସୁଧାରିବା ବଦଳରେ ହାତ ଟେକି ବସି ଯାଇଥିବାରୁ ଲୋକ ଏବେ ହନ୍ତସନ୍ତ ହେଲେଣି। ହଠାତ୍‌ ବଜାରଦର ବଢ଼ିବା ଲୋକଙ୍କୁ କିଛି କିଣିକି ଖାଇବା ପୂର୍ବରୁ ୧୦ଥର ଭାବିବାକୁ ବାଧ୍ୟ କରୁଛି। ମଧ୍ୟବିତ୍ତ ଲୋକ ତ କେଉଁଦିନ ପଖାଳ ଖାଇବେ, କେଉଁଦିନ ଭାତ ସଙ୍ଗେ ଡାଲି ଖାଇବେ ‌ତା’ର ମେନୁ କଲେଣି। ଆଳୁ କିଣିଲେ ତାକୁ ସିଝେଇକି ଖାଇବେ କି ଭାଜିକି ଖାଇବେ, ତାହା ବି ଭାବିବାକୁ ପଡ଼ୁଛି। ମହଙ୍ଗା ବଜାର ଏମିତି କଲବଲ କଲାଣି ଯେ ଲୋକ ହାଟ, ବଜାରକୁ ଗଲେ ୧୦ଟା ଦୋକାନରେ ମୂଲ ପଚାରୁଛନ୍ତି। କେଉଁଠି ଦୁଇ ଚାରି ଟଙ୍କା କମ୍‌ ମିଳିବ ତାହା ଖୋଜୁଛନ୍ତି।

ସେପ୍ଟେମ୍ବର ମାସରେ ସାଧାରଣ ଲୋକଟିଏ କିଣୁଥିବା ହରଡ଼ ଡାଲି କେଜି ଥିଲା ୯୫ଟଙ୍କା। ଆଜିକା ଦିନରେ ହରଡ଼ ଡାଲି କେଜି ୧୧୦ରୁ ୧୨୦ଟଙ୍କା। ରିଫାଇନ୍‌ ଲିଟର ଥିଲା ୧୧୦ଟଙ୍କା। ଏବେ ୧୨୫ରୁ ୧୩୦ଟଙ୍କା। ସୋରିଷ ତେଲ ଥିଲା ୧୧୫ରୁ ୧୨୫ଟଙ୍କା। ଏବେ ୧୪୦ରୁ ୧୫୫ଟଙ୍କା। ଯେଉଁ ଚାଉଳ କେଜି ୩୫ଟଙ୍କା ଥିଲା ଏବେ ତାହା ୩୮ଟଙ୍କା। ଏମିତି କୌଣସି ସଉଦା ସାମଗ୍ରୀ ନାହିଁ, ଯାହାର ବଜାର ଦାମ୍‌ ଗତ ମାସକ ମଧ୍ୟରେ ବଢ଼ିନି। ଖାଲି ସଉଦା ବଢ଼ିନି। ଆଳୁ କେଜି ଆଜିକା ଦିନରେ ୩୫ଟଙ୍କା, ପିଆଜ କେଜି କେଉଁଠି ୫୦ ତ କେଉଁଠି ୫୬ଟଙ୍କା, ଧନିଆପତ୍ର ବିଡା ୨୦ଟଙ୍କାରୁ କମ୍‌ ନାହିଁ, ବାଇଗଣ, ପୋଟଳ, ଝୁଡଙ୍ଗ, କଲରା କେଜି ୬୦ରୁ କମ୍‌ ନାହିଁ। ଲଙ୍କା ୫୦ଗ୍ରାମ୍‌ କୁ ୧୦ଟଙ୍କା। ଲେମ୍ବୁ ଦୁଇଟାକୁ ୧୦ଟଙ୍କା। ବଜାର ଦର ଗତ ମାସକ ମଧ୍ୟରେ ଏମିତି ହୁ’ ହୁ’ ହୋଇ ବଢ଼ିଯାଇଛି ଯେ ଲୋକ କ’ଣ ଖାଇବେ ଜାଣି ପାରୁନାହାନ୍ତି। ହଁ ଟମାଟୋ ଦର ୬୦ଟଙ୍କାରୁ କମି ୪୦ଟଙ୍କାରେ ପହଞ୍ଚିଛି। ହେଲେ ଯାହା ପାଖରେ ଆଳୁ କିଣିବାକୁ ଟଙ୍କା ନାହିଁ ସେ ଟମାଟୋ କିଣି କ’ଣ କରିବ। ଟମାଟୋ କେଜି ୪୦ ହେଉ କି ୬୦; ତା’ର କ’ଣ ଯାଏ।

ସମ୍ବନ୍ଧିତ ଖବର