ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଦେଖା ଦେବା ପରେ କଳାବଜାରୀ ଆରମ୍ଭ ହୋଇଛି। କେତେକ ଅସାଧୁ ବେପାରୀ ହଠାତ୍‌ ଦର ବଢ଼ାଇ ଦେବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। କଳାବଜାରୀ ଓ ଚଢ଼ା ଦର ବିକ୍ରି ବନ୍ଦ ନେଇ ଭୁବନେଶ୍ବରର ବିଭିନ୍ନ ବଜାରରେ ଆଜି ଯୋଗାଣ ବିଭାଗ ଚଢ଼ଉ କରିଛି। ଚଢ଼ା ଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆସିବା ପରେ ବିଭାଗର ୩ଟି ଟିମ୍‌ ୟୁନିଟ୍‌-୪ ହାଟ, ଆଇଗଣିଆ ଆଳୁ ଗୋଦାମ ଓ ୟୁନିଟ୍‌-୧ ହାଟରେ ଚଢ଼ଉ ହୋଇଛି।

Advertisment

ଆଳୁ କିଲୋ ପିଛା ୪୦ ଟଙ୍କାରୁ ଅଧିକ ଦରରେ ନ ବିକିବା ପାଇଁ ତାଗିଦ କରିବା ସହ ୩ ଜଣଙ୍କୁ ବ୍ୟବସାୟୀଙ୍କୁ ନୋଟିସ୍‌ କରାଯାଇଛି। ଆଳୁ କିଣାଦର ଠାରୁ ମାତ୍ର ୩ରୁ ୪ ଟଙ୍କା ଲାଭ ରଖି ଅର୍ଥାତ ୪୦ ଟଙ୍କାରୁ ଅଧିକ ଦରରେ ଆଳୁ ବିକ୍ରି ନକରିବା ପାଇଁ ବ୍ୟବସାୟୀମାନଙ୍କୁ କୁହାଯାଇଛି। ବେପାରୀଙ୍କ ଅଭିଯୋଗ ହେଉଛି, ଗୋଦାମରୁ ଅଧିକ ଦରରେ କିଣୁଥିବାରୁ ଅଧିକ ଦରରେ ବିକ୍ରି କରିବାକୁ ହେଉଛି। ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି, ‘କେତେ ଆଳୁ ଆଣୁଛନ୍ତି ଓ ଯେଉଁ ଆଳୁ କିଣୁଛନ୍ତି ତାର ବିଲ୍‌ ଯଦି ବ୍ୟବସାୟୀମାନେ ଦେଖାଇ ପାରୁନାହାନ୍ତି, ସେମାନଙ୍କୁ ନୋଟିସ କରାଯାଉଛି। ବ୍ୟବସାୟୀମାନେ ଗୋଦାମରୁ ୩୫ ରୁ ୩୬ ଟଙ୍କାରେ ଆଳୁ କିଣୁଛନ୍ତି। କିଗ୍ରା ପ୍ରତି ୪୦ ଟଙ୍କାରୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ସେମାନଙ୍କୁ କୁହାଯାଇଛି। ସରକାରୀ ପ୍ରକ୍ରିୟା ଅନୁସାରେ ଆଳୁ ଦୋକାନଗୁଡ଼ିକରେ ଯାଞ୍ଚ କରାଯାଉଛି।