ବାଲିପାଟଣାରେ ସନ୍ଧ୍ୟାରେ ୪ଘଣ୍ଟା ବିଦ୍ୟୁତ୍‌ କାଟ

୨୦ଦିନ ରହିଲା ମାଟ୍ରିକ୍‌ ପରୀକ୍ଷା

ଚିନ୍ତାରେ ମାଟ୍ରିକ୍‌ ପରୀକ୍ଷାର୍ଥୀ, ଅବିଭାବକ

ବାଲିପାଟଣା : ମୁଣ୍ଡ ଉପରେ ମାଟ୍ରିକ୍‌ ପରୀକ୍ଷା, ଛାତ୍ରଛାତ୍ରୀଙ୍କୁ ନିଦ ନାହିଁ। ଟ୍ୟୁସନ୍‌ ସାରଙ୍କଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷ ଓ ଅବିଭାବକ ସମସ୍ତେ ନିଜନିଜ ପିଲାଙ୍କ ପାଠପଢ଼ା ପାଇଁ ବ୍ୟସ୍ତ ବିବ୍ରତ। ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ପାଇଁ ପିଲାମାନେ ବି ନିଜ ପାଠପଢ଼ାରେ ଗୋଟିଏ ମିନିଟ୍‌ ସମୟ ନଷ୍ଟ କରିବାକୁ ଚାହୁ ନାହାନ୍ତି। ଠିକ୍‌ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ବାଲିପାଟଣାରେ ସନ୍ଧ୍ୟା ବେଳେ ୪ ଘଣ୍ଟିଆ ବିଦ୍ୟୁତ୍‌କାଟ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ବାଲିପାଟଣାରେ ଆଜିଠାରୁ ପର୍ଯ୍ୟାୟକ୍ରମେ ସକାଳ ୬ଟାରୁ ଦିନ ୧୦ଟା ଓ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ଆରମ୍ଭ ହୋଇଛି। ସନ୍ଧ୍ୟାବେଳର ବିଦ୍ୟୁତ୍‌କାଟ ହଜାର ହଜାର ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାଠପଢ଼ାକୁ ପ୍ରଭାବିତ କରିଛି। ଏଭଳି ବିଦ୍ୟୁତ୍‌କାଟ ଦିନେ କି ଦୁଇଦିନ ନୁହେଁ, ଏହା ଆଗକୁ ୮ରୁ୧୦ଦିନ ଧରି ଚାଲିବ ବୋଲି ଜଣାପଡ଼ିଛି। ଏହାକୁ ନେଇ ଛାତ୍ରଛାତ୍ରୀ, ଅବିଭାବକ ଓ ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି। ମିଳିଥିବା ସୂଚନା ମୁତାବକ ବାଲିପାଟଣା ବିଦ୍ୟୁତ୍‌ ସବ୍‌ଷ୍ଟେସନ୍‌ର ବାଲିପାଟଣା, ବନମାଳିପୁର ଓ ନରଦା ଫିଡର୍‌ ଏରିଆରେ ସକାଳ, ସନ୍ଧ୍ୟାରେ ୬ ଟାରୁ ୮ଟା ଓ ବୁଦ୍ଧିପଡ଼ା ଫିଡର୍‌ ଏରିଆର ସକାଳ, ସନ୍ଧ୍ୟାରେ ୮ଟାରୁ ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌କାଟ କରାଯାଉଛି। ସନ୍ଧ୍ୟା ସମୟର ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌କାଟ ମାଟ୍ରିକ୍‌ ପରୀକ୍ଷାର୍ଥୀ, ଅବିଭାବକ ଓ ଶିକ୍ଷକଙ୍କୁ ଘୋର ଚିନ୍ତାରେ ପକାଇ ଦେଇଛି। ସନ୍ଧ୍ୟା ସମୟରେ ବିଦ୍ୟୁତ୍‌ ଲୋଡ୍‌ ଅଧିକ ରହୁଥିବାରୁ ଅନ୍ୟ ଗ୍ରିଡ୍‌ରୁ ମଗାଯାଇ ଆସୁଥିବା ବିଦ୍ୟୁତ୍‌ ଲୋଡ୍‌କୁ ନିୟନ୍ତ୍ରଣ କରିବାକୁ ଏଭଳି କରାଯାଉଥିବା ଜଣେ ବିଦ୍ୟୁତ୍‌ ବିଭାଗୀୟ ଅଧିକାରୀ କହିଛନ୍ତି। ସମାସ୍ୟା ସଂପର୍କରେ ବାଲିପାଟଣା ବିଦ୍ୟୁତ୍‌ ବିଭାଗର ଯନ୍ତ୍ରୀ ଶୁଭ୍ରଜିତ୍‌ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଟ୍ରେଲର ଧକ୍କାରେ ଉତ୍ତରା ଛକରେ ଏକ ବଡ଼ ବିଦ୍ୟୁତ୍‌ ଟାଓ୍ଵାର ଭାଙ୍ଗିଯାଇଛି। ଫଳରେ କେଶୁରା ଗ୍ରିଡ୍‌ରୁ ବାଲିପାଟଣାକୁ ବିଦ୍ୟୁତ୍‌ ଯୋଗାଣ ହୋଇପାରୁନାହିଁ। ବାଲିପାଟଣାକୁ ଏବେ ବରଗଡ଼ରୁ ବିଦ୍ୟୁତ୍‌ ଯୋଗାଣ କରାଯାଉଛି। ବରଗଡ଼ ଉପରେ ଅଧିକ ଲୋଡ୍‌ ହୋଇଯାଉଥିବାରୁ ନିୟନ୍ତ୍ରଣର ସହ ବିଦ୍ୟୁତ୍‌ ଯୋଗାଇବାକୁ ପଡ଼ୁଛି। ଫଳରେ ବାଲିପାଟଣା ଅଞ୍ଚଳରେ ସନ୍ଧ୍ୟାରେ ବିଦ୍ୟୁତ୍‌କାଟ କରାଯାଉଛି। ନୂଆ ଟାଓ୍ଵାର ନିର୍ମାଣ ନହେବା ପର୍ଯ୍ୟନ୍ତ ଏପରି ବିଦ୍ୟୁତ କାଟ ହେବ ବୋଲି ସ୍ଥିର ହୋଇଥିବା କଥା ସେ କହିଛନ୍ତି। ପିଲାଙ୍କ ଭାଗ୍ୟ ଭବିଷ୍ୟତ ସହିତ ନଖେଳି ତୁରନ୍ତ ସନ୍ଧ୍ୟା ସମୟରେ ବିଦ୍ୟୁତ୍‌ କାଟ ବନ୍ଦ କରିବାକୁ ଅବିଭାବକମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର