ବିଜୁଳି କାଟ୍‌‌ରେ ଲୋକେ ଅସ୍ତବ୍ୟସ୍ତ

ଫୋନ୍‌ କଲେ କେହି ଉଠାଉ ନାହାନ୍ତି, ଦିନକୁ ୨ରୁ ୪ ଘଣ୍ଟା ବିଜୁଳି ବିଭ୍ରାଟ, କାଳବୈଶାଖୀକୁ ଦାୟୀ କଲେ କର୍ତୃପକ୍ଷ

ଚନ୍ଦ୍ରଶେଖରପୁର : ଅସହ୍ୟ ଗରମ। ଦିନ ୧୦ଟାରୁ ପ୍ରବଳ ଗୁଳୁଗୁଳି ସହ ଗତ କିଛି ଦିନ ହେଲା ଅଘୋଷିତ ବିଜୁଳି କାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲାଣି। କେଉଁ ଅଞ୍ଚଳରେ ଦିନକୁ ଘଣ୍ଟାଏ ତ କେଉଁଠି ଘଣ୍ଟାକୁ ୩ ଥର ଲେଖାଏଁ ବିଜୁଳି କଟୁଛି।

ଏହା କୌଣସି ଗାଁ ଗହଳି କିମ୍ବା ଉପାନ୍ତ ଅଞ୍ଚଳର ବିଦ୍ୟୁତ୍‌ ବ୍ୟବସ୍ଥା ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍‌ ବିଭାଗର ଏଭଳି ବିଫଳତା ପଦାକୁ ଆସିଛି। ଚନ୍ଦ୍ର‌ଶେଖରପୁର, ସତ୍ୟ ବିହାର, ଚନ୍ଦକା ଶିଳ୍ପାଞ୍ଚଳ, ଜୟଦେବ ବିହାର, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, କଳାରାହାଙ୍ଗ, ପଟିଆ, ନୟାପଲ୍ଲୀ, ବମିଖାଲ, ଝାରପଡ଼ା, ବଡ଼ଗଡ଼ ଅଞ୍ଚଳରେ ଦୁଇ ସପ୍ତାହ ହେଲା ଘନ ଘନ ବିଜୁଳି କାଟ୍‌ ଲୋକଙ୍କ ଦୁର୍ଦଶାକୁ ବଢ଼ାଇ ଦେଇଛି। ରାଜଧାନୀ ଉପକଣ୍ଠରେ ଥିବା ଗ୍ରାମାଞ୍ଚଳ ବିଜୁଳି ଯୋଗାଣ ସ୍ଥିତି ଏହାଠାରୁ ଆହୁରି ସାଂଘାତିକ।

କେବଳ ବିଜୁଳି କାଟ୍‌ ହେଉଛି ତା’ ନୁହେଁ, ଲୋ-ଭୋଲଟେଜ୍‌ ବି ଏବେ ସମସ୍ୟା ସୃଷ୍ଟି କରୁଛି। ଦିନ ସମୟରେ ତାତି ସାଙ୍ଗକୁ ଲୋ-ଭୋଲଟେଜ୍‌ ଯୋଗୁଁ ଫ୍ୟାନ୍‌ ଘୂରୁନି। ତାତି‌ରେ ଡହଳ ବିକଳ ହେଉଛନ୍ତି ସହରବାସୀ। ବଡ଼ ବଡ଼ ବିଲଡିଂ, ଆପାର୍ଟମେଣ୍ଟରେ ଦିନ ତମାମ ଏସି ଚାଲୁଥିବାରୁ ଲୋ-ଭୋଲଟେଜ୍‌ ହେଉଥିବା‌ ଲୋକେ ଅଭିଯୋଗ କରିଛନ୍ତି। ରାତି ଅବସ୍ଥା ନ କହିବା ଭଲ। ବସ୍ତି ଅଞ୍ଚଳର ଲୋକେ ଘର ଛାଡ଼ି ବାହାରେ ରାତି କାଟୁଛନ୍ତି।

ରାଜଧାନୀ ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ, ବିଜୁଳି ବିଭ୍ରାଟ କଥା ନ କହିବା ଭଲ। ୧୦ରୁ ୨୦ ମିନିଟ୍‌ ବ୍ୟବଧାନରେ ଘନ ଘନ ବିଜୁଳି କଟୁଛି। ଆଉ ସନ୍ଧ୍ୟାରେ ଗୋଟିଏ ତୁହା ପବନ ହେଲେ ସାରା ରାତି ଅନ୍ଧାର। ଯେତେ ଯାହାକୁ ଫୋନ୍‌ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଫ୍ୟୁଜ୍‌ କଲ୍‌ ନମ୍ବରରେ ‌ଯୋଗାଯୋଗ କଲେ ସେକ୍ସନରେ କେହି କର୍ମଚାରୀ ଉଠାଉ ନାହାନ୍ତି। ଯଦି ବି କୌଣସି ଦିନ ସୌଭାଗ୍ୟବଶତଃ କିଏ ଫୋନ୍‌ ଉଠାଉଛନ୍ତି ତେବେ ତାଙ୍କ ମୁହଁରୁ ଶୁଣିବାକୁ ମିଳୁଛି ଉପରୁ ଲାଇନ୍‌ କଟିଛି। ୨ରୁ ୩ ଘଣ୍ଟା ସମୟ ଲାଗିବ। ଅପେକ୍ଷା କର। ସଜାଡିବାକୁ କର୍ମଚାରୀ ନାହାନ୍ତି। ସକାଳୁ ଠିକ୍‌ ହୋଇଯିବ। ଏମିତି କଥା ଶୁଣିବା ପରେ ଲୋକଙ୍କ ପାଖରେ ଗୁଳୁଗୁଳିରେ ଡହଳବିକଳ ହେବା ଛଡ଼ା ଆଉ କୌଣସି ଉପାୟ ନାହିଁ।

ଏଭଳି ସ୍ଥିତି‌ରେ ଭୁବନେଶ୍ବର ସିଟି ଡିଷ୍ଟ୍ରିବୁସନ ଡିଭିଜନ-୧ ଓ ୨ ଏବଂ ଭୁବନେଶ୍ବର ଇଲେକ୍‌‌ଟ୍ରିକାଲ ଡିଭିଜନରେ କର୍ମଚାରୀ ସଙ୍କଟ ଲାଗିରହିଛି। ସବୁ ସେକ୍ସନରେ ୮ ଘଣ୍ଟା ଡ୍ୟୁଟି କରିବାକୁ କର୍ମଚାରୀ ନାହାନ୍ତି। ଯେଉଁ କର୍ମଚାରୀମାନେ ରହିଛନ୍ତି ଅଧିକ ସମୟ ଡ୍ୟୁଟି କରିବାକୁ ସେମାନଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି। ତେବେ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳୁନି। କିଛି ସ୍ଥାନରେ କର୍ମଚାରୀ ୩ରୁ ୪ ମାସ ହେଲା ଦରମା ପାଉ ନଥିବା ବି ଅଭିଯୋଗ ହେଉଛି।

ସେସୁର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୩ଟି ବିଦ୍ୟୁତ୍‌ ଡିଭିଜନ୍‌ରେ ଏବେ ପ୍ରାୟ ୩ ଲକ୍ଷ ୫୦ ହଜାର ଗ୍ରାହକ ପିକ୍‌ ଲୋଡ୍‌ ସମୟରେ ୩୫୦ରୁ ୩୯୦ ମେଗାୱାଟ୍‌ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି। ଏମାନଙ୍କ ପାଇଁ ସେସୁ ବାର୍ଷିକ ୧୭୫୦ ନିୟୁତ ବିଦ୍ୟୁତ୍‌ ଗ୍ରିଡ୍‌କୋଠାରୁ କ୍ରୟ କରେ। ଲୋକଙ୍କୁ ସେବା ଯୋଗାଇ ଦେବା ପାଇଁ ୪୦ଟି ପ୍ରାଇମେରି ବିଦ୍ୟୁତ୍‌ ଷ୍ଟେସନରେ ବିଭିନ୍ନ କ୍ଷମତାର ୯୦ଟି ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ଟ୍ରା‌ନ୍ସଫର୍ମର ବସାଯାଇଛି। ପ୍ରତିବର୍ଷ ବିଦ୍ୟୁତ୍‌ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବିଦ୍ୟୁତ୍‌ ଚାହିଦା ମଧ୍ୟ ୫ରୁ ୧୦ ପ୍ରତିଶତ ବୃଦ୍ଧି ପାଉଛି। ଚାହିଦା ଦୃଷ୍ଟିରୁ ଟିକିଏ ସମସ୍ୟା ହେଉଛି। ତେବେ ଖରା ଦିନେ କାଳବୈଶାଖୀ ହେଉଥିବାରୁ ବିଦ୍ୟୁତ୍‌ ବିଭ୍ରାଟ ହେଉଥିବା ଅଧିକାରୀ ଜଣକ କହିଛନ୍ତି।

ଖୋଲିଲା କେନ୍ଦ୍ରୀୟ ଗ୍ରାହକ ସେବା କେନ୍ଦ୍ର
ଗ୍ରାହକଙ୍କ ବିଦ୍ୟୁତ୍‌ ସମ୍ବନ୍ଧୀୟ ଅସୁବିଧା ଓ ଅଭିଯୋଗ ଗ୍ରହଣ କରିବା ପାଇଁ ପାୱାର ହାଉସ୍‌ ଛକରେ ଏକ କେନ୍ଦ୍ରୀୟ ଗ୍ରାହକ ସେବା କେନ୍ଦ୍ର ଖୋଲାଯାଇଛି। ‌ସେଠାରେ ଅଭିଯୋଗ କରିବା ପାଇଁ ୧୯୧୨ କିମ୍ବା ୦୬୭୪-୨୩୯୧୧୧୦ ଟେଲିଫୋନ୍‌ ନମ୍ବର ରହିଛି। ଭୁବନେଶ୍ବର ଅଞ୍ଚଳରେ ବିଦ୍ୟୁତ୍‌ ସଂଯୋଗ ଆବେଦନ ପାଇଁ ଗ୍ରାହକ ସେବା କେନ୍ଦ୍ର ଓ ଖଣ୍ଡଗିରିଠାରେ ଥିବା ନୂ୍ଆ ବିଦ୍ୟୁତ୍‌ ସଂଯୋଗ ଆବେଦନ କେନ୍ଦ୍ର ଖୋଲିଛି। ଏଥିସହ ଗ୍ରାହକମାନେ ଚାହିଁଲେ ସେସୁ ମୁଖ୍ୟ କାର୍ଯ୍ୟାଳୟଠାରେ ଦାୟିତ୍ବରେ ଥିବା ଅଭିଯୋଗ ଅଧିକାରୀଙ୍କ ସହ ସାକ୍ଷାତକରି ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇପାରିବେ। ବିଦ୍ୟୁତ୍‌ ଚୋରି ବିଷୟରେ ୯୪୩୭୧୫୮୬୭୦ ଟେଲିଫୋନ୍‌କୁ ଏମ୍‌ଏମ୍‌ଏସ୍‌ କରି ପୁରସ୍କାର ପାଇପାରିବେ।

ସମ୍ବନ୍ଧିତ ଖବର