ଗାଁଠୁ ବି ହିନସ୍ତା ରାଜଧାନୀବାସୀ: ପତ୍ର ହଲିଲେ ବିଦ୍ୟୁତ୍ କାଟ
ବିସିଡିଡି-୨ରେ କଟୁଛି ଘନଘନ, ଉପକଣ୍ଠରେ ଡିବିରି ଭରସା
ଭୁବନେଶ୍ବର : ନାଁକୁ ମାତ୍ର ସ୍ମାର୍ଟ ସିଟି ଭୁବନେଶ୍ବର। ରାଜଧାନୀବାସୀଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ୍ ସେବା ଯୋଗାଇଦେବା ଲାଗି ଏକ ଦଶନ୍ଧି ହେଲା ଯୋଜନା ପରେ ଯୋଜନା ହେଉଛି। କେତେବେଳେ ଅଣ୍ଡରଗ୍ରାଉଣ୍ଡ କେବଲିଂ କଥା କୁହାଯାଉଛି ତ ଆଉ କେତେବେଳେ ସବୁ ପରିବାରକୁ ବିଦ୍ୟୁତ୍ ସେବା ଯୋଗାଇବାକୁ ପ୍ରତିଶ୍ରୁତି ଦିଆଯାଉଛି। ଏତେ ସବୁ ପରେ ବି ୨୦୨୧ରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ସୁନିଶ୍ଚିତ କରାଯାଇ ପାରୁନାହିଁ। ଯେଉଁଥିପାଇଁ ଉପାନ୍ତ ଗାଁଠାରୁ ରାଜଧାନୀର ଅବସ୍ଥା ଏବେ ଅଧିକ ଦୟନୀୟ ହୋଇପଡ଼ିଛି। କେଉଁଦିନ ୨୪ ଘଣ୍ଟା ମଧ୍ୟରେ ୧୦ ମିନିଟ୍, ୨୦ ମିନିଟ୍ କରି ୧୫ ଥର ବିଦ୍ୟୁତ୍ କଟୁଛି; ତ ଆଉ କେଉଁଦିନ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯାଉଛି। ଗ୍ରାହକଙ୍କୁ ଆଗୁଆ ସୂଚନା ମଧ୍ୟ ଦିଆଯାଉନି।
Sambad is now on WhatsApp
Join and get latest news updates delivered to you via WhatsApp
ରସୁଲଗଡ଼,ବଡ଼ଗଡ଼, ପୁରୁଣା ଭୁବନେଶ୍ବର, ଖଣ୍ଡଗିରି, ଚନ୍ଦ୍ରଶେଖରପୁର, ପାଣ୍ଡରା, ଭିମଟାଙ୍ଗୀ, ବାରଙ୍ଗ, ଲକ୍ଷ୍ମୀସାଗର, ନୟାପଲ୍ଲୀ ଆଦି ରାଜଧାନୀର ସବୁ ଅଞ୍ଚଳରେ ଏହି ଗୋଟିଏ ସମସ୍ୟା ଲୋକଙ୍କୁ ହନ୍ତସନ୍ତ କରୁଛି। ଗ୍ରୀଷ୍ମ ଦିନେ ଯାହା ବିଦ୍ୟୁତ୍ କଟୁଥିଲା,ହେଲେ ବର୍ଷା ଦିନ ଆରମ୍ଭ ହେଉଣୁ ବିଦ୍ୟୁତ୍ ବିଭ୍ରାଟ ସହରବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷକରି ସନ୍ଧ୍ୟା ଓ ରାତିରେ ବାରମ୍ବାର ବିଦ୍ୟୁତ୍ ସେବା ବିଚ୍ଛିନ୍ନ ହେବା ଦ୍ବାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଡ଼ବଡ଼ିଆ ବାବୁମାନେ ଇନ୍ଭର୍ଟର କି ଜେନେରେଟରରେ କାମ ଚଳାଇ ଦେଉଛନ୍ତି। ତେଣୁ ସେମାନଙ୍କର ଲାଇନ୍ ଗଲେ କି ରହିଲେ କିଛି ଜଣାପଡ଼ୁନି। ହେଲେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ବର୍ଗର ଗ୍ରାହକମାନେ ହିନସ୍ତା ହେଉଛନ୍ତି।
ଉଦାହରଣ ଭାବେ ଗତକାଲି ରାତିର କଥାକୁ ବିଚାରକୁ ନିଆଯାଇପାରେ। ଅସରାଏ ବର୍ଷା ଓ ଦୁଲୁକାଏ ପବନରେ ସହରର ସମସ୍ତ ସେକ୍ସନରେ ବିଦ୍ୟୁତ୍ ବିଭ୍ରାଟ ହୋଇଗଲା। କେଉଁଠି ଅଧଘଣ୍ଟା କଟିଲା ତ ଆଉ କେଉଁଠି ୮ ଘଣ୍ଟା ଧରି ଲାଇନ୍ର ଦେଖା ମିଳିଲାନି। ଏପରିକି ପହିଲି ମୌସୁମୀ ବର୍ଷାରେ ନାଳନର୍ଦ୍ଦମା ଉଛୁଳି ରାସ୍ତାଘାଟରେ ପାଣିର ସୁଅ ଚାଲିଥିବାବେଳେ ସହରର ଅଧିକାଂଶ ଷ୍ଟ୍ରିଟ୍ ଲାଇଟ୍ ଜଳୁ ନ ଥିଲା। ନିପଟ ମଫସଲ ଭଳି ଲୋକେ ଅନ୍ଧାରରେ ରାସ୍ତା ଅଣ୍ଡାଳି ବିପଦପୂର୍ଣ୍ଣ ରାସ୍ତାରେ ଯିବାଆସିବା କରିଥିଲେ। ବିସିଡିଡି(ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍ ଡିଭିଜନ୍)-୨ ଓ ଭୁବନେଶ୍ବର ଇଲେକ୍ଟ୍ରିକାଲ ଡିଭିଜନ୍(ବିଇଡି) ଅଧୀନରେ ଆସୁଥିବା ସେକ୍ସନଗୁଡ଼ିକରେ ବିଦ୍ୟୁତ୍ ସେବା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା। ଘଣ୍ଟାଘଣ୍ଟା ଧରି ଲାଇନ୍ ନ ଥିବା ବେଳେ ଲୋକେ ଅନ୍ଧାରରେ ରାତି କାଟିଲେ।
ସେହିପରି ସହର ଉପକଣ୍ଠ ପାଣ୍ଡରା, କେଶୁରା, ପଥରଗାଡ଼ିଆ, କଳାରାହାଙ୍ଗ, ଚନ୍ଦକା, କଣ୍ଟାବାଡ଼, ଡେରାସ, ଦାସପୁର, ଅନ୍ଧାରୁଆ, ଝୁମୁକା, ତମାଣ୍ଡୋ, ପାତ୍ରପଡ଼ା, ଧଉଳି, ବାଳକାଟି, ଟଙ୍କପାଣି ରୋଡ ପ୍ରଭୃତି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ଡିବିରି ଆଲୁଅ ହିଁ ଏକମାତ୍ର ଭରସା ପାଲଟିଥିଲା। ଏମିତିକି କେତେକ ସ୍ଥାନରେ ବର୍ଷା ପବନ ହୋଇ ନ ଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ କାଟି ଦିଆଯାଇଥିଲା। ସେକ୍ସନ ଜେଇଙ୍କଠାରୁ ଆରମ୍ଭ କରି ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଅଧିକାଂଶ ଜେଇଙ୍କ ମୋବାଇଲ୍ ନମ୍ବର ବି ସୁଇଜ୍ ଅଫ୍ ଥିଲା।
ସୂଚନା ଅନୁଯାୟୀ ଏବେ ରାଜଧାନୀରେ ୪ ଲକ୍ଷ ୬୫ ହଜାର ୬୭୯ ଗ୍ରାହକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିସିଡିଡି-୨ରେ ସର୍ବାଧିକ ୧ ଲକ୍ଷ ୮୦ ହଜାର ଗ୍ରାହକ ଅଛନ୍ତି। ୩ଟି ଯାକ ଡିଭିଜନ୍ରେ ୩୫ଟି ସେକ୍ସନ, ୯ ଜଣ ଏସ୍ଡିଓ, ୩ ଜଣ ମ୍ୟାନେଜର କାର୍ଯ୍ୟରତ ଅଛନ୍ତି। ବିଇଡିରେ ୩ ଜଣ ଏସ୍ଡିଓ, ୧୧ଟି ସେକ୍ସନ ଜେଇ ରହିଥିବା ବେଳେ ବିସିଡିଡି-୧ ଓ ୨ରେ ୩ ଜଣ ଲେଖାଏଁ ଏସ୍ଡିଓ, ୧୨ ଜଣ ଲେଖାଏ ଜେଇ କାର୍ଯ୍ୟ କରୁଛନ୍ତି। ତା’ପରେ ବି ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ୍ ସେବା ମରାମତି ହୋଇପାରୁ ନ ଥିବା ନଜରକୁ ଆସୁଛି। ଯେଉଁଥିପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଅନ୍ଧାରରେ ରହିବାକୁ ପଡ଼ୁଛି।
ବିଦ୍ୟୁଟ୍ ବିଭ୍ରାଟ ନେଇ ବିସିଡିଡି-୧ର ମ୍ୟାନେଜର ୟୁ ବି ଖାଡେଙ୍ଗା କହିଛନ୍ତି ଯେ ଆମ ଡିଭିଜନ୍ରେ ସେଭଳି ବିଭ୍ରାଟ ହୋଇନି। ଗତକାଲି ବର୍ଷା ପବନ ଓ ବଜ୍ରପାତକୁ ଦୃଷ୍ଟିରେ ରଖି ୧୫ ମିନିଟ୍ ପାଇଁ ବିଦ୍ୟୁତ୍ ସେବା କଟାଯାଇଥିଲା। ନ ହେଲେ ନିୟମିତ ସେବା ଯୋଗାଇ ଦେଉଛୁ।
ବିସିଡିଡି-୨ର ମ୍ୟାନେଜର ଜ୍ଞାନରଞ୍ଜନ ବେହେରା କହିଛନ୍ତି; ଲାଇଟେନିଂ ପାଇଁ ଗତକାଲି ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ବଜ୍ରପାତ ଯୋଗୁଁ କୌଣସି ସ୍ଥାନରେ ତାର ଛିଣ୍ଡି ନ ଥିଲେ ମଧ୍ୟ ବହୁ ସ୍ଥାନରେ ଇନ୍ସ୍ୟୁଲେଟର ଫାଟିଯାଇଥିଲା। ବଜ୍ରପାତକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଥିଲା। ତା’ପରେ ବି କେତେକ ସ୍ଥାନରେ ଫାଟିଛି। କିଛି ସ୍ଥାନରେ ବ୍ରେକ୍ ଡାଉନ୍ ହୋଇଥିଲା। ଜାଣିଶୁଣି କେବେ ବି ବିଦ୍ୟୁତ୍ କଟାଯାଉ ନାହିଁ। ଗତକାଲି କାନନବିହାର, ବାରଙ୍ଗ, ପଟିଆ, କିଟ୍ ଅଞ୍ଚଳ ବଜ୍ରପାତ ଜୋନ୍ରେ ରହିଥିବାରୁ ସମସ୍ୟା ସୃଷ୍ଟି ହୋଇଥିଲା। ଦୁଇରୁ ତିନିଟି ଜାଗାରେ ଟ୍ରାନ୍ସଫର୍ମର ନଷ୍ଟ ହୋଇଥିବାରୁ ତାହାକୁ ମରାମତି କରାଯାଇଛି।
ରସୁଲଗଡ଼, କଳ୍ପନା, ବଡ଼ଗଡ଼, ଲକ୍ଷ୍ମୀସାଗର, ପାଣ୍ଡରା, ହଂସପାଳ ପ୍ରଭୃତି ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍ ବିଭ୍ରାଟ ହେଉଥିବା ନେଇ ବିଇଡି ମ୍ୟାନେଜର ମନୋଜ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ସେ କୌଣସି ଉତ୍ତର ଦେଇ ନ ଥିଲେ।