ଚନ୍ଦ୍ରଶେଖରପୁର: ରାଜଧାନୀର ଅନ୍ୟତମ ପ୍ରମୁଖ ଅଞ୍ଚଳ ଇନ୍ଫୋସିଟିରେ ଆଇଟି କମ୍ପାନିଙ୍କଠାରୁ ଆରମ୍ଭ କରି ୧୫ରୁ ଅଧିକ ଇଞ୍ଜିନିୟରିଂ, ମ୍ୟାନେଜ୍ମେଣ୍ଟ କଲେଜ, ସ୍କୁଲ ରହିଛି। ଏହାସହ ଏଠାରେ ହଜାରରୁ ଅଧିକ ପରିବାର ରହୁଛନ୍ତି। କିନ୍ତୁ ଅଞ୍ଚଳବାସୀଙ୍କ ପାଇଁ ବିଦ୍ୟୁତ୍ ସମସ୍ୟା ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଘନଘନ ବିଦ୍ୟୁତ୍ କାଟ୍ ଯୋଗୁଁ ଲୋକେ ତ୍ରାହିତ୍ରାହି ଡାକୁଛନ୍ତି। ଅଘୋଷିତ ବିଦ୍ୟୁତ୍ କାଟ ଏଠାକାର ନିତିଦିନିଆ ସମସ୍ୟା ହୋଇଥିବା ବେଳେ ଦିନେ ଦିନେ ୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହୁଛି। ଏ ସଂପର୍କରେ ସ୍ଥାନୀୟ ଲୋକେ ଟାଟା ପାୱର ଗ୍ରାହକ ସେବା କେନ୍ଦ୍ରକୁ ବାରମ୍ବାର ଅଭିଯୋଗ କରିବା ସହ ସ୍ଥାନୀୟ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟର କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର କରାଯାଉନାହିଁ। ଆଜି ଅସରାଏ ବର୍ଷାରେ ପାଖାପାଖି ୪ ଘଣ୍ଟା ଧରି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ରହିଥିଲା। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଦଦରା ଟ୍ରାନ୍ସଫର୍ମରରେ ବିଦ୍ୟୁତ୍ ଯୋଗାଣ
ସାମାନ୍ୟ ବର୍ଷାରେ ୪ ଘଣ୍ଟା କଟିଲା
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଇନ୍ଫୋସିଟି ଛକର ଦକ୍ଷିଣ-ପୂର୍ବ କୋଣରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ରହିଛି। ଦୀର୍ଘ ଦିନ ହେଲା ଏହାର ରକ୍ଷଣାବେକ୍ଷଣ ଉଚିତ ଭାବେ କରାଯାଉନାହିଁ। ଫଳରେ ଏହି ଟ୍ରାନ୍ସଫର୍ମର୍ରେ ଯାବତୀୟ ତ୍ରୁଟି ପରିଲକ୍ଷିତ ହୋଇ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି। ଏଠାରୁ ଟଣାଯାଇଥିବା ଏଲ୍ଟି ଲାଇନ୍ର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ବେଳେବେଳେ ରାତି ଅଧରେ ଏହା ଛିଡ଼ି ଯିବାର ନଜରି ମଧ୍ୟ ରହିଛି। ଫଳରେ ଏଲ୍ଟି ଲାଇନ୍ ମାଧ୍ୟମରେ ଯେଉଁ ଗ୍ରାହକମାନଙ୍କୁ ବିଦ୍ୟୁତ ଯୋଗାଣ କରାଯାଇଛି, ସେମାନେ ବାରମ୍ବାର ବିଦ୍ୟୁତ କାଟ୍ର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଅଭିଯୋଗ କେନ୍ଦ୍ରରେ ଅଭିଯୋଗ କଲେ ମଧ୍ୟ ବହୁ ବିଳମ୍ବରେ ସ୍ଥାନୀୟ ଶୈଳଶ୍ରୀବିହାର ବିଦ୍ୟୁତ୍ କାର୍ଯ୍ୟାଳୟ ପକ୍ଷରୁ କାର୍ଯ୍ୟପନ୍ଥା ଗ୍ରହଣ କରାଯାଉଛି। ଅଧିକାଂଶ ସମୟରେ ରାତି ୧୧ଟାରୁ ୩ଟା ମଧ୍ୟରେ ବିଦ୍ୟୁତ୍ କାଟ ହେଉଛି। ଗତ ଶୁକ୍ରବାର ଅପରାହ୍ଣ ୩ଟା ୪୪ରୁ ରାତି ୧ଟା ୨୪ ମଧ୍ୟରେ ୫ଥର ଘଣ୍ଟାକରୁ ଅଧିକ ସମୟ ଲେଖାଏଁ ବିଦ୍ୟୁତ ଯୋଗାଣରେ ବିଭ୍ରାଟ ଦେଖା ଦେଇଥିଲା। ଆଜି ମଧ୍ୟାହ୍ନ ୧୨ଟା ପରେ ସାମାନ୍ୟ ବର୍ଷାରେ ୧୧କେଭି ଲାଇନ୍ରେ ବିଭ୍ରାଟ ଘଟିବାରୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଏହି ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଥିଲା। ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିଭାଗୀୟ ଉଚ୍ଚ ପଦାଧିକାରୀ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗ୍ରାହକମାନେ ଦାବି କରିଛନ୍ତି। ଏ ସଂପର୍କରେ ସ୍ଥାନୀୟ ଜେଇ ଲକ୍ଷ୍ମୀଧର ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳି ନ ଥିଲା।