ଭୁବନେଶ୍ବର: ସୂର୍ଯ୍ୟାଲୋକରୁ ଶକ୍ତି ଉତ୍ପାଦନ ପ୍ରଣାଳୀ ଶିଖିବେ। ଶକ୍ତି ସଂରକ୍ଷଣର ଉପାୟ ଜାଣିବେ। ଏଇ ଉଦ୍ଦେଶ୍ୟ ନେଇ ଖଣ୍ଡଗିରି କୋଳଥିଆ ନିକଟରେ ସ୍ଥାପିତ ହୋଇଥିଲା ଶକ୍ତି ଉଦ୍ୟାନ ତଥା ଏନର୍ଜି ପାର୍କ। ମାତ୍ର ଶକ୍ତି ଉଦ୍ୟାନ ସ୍ବୟଂ ଏବେ ଶକ୍ତିହୀନ। ହକି ବିଶ୍ବକପ୍ ପାଇଁ ପୂରା ସହରକୁ ସୁନ୍ଦର କରିଦେଲେ। ମାତ୍ର ଦୀପ ତଳ ଅନ୍ଧାର ଭଳି ଏହି ଉଦ୍ୟାନକୁ ଭୁଲିଗଲେ। କଳିଙ୍ଗନଗରରେ ବର୍ଜ୍ୟବସ୍ତୁକୁ ନେଇ ଉଦ୍ୟାନ କଲେ। ହେଲେ ଶକ୍ତି ଉଦ୍ୟାନକୁ ବର୍ଜ୍ୟରେ ପରିଣତ କରିଦେଲେ। ୧୦ ଟଙ୍କା ଦେଇ ଆପଣ ଉଦ୍ୟାନ ଭିତରକୁ ତ ଯିବେ, କିନ୍ତୁ ସେଠି କେବଳ ଆପଣଙ୍କୁ ଭଙ୍ଗା ବର୍ଜ୍ୟବସ୍ତୁ ଦେଖି ଲେଉଟିବାକୁ ପଡ଼ିବ। ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡ଼ା) ପକ୍ଷରୁ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ପ୍ରସ୍ତୁତ ହୋଇଥିବା ଏହି ଉଦ୍ୟାନ ୨୦୦୬ ମସିହା ଡିସେମ୍ବର ୧୦ ତାରିଖରେ ଉଦ୍ଘାଟିତ ହୋଇଥିଲା। ମାତ୍ର କିଛି ବର୍ଷ ପରେ ସ୍ଥିତି ବିଗିଡ଼ିଗଲା। କେବେ ହେଲେ ହେଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାରେ ଉଦ୍ୟାନ ତିଷ୍ଠି ପାରିଲା ନାହିଁ। ସଂପ୍ରତି ସ୍ଥିତି ଏମିତି ଯେ, ଆପଣ ଉଦ୍ୟାନ ଭିତରକୁ ପ୍ରବେଶ ମାତ୍ରେ ହିଁ ମନ ମରିଯିବ। ଏମିତି ଗୋଟିଏ ବି ପ୍ରକଳ୍ପ ଦେଖିବାକୁ ମିଳିବନି ଯାହା ଆପଣଙ୍କୁ ଶିକ୍ଷା ଦେବ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରବେଶ ପଥରେ ଏକ ସୋଲାର୍ ବାଇକ୍ ରଖାଯାଇଥିଲା। ଏବେ ପେଟ୍ରୋଲ୍ ଦର ଯାହା, ଭବିଷ୍ୟତ ପିଢ଼ି ସେଇ ସୋଲାର ବାଇକ୍ରୁ ଜ୍ଞାନ ଆହରଣ ପାଇଁ ଏକ ଉତ୍କୃଷ୍ଟ ପ୍ରକଳ୍ପ ଭାବେ ହୁଏତ ସହାୟକ ହୋଇଥା’ନ୍ତା। ମାତ୍ର ତାହା ସମ୍ପୂର୍ଣ୍ଣ ଅକାମି ହୋଇଯାଇଛି। ସ୍ବିଚ୍ ତ ଭାଙ୍ଗିରୁଜି ଯାଇଛି, ପୁଣି ଏମିତି ଅବସ୍ଥାରେ ଅଛି ଯେ, ତା’ ଉପରେ ବସିବା ମାତ୍ରେ ଭାଙ୍ଗିପଡ଼ିବାର ଆଶଙ୍କା ଅଛି। ସ୍ବିମିଂ ପୁଲ୍ରେ ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ସୋଲାର ସ୍ବିମିଂ ପୁଲ୍ ହୋଇଛି। କିନ୍ତୁ ତାହା ଡମ୍ପିଂ ପୁଲ୍ରେ ପରିଣତ ହୋଇଛି। ସେହିଭଳି ସୋଲାର ପାୱାର ପ୍ଲାଣ୍ଟ୍, ସୌର ପମ୍ପ, ପାରାବୋଲିକ୍ ସୌର ଚୁଲା, ବକ୍ସ ଆକୃତି ସୌର ଚୁଲା, ସୋଲାର ଡ୍ରାୟର, ସୋଲାର ୱାଟର ହିଟିଂ ସିଷ୍ଟମ୍, ସୋଲାର ଶକ୍ତି ରଥ ସବୁ ଅଚଳ ହୋଇଯାଇଛି। ପ୍ରକଳ୍ପଗୁଡ଼ିକ ଯଥା ସ୍ଥାନରେ ଅଛି ସତ, କିନ୍ତୁ ଅଦରକାରୀ ଭଳି ପଡ଼ି ରହିଛି। ପ୍ରକଳ୍ପ ସାମ୍ନାରେ ଯେଉଁ ସୂଚନା ଫଳକ ଥିଲା ସେଗୁଡ଼ିକ ବି ଅନ୍ୟସ୍ଥାନରେ ଅଦରକାରୀ ବର୍ଜ୍ୟବସ୍ତୁ ଭଳି ପଡ଼ି ରହିଛି। ଏହା ବ୍ୟତୀତ ଉଦ୍ୟାନ ମଧ୍ୟରେ ସୂର୍ଯ୍ୟଙ୍କ ପ୍ରତିନାମରେ ଉର୍ଜା, ଓରିଆନା, ଆଦିତ୍ୟ, ମିତ୍ର, ଭାସ୍କର, ଇଶ୍ବାନ୍ ଭଳି ଆକ୍ଟିଭିଟି ଜୋନ୍ ରହିଛି। ସେଗୁଡ଼ିକ ମଧ୍ୟ ଅକ୍ଷମ ହୋଇଯାଇଛି।
ଶକ୍ତି ସଂରକ୍ଷଣ ଶିଖଉଛନ୍ତି, ଏଣେ ବିଦ୍ୟୁତ ପାଇଁ ଦେୟ ଗଣୁଛନ୍ତି
ସବୁଠୁ ବଡ଼ ବିଡ଼ମ୍ବନା ଏହି ଯେ, ଉତ୍ପାଦନ ଓ ସଂରକ୍ଷଣର ବାର୍ତା ବାଣ୍ଟିବାକୁ ଥିବା ଏହି ପାର୍କ ନିଜେ ସରକାରଙ୍କୁ ୪ହଜାର ୫ଶହ ଟଙ୍କାର ବିଦ୍ୟୁତ ଦେୟ ଗଣୁଛି ବୋଲି ଉଦ୍ୟାନରେ କର୍ମରତ ଜଣେ କର୍ମଚାରୀ କହିଛନ୍ତି। ଯଦିଓ ଶକ୍ତି ଉଦ୍ୟାନକୁ ବିଦ୍ୟୁତ ଉତ୍ପାଦନ ପାଇଁ ପରିସରରେ ୩ କିଲୋୱାଟ୍ର ଏକ ସୋଲାର ପ୍ଲାଣ୍ଟ୍ ଅଛି, ମାତ୍ର ତାହା ଅଚଳ ହୋଇଯାଇଛି। ସରକାରଙ୍କର ଏହି ଉଦ୍ୟାନ ପ୍ରତି କେତେ ଦରଦ, ତାହାର ଏହା ହିଁ ଜ୍ବଳନ୍ତ ପ୍ରମାଣ। ଉଦ୍ୟାନର ଏପରି ଅବସ୍ଥା ହେବା ପରେ ଦିନକୁ ଯେଉଁଠି ୨ଶହରୁ ଅଧିକ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଭିଡ଼ ଜମୁଥିଲା ସେଠି ସଂଖ୍ୟା ଦିନେଦିନେ ୨୦ ବି ଛୁଉଁନି। ଟିକେଟ୍ରୁ ଯାହା ଆଦାୟ ହେଉଛି ସେଥିରେ କିଛିକିଛି ମରାମତି କରାଯାଉଥିଲେ ହେଁ ତାହା ଉଦ୍ୟାନକୁ ସଜାଡ଼ି ପାରିନାହିଁ।
ସୋଲାର୍ ସ୍ଲାଇଡ୍ ବି ଅଚଳ
ଶିଶୁଙ୍କ ମନୋରଂଜନ ପାଇଁ ଆଉ ଉଦ୍ୟାନ ପରିସରରେ ସୋଲାର ସ୍ଲାଇଡ୍ ରହିଛି। ଯେଉଁଥିରେ ପିଲା ବସିବା କ୍ଷଣି ତାହା ପିଲାଙ୍କୁ ଉପରୁ ତଳକୁ ଆପେଆପେ ଖସାଇ ଆଣୁଥିଲା। ତେଣୁ ଏଥିରେ ଏତେଟା ଭୟ ରହୁ ନଥିଲା। ସେହିଭଳି ପିଲା ବୁଲିବା ପାଇଁ ଏକ ଚକ୍ରି, ଦୋଳି ଏବଂ ରକର୍ ରହିଥିଲା। ଏଗୁଡ଼ିକ କିନ୍ତୁ ସମ୍ପୂର୍ଣ୍ଣ ମରାମତି ଅଭାବରୁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେହି ସେହି ଖେଳ ସାମଗ୍ରୀ ଉପରେ ଛିଡ଼ା ହେଲେ ତାହା ଏମିତି ବିକଟାଳ ଶବ୍ଦ କରୁଛି ଯେ, ପିଲାଟିଏ ଚଢ଼ିବା ମାତ୍ରେ ଡରିଯିବ।