ଖବର କାଗଜର ମୃତ୍ୟୁ ହୋଇପାରେ, ଖବରର ମୃତ୍ୟୁ ନାହିଁ

ମିଡିଆ ଏକାଡେମିର ବିଂଶତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜିର ଦିନରେ ଖବରକାଗଜ ପ୍ରକାଶନର ମାଧ୍ୟମ କାଗଜ ଓ କାଳି ରହିଛି। ହୁଏତ ଆଗାମୀ ସମୟରେ କାଗଜର ଅଭାବ ଦେଖା ଦେଇପାରେ। ବତ୍ତର୍ମାନ ଚୀନ୍‌ ସରକାର ନିଉଜପ୍ରିଣ୍ଟ ଉତ୍ପାଦନ ବନ୍ଦ କରିଦେବା ଫଳରେ ସମଗ୍ର ବିଶ୍ୱରେ ଖବରକାଗଜ ମୁଦ୍ରଣ ପାଇଁ କାଗଜର ଅଭାବ ଏକ ବଡ଼ ଆହ୍ଵାନ ସୃଷ୍ଟି କରିଛି। କାଗଜ ବିନା ହୁଏତ ଖବରକାଗଜର ମୃତ୍ୟୁ ହୋଇଯାଇପାରେ। ମାତ୍ର ଖବରର ମୃତ୍ୟୁ ନାହିଁ ବୋଲି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

ଆଜି ବୁଦ୍ଧ ମନ୍ଦିର ପରିସରରେ ‘ମିଡିଆ ଏକାଡେମି’ର ବିଂଶତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ‘ଓଡ଼ିଆ ସମ୍ବାଦପତ୍ରର ଭବିଷ୍ୟତ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ ଯେ, ଯେଉଁ ଦିନ ବିନା ବିଜ୍ଞାପନରେ ଖବରକାଗଜ ପ୍ରକାଶ ପାଇବ ଏବଂ ପାଠକ ଖବରକାଗଜର ପ୍ରକୃତ ମୂଲ୍ୟ ଦେଇ କିଣିବେ, ସେହିଦିନ କହିହେବ ସମ୍ବାଦପତ୍ରର ଭବିଷ୍ୟତ ଉଜ୍ୱଳ। ଗୋଟିଏ ଖବରକାଗଜ ଛପା ହେବା ପାଇଁ ଯେତେ ପୁଞ୍ଜି ଖର୍ଚ୍ଚ ହୁଏ, ଏହାର ମାତ୍ର ତିରିଶି ପ୍ରତିଶତ ପ୍ରକାଶନ ସଂସ୍ଥା ପାଇଥାଏ। ଅବଶିଷ୍ଟ ସତୁରି ପ୍ରତିଶତ ବିଜ୍ଞାପନରୁ ଭରଣା ହୋଇଥାଏ। ମାତ୍ର ଯେଉଁଦିନ ପାଠକଟିଏ ଖବର କାଗଜଟିର ପ୍ରକୃତ ମୂଲ୍ୟ ଦେଇ କିଣିବାରେ ଦ୍ୱିଧା ନ କରିବ, ସେବେ ଯାଇ କହି ହେବ ଖବରକାଗଜର ମୃତ୍ୟୁ ନାହିଁ। ଅତୀତରେ ଯେଉଁସବୁ ନୂଆ କଥା ନେଇ ‘ସମ୍ବାଦ’ ଆରମ୍ଭ ହୋଇଥିଲା, ସେସବୁ ଆଜି ପୁରୁଣା ହୋଇଗଲାଣି। ଯେଉଁଭଳି ଭାବେ ବୈଷୟିକ ଜ୍ଞାନକୌଶଳର ଦ୍ରୁତ ବିକାଶ ଘଟୁଛି, ତାହା ଆଗାମୀ ଦିନ ଗଣମାଧ୍ୟମ ଶିଳ୍ପ ପାଇଁ ବଡ଼ ଆହ୍ଵାନ ଓ ସୁଯୋଗ। ଏଥିରୁ ଗଣମାଧ୍ୟମ ଶିଳ୍ପ ଲାଭ ଉଠାଇବା ଜରୁରୀ। ସେହିଭଳି କୌଣସି ସରକାର କେବେ ଚାହାନ୍ତି ନାହିଁ ଗୋଟିଏ ଖବରକାଗଜ ମରିଯାଉ, ଠିକ୍‌ ସେହିପରି କୌଣସି ସରକାର ବି ଚାହାନ୍ତି ନାହିଁ ଏକ ସୁସ୍ଥ ଖବରକାଗଜ ବଞ୍ଚି ରହୁ। ତେବେ ବର୍ତ୍ତମାନ ଖବରକାଗଜ ଶିଳ୍ପକୁ କିଛି ଅଣ ଗଣମାଧ୍ୟମ ସଂସ୍ଥା ଓ ବ୍ୟକ୍ତିଙ୍କ ପ୍ରବେଶ ଆଉ ଏକ ଆହ୍ଵାନ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗଣମାଧ୍ୟମର ଭୂମିକା ପାଇଁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ସମ୍ଭବ ହୋଇପାରିଛି ଏବଂ ଗଣମାଧ୍ୟମ ନିଜ ମାଟିର ବିକାଶ ପାଇଁ କାମ କରିବାକୁ ଆହ୍ଵାନ ଦେଇଥିଲେ। ଯେବେ ଗଣମାଧ୍ୟମ ନିଜ ମାଟି, ସଂସ୍କୃତି, ଐତିହ୍ୟର ବିକାଶ ପାଇଁ କାମ କରିବ, ସେତେବେଳେ ଏହା ବୁଡ଼ିଯିବ ବୋଲି କେହି କହିପାରିବେ ନାହିଁ। ଗଣମାଧ୍ୟମ ଯେଉଁଭଳି ଓଡ଼ିଶାର ଇତିହାସ ସହ ଜଡ଼ିତ ଥିଲା, ଅନୁରୂପ ଭାବେ ଏହା ରାଜ୍ୟର ଭବିଷ୍ୟତ ସହ ମଧ୍ୟ ଜଡ଼ିତ ରହିବ। ଏଣୁ ଏହାର ମୃତ୍ୟୁ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ। ଗଣମାଧ୍ୟମ ଶିଳ୍ପର ବିକାଶ ଏବଂ ଏଥିରେ ନିୟୋଜିତ କର୍ମଚାରୀ, ସାମ୍ବାଦିକଙ୍କ ଉନ୍ନୟନ ନିମନ୍ତେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

ଆଜିର ଏହି ଆଲୋଚନାଚକ୍ରରେ ଅନ୍ୟତମ ଆଲୋଚକ ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ବିମଳେନ୍ଦୁ ମହାନ୍ତି ଯୋଗଦେଇ ଓଡ଼ିଆ ସମ୍ବାଦପତ୍ରର ଭବିଷ୍ୟତ ଉଜ୍ୱଳ ବୋଲି କହିଥିଲେ। ଅତୀତରେ ସମ୍ବାଦପତ୍ର ସ୍ୱାଧୀନତା ଆନ୍ଦୋଳନରେ ନିଜର ଭୂମିକା ତୁଲାଇଥିଲା। ବର୍ତ୍ତମାନ ଏହା ଭାଷା, ସାହିତ୍ୟ, ଐତିହ୍ୟର ସୁରକ୍ଷା ନେଇ କାର୍ଯ୍ୟ କରୁଛି। ‘ସମ୍ବାଦ’ ଏ ଦିଗରେ ଶ୍ରେଷ୍ଠ ଉଦାହରଣ ବୋଲି ଡ. ମହାନ୍ତି କହିଥିଲେ। ଏହି ଅବସରରେ ବରିଷ୍ଠ ସାମ୍ବାଦିକ ଦୁଲାଲ ମିଶ୍ରଙ୍କୁ ମୁଖ୍ୟ ଅତିଥି ‘ମିଡିଆ ଏକାଡେମି ସମ୍ମାନ’ରେ ସମ୍ମାନିତ କରିଥିଲେ। କାର୍ଯ୍ୟକ୍ରମରେ ଏକାଡେମିର ପ୍ରତିଷ୍ଠାତା ସଂପାଦକ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସ ଅଧ୍ୟକ୍ଷତା କରିଥିବା ବେଳେ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏକାଡେମିର ଉପସଭାପତି ପ୍ରଦୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର