ଟଙ୍କପାଣି-ରବି ଟକିଜ୍‌ ରାସ୍ତା : ବିପଦ ସାଜିଛି ମଝି ରାସ୍ତା ବିଦ୍ୟୁତ୍‌ ଖୁଣ୍ଟ

ପ୍ରତିଦିନ ଘଟୁଛି ଦୁର୍ଘଟଣା, ଟଙ୍କା ନେଇ ଚୁପ୍‌ ବସିଛି ଟିପିସିଓଡିଏଲ୍‌

ଭୁବନେଶ୍ବର: ଟଙ୍କପାଣି-ରବି ଟକିଜ୍‌ ରାସ୍ତା ସମସ୍ୟା ସରୁନାହିଁ। ପ୍ରଥମେ ରାସ୍ତା ନିର୍ମାଣକୁ ନେଇ ଦୀର୍ଘ ଦିନ ଧରି ଛକାପଞ୍ଝା ଲାଗି ରହିଲା। ପରେ ପରେ ଖାଲଖମା ରାସ୍ତା ନୂତନ ରାସ୍ତାରେ ପରିଣତ ହେଲା ସତ କିନ୍ତୁ, ଗାଡ଼ି ଚାଳକଙ୍କ ପାଇଁ ଏହି ରାସ୍ତା ଏବେ ନୂଆ ବିପଦ ସୃଷ୍ଟି କରିଛି। ପିଚୁ ରାସ୍ତାର ମଝିରେ ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ରହିଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ରାସ୍ତାରେ ବାଧକ ସାଜିଥିବା ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଟିପିସିଓଡିଏଲ୍‌ ଆଗୁଆ ଟଙ୍କା ଦିଆଯାଇଥିଲେ ହେଁ ଟିପିସିଓଡିଏଲ୍‌ର ସେଭଳି ତତ୍ପରତା ପ୍ରକାଶ ପାଉନି।

ପ୍ରାୟ ଅଢ଼େଇ କୋଟି ଟଙ୍କା ବ୍ୟୟରେ ରବି ଟକିଜ୍‌ଠାରୁ ଟଙ୍କପାଣି ଛକ ପର୍ଯ୍ୟନ୍ତ ରାସ୍ତାର ନବୀକରଣ କରାଯାଉଛି। ରାସ୍ତା ଚଉଡ଼ା କରାଯାଇଥିବାରୁ ପୂର୍ବରୁ ରାସ୍ତାକଡ଼ରେ ଥିବା ବିଦ୍ୟୁତ୍‌ ଖୁଣ୍ଟ ଏବେ ରାସ୍ତା ମଝିକୁ ଚାଲି ଆସିଛି। ତେଣୁ ବିଦ୍ୟୁତ୍‌ ଖୁଣ୍ଟ ଉଠାଇବାକୁ ପୂର୍ତ୍ତ ବିଭାଗ ପକ୍ଷରୁ ଗତ ନଭେମ୍ବରରେ ଟିପିସିଓଡିଏଲ୍‌କୁ ଚିଠି କରାଯିବା ସହ ଏଷ୍ଟିମେଟ୍‌ ମଗାଯାଇଥିଲା। ଏଷ୍ଟିମେଟ୍‌ ‌‌ଦେବାକୁ ଟିପିସିଓଡିଏଲ୍‌କୁ ୪ ମାସ ଲାଗି ଯାଇଥିଲା। ଫେବ୍ରୁଆରି‌ରେ ଏଷ୍ଟିମେଟ୍‌ ମିଳିବା ପରେ ମାର୍ଚ୍ଚ ଦ୍ବିତୀୟ ସପ୍ତାହରେ ସାଇ ମନ୍ଦିର ଛକଠାରୁ କେନାଲ ଛକ ପର୍ଯ୍ୟନ୍ତ ଥିବା ପ୍ରାୟ ୩୦ଟି ବିଦ୍ୟୁତ୍‌ ଖୁଣ୍ଟ ଓ ଗୋଟିଏ ଟ୍ରାନ୍ସଫର୍ମର ଉଠାଇବା ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୮୧ଲକ୍ଷ ୬୯ ହଜାର ୫୫୯ ଟଙ୍କା ପ୍ରଦାନ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ଗୋଟିଏ ବି ଖୁଣ୍ଟ ଉଠା ଯାଇନାହିଁ।

ରବି ଟକିଜ୍‌ ଛକଠାରୁ ଗଙ୍ଗୁଆ କେନାଲ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପ୍ରାୟ ଦେଢ଼ ମାସ ହେବ ସରିଥିଲା। କିନ୍ତୁ ସେଠାରୁ ସାଇମନ୍ଦିର ଛକ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଖୁଣ୍ଟ ଥିବାରୁ କାମ ହୋଇପାରିନଥିଲା। ଫଳରେ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ପ୍ରବଳ ଧୂଳି ଉଡ଼ିବା ଫଳରେ ଏହି ବାଟରେ ଯିବା ଆସିବା କଷ୍ଟକର ହୋଇ ଯାଇଥିଲା। ନିକଟରେ ଥିବା ଦୋକାନୀମାନେ ମଧ୍ୟ ତ୍ରାହି ତ୍ରାହି ଡାକିଥିଲେ। ଫଳରେ ପୂର୍ତ୍ତ ବିଭାଗ ୫ ଦିନ ତଳେ ଏହି ରାସ୍ତାରେ ପିଚୁ ପକାଇ ଦେଇଛି। ତେଣୁ ସ୍ବାଭାବିକ ଭାବେ ଗାଡ଼ି ସବୁ ଦ୍ରୁତଗତିରେ ଯାଉଛି। ରାସ୍ତା ମଝିରେ ଖୁଣ୍ଟ ଥିବାରୁ ସାମାନ୍ୟ ଅନ୍ୟମନସ୍କ ହେଲେ ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ରାସ୍ତାରୁ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର କରିବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର