କନ୍‌ଫରେନ୍ସ ହଲ୍‌ ବେପାରରେ ସୀମିତ ଶକ୍ତି ପାର୍କ: ଗୋଟିଏ ବି ପ୍ରକଳ୍ପ ପ୍ରସ୍ତୁତ ହୋଇନି, କେବଳ ବେପାର ପାଇଁ ଖୋଲିଛି

ଭୁବନେଶ୍ବର: ଦୀର୍ଘ ୫ ବର୍ଷ ଧରି ବନ୍ଦ ପଡ଼ିଥିବା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା)ର ପ୍ରଦର୍ଶନୀ ପ୍ରକଳ୍ପ ବିଜୁ ପଟ୍ଟନାୟକ ଶକ୍ତି ପାର୍କ (ଏନର୍ଜି ପାର୍କ) ଖୋଲିଛି। ପାର୍କକୁ ଯଦିଓ ଏବେ ସାଧାରଣ ଲୋକଙ୍କୁ ବୁଲିବା ପାଇଁ ସୁଯୋଗ ମିଳୁଛି, କିନ୍ତୁ ସୌରଶକ୍ତିକୁ ନେଇ ଯେଉଁସବୁ ପ୍ରକଳ୍ପ ଏହା ଭିତରେ ପ୍ରସ୍ତୁତ ହୋଇଥିଲା ବା ସାଧାରଣ ଲୋକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଯାହା ଦେଖିବା କଥା; ସେସବୁ ଅଚଳ ହୋଇ ପଡ଼ିଛି। ପିଲାଙ୍କ ଖେଳିବା ପାଇଁ ଥିବା ଉପକରଣଗୁଡ଼ିକ ବି ବ୍ୟବହାରଯୋଗ୍ୟ ହୋଇ ରହିନାହିଁ। ଗୋଟିଏ ପଟେ ପାର୍କର ମୂଳ ଉଦ୍ଦେଶ୍ୟ ପୂରଣ ହୋଇନଥିବା ବେଳେ ପାର୍କ ଭିତରେ ଥିବା ଶୀତତାପ ନିୟନ୍ତ୍ରିତ କନ୍‌ଫରେନ୍ସ ହଲ୍‌ର ପୁନରୁଦ୍ଧାର କରାଯାଇଛି। ସେ ହଲ୍‌କୁ ସଭାସମିତି ପାଇଁ ଭଡ଼ାସୂତ୍ରରେ ଦିଆଯାଉଛି। ଏହା ଭିତରେ ଥିବା ସୌରଚାଳିତ ପ୍ରକଳ୍ପ ପ୍ରସ୍ତୁତ ହେବାକୁ ଆଉ ବର୍ଷେ କିମ୍ବା ଅଧିକ ସମୟ ଲାଗିବ। ଏଣୁ ଏହି କନ୍‌ଫରେନ୍ସ ହଲ୍‌ ଭଡ଼ାରେ ଲଗାଇବା ପାଇଁ ହିଁ ଏହି ପାର୍କ ଖୋଲା ଯାଇଥିବା ସ୍ପଷ୍ଟ ହୋଇଛି। ସେଥିପାଇଁ ବୋଧହୁଏ ପୂର୍ବରୁ ଜଣପିଛା ୧୦ଟଙ୍କା ପ୍ରବେଶ ଶୁଳ୍କ ଥିବା ବେଳେ ଏବେ ପ୍ରବେଶ ଦେୟମୁକ୍ତ ରହିଛି।

ଓରେଡା ପକ୍ଷରୁ କୋଳଥିଆରେ ପ୍ରାୟ ୧୦ ହଜାର ବର୍ଗଫୁଟ୍ ଅଞ୍ଚଳରେ ଏହି ପାର୍କ ନିର୍ମାଣ ହୋଇଥିଲା। ୨୦୦୬ ମସିହା ଡିସେମ୍ବର ୧୦ ତାରିଖରେ ଏହା ସର୍ବସାଧାରଣଙ୍କ ପାଇଁ ଉଦ୍‌ଘାଟିତ ହୋଇଥିଲା। ଏହା କୌଣସି ସାଧାରଣ ପାର୍କ ନଥିଲା, ଏହା ଏକ ଶିକ୍ଷାକେନ୍ଦ୍ର ରୂପେ ଗଢ଼ା ଯାଇଥିଲା। ସୌରଶକ୍ତି ବ୍ୟବହାର ବାବଦରେ ଲୋକଙ୍କୁ ସଚେତନ କରାଇବା, ଜ୍ଞାନ ବାଣ୍ଟିବା ଓ ଛାତ୍ରଛାତ୍ରୀମାନଙ୍କୁ ସୌରଶକ୍ତି ବିନିଯୋଗ ଜ୍ଞାନ ପ୍ରଦାନ କରିବା ପାର୍କର ମୂଳଲକ୍ଷ୍ୟ ଥିଲା। ପ୍ରତିବର୍ଷ ଏଠାରେ ଓରେଡା ପକ୍ଷରୁ ଏକ ପ୍ରଦର୍ଶନୀ ଆୟୋଜନ କରାଯାଉଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରୁଥିବା ସୌର ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା କରାଯାଉଥିଲା। ପ୍ରଦର୍ଶନୀରେ ସୌରଶକ୍ତି ପରିଚାଳିତ ଯନ୍ତ୍ର ମଧ୍ୟ ବିକ୍ରି ହେଉଥିଲା। ବିଭିନ୍ନ ସେମିନାର୍ ଆୟୋଜନ କରାଯାଇ ନୂତନ ‌ସୌରଚାଳିତ ଯନ୍ତ୍ର ଉପରେ ଛାତ୍ରଛାତ୍ରୀଙ୍କୁ ବୁଝାଯାଉଥିଲା। ଜଳ ବିଦ୍ୟୁତ ପ୍ରକଳ୍ପ ସହ ସୌରଶକ୍ତିରୁ ବିଦ୍ୟୁତ ଉତ୍ପାଦନ, ସୌରଶକ୍ତିରୁ ରୋଷେଇ ଓ ପାଣି ଗରମ କରିବା, ସୌରଶକ୍ତି ଚାଳିତ ଏକାଧିକ ପ୍ରକଳ୍ପ ଏଠାରେ ରହିଥିଲା।

ଏହି ପ୍ରକଳ୍ପରୁ ଛାତ୍ରଛାତ୍ରୀ ଜ୍ଞାନ ଆହରଣ କରୁଥିଲେ। ଏହା ସହିତ ୱାଟର କିଓସ୍କ, ସୋଲାର୍‌ ଟ୍ରି, ଆଦିତ୍ୟ, ମିତ୍ର, ଉର୍ଜା ସଂଶାଧନ କେନ୍ଦ୍ର, ପ୍ରଦର୍ଶନୀ କେନ୍ଦ୍ର, ସମ୍ମିଳନୀ କକ୍ଷ ଆଦି ରହିଥିଲା। ତା’ ସହିତ ଜଳ ଫୁଆରା, ସ୍ଲାଇଡର୍, ଦୋଳି ଆଦି ଛୋଟପିଲାଙ୍କ ମନୋରଞ୍ଜନ ଉପକରଣ ରହିଥିଲା।
୨୦୧୬ ମସିହା ପର୍ଯ୍ୟନ୍ତ ଏହି ପାର୍କ ଠିକ୍‌ରେ ଚାଲିଥିଲା। ୨୦୧୬ ପର ଠାରୁ ଏଠାରେ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ଖରାପ ହେବାରେ ଲାଗିଲା। ୨୦୧୮ରେ ଫନି ସମୟରେ ଏହି ପାର୍କ ଉଜୁଡ଼ି ଯାଇଥିଲା। ପ୍ରକଳ୍ପସବୁ ଭାଙ୍ଗିବା ସହ ଏଠାରେ ଲାଗିଥିବା ଶତାଧିକ ସୋଲାର ପ୍ୟାନେଲ୍‌ ଉଡ଼ି ଯାଇଥିଲା। କିଛି ବର୍ଷ ସେହି ଅବସ୍ଥାରେ ପଡ଼ି ରହିବା ପରେ ଓରେଡା କର୍ତ୍ତୃପକ୍ଷ ଏହାକୁ ମରାମତି କରିବାକୁ ଯୋଜନା କରିଥିଲେ। ହେଲେ କରୋନା ଆସିବାରୁ ପାର୍କକୁ ସାଧାରଣ ଲୋକଙ୍କ ପାଇଁ ବନ୍ଦ କରାଯାଇଥିଲା। ଏହି କଟକଣା ସମୟରେ ପାର୍କର ପୂର୍ବାବସ୍ଥା ଫେରାଇ ଆଣିବା ପାଇଁ ସ୍ଥିର କରାଯାଇଥିଲା। ପାର୍କ ପୁନରୁଦ୍ଧାର ପାଇଁ ଓରେଡା ସହ ନ୍ୟାସନାଲ୍‌ ଏନ୍‌ଭାଇରନ୍‌ମେଣ୍ଟ ଇଞ୍ଜିନିୟରିଂ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ (ନିରି) ୨୦୧୯ ମସିହାରେ ଏକ ଏମ୍ଓୟୁ ସ୍ୱାକ୍ଷର କରିଥିଲା। ୩ବର୍ଷ ପରେ ଅର୍ଥାତ୍‌ ୨୦୨୨ ମସିହାରେ ଅଗ୍ରିମ ଆକାରରେ ଇଡ୍‌କୋକୁ ୪୦ ଲକ୍ଷ ଟଙ୍କା ଦିଆଯାଇଥିଲା। ୪ ମାସ ମଧ୍ୟରେ ଏହାକୁ ପ୍ରସ୍ତୁତ କରିବାକୁ କଣ୍ଟ ଦିଆଯାଇଥିଲା। କିନ୍ତୁ ଦୁଇବର୍ଷରୁ ଅଧିକ ହେଲା ତାହା ସମ୍ଭବ ହୋଇନାହିଁ। ଇତିମଧ୍ୟରେ ଖାଲି ବେପାର ପାଇଁ କେବଳ ସମ୍ମିଳନୀ କକ୍ଷକୁ ପ୍ରସ୍ତୁତ କରା ଯାଇଛି, ଅନ୍ୟ ପ୍ରକଳ୍ପ ଆଡ଼କୁ ଦୃଷ୍ଟି ମଧ୍ୟ ଦିଆ ଯାଇନାହିଁ।

ସମ୍ବନ୍ଧିତ ଖବର