ପରବର୍ତୀ ପିଢ଼ିଙ୍କ ପାଇଁ ଶକ୍ତି ସଂଚୟ କର: ରାଜ୍ୟପାଳ

ସକ୍ଷମ ୨୦୧୮

ଭୁବନେଶ୍ୱର: ଦେଶର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଶକ୍ତି ବୃଦ୍ଧି ପାଇଁ ଶକ୍ତି ନିତାନ୍ତ ଆବଶ୍ୟକ। ଯେଉଁଭଳି ଆମେ ଶକ୍ତିର ଅପଚୟ କରି ଚାଲିଛେ ଆସନ୍ତା ୨୦୫୦ ମସିହା ବେଳକୁ ଶକ୍ତି ସଂକଟ ଦେଖାଦେବ। ଆସନ୍ତା ପିଢ଼ି ଉପରେ ଏହାର ଗୁରୁତର ପ୍ରଭାବ ଦେଖିବାକୁ ମିଳିବ। ତେଣୁ ମଣିଷ ସ୍ୱାର୍ଥପର ନ ହୋଇ ପରବର୍ତୀ ପିଢ଼ି ପାଇଁ ଶକ୍ତି ସଂଚୟ କରିବା ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି କହିଛନ୍ତି ରାଜ୍ୟପାଳ ଏସ୍‌.ସି ଜମିର। ଆଜି ପିସିଆରଏ ପକ୍ଷରୁ ସକ୍ଷମ ୨୦୧୮ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶ୍ରୀ ଜମିର କହିଲେ, ସହରୀକରଣ ଯୋଗୁଁ ଶକ୍ତିର ବ୍ୟବହାର ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ୨୦୩୦ ମସିହା ବେଳକୁ ଚୀନ୍‌ ଓ ଆମେରିକା ପରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ଶକ୍ତି ବ୍ୟବହାରକାରୀ ଦେଶ ଭାବେ ପରିଗଣିତ ହେବ। ସମୁଦାୟ ବିଶ୍ୱର ୧୭ପ୍ରତିଶତ ଲୋକ ଭାରତରେ ବସବାସ କରୁଥିବା ବେଳେ ମାତ୍ର ୧ ପ୍ରତିଶତ ତେଲ ଭାରତରେ ସଂରକ୍ଷିତ ରହିଛି। ଏଭଳି ପରିସ୍ଥିତିରେ ପରବର୍ତୀ ସମୟରେ ଶକ୍ତିର ବିରାଟ ସଂକଟ ଦେଖାଦେବ। ଶିଳ୍ପ କ୍ଷେତ୍ରରେ ସର୍ବାଧିକ ୪୦ପ୍ରତିଶତ ଶକ୍ତି ବ୍ୟବହୃତ ହୋଇଥାଏ। ଏହି ଆଧାରରେ ଶିଳ୍ପ ବଞ୍ଚିବା ପାଇଁ କୋଇଲାର ଅଧିକ ଆବଶ୍ୟକତା ରହିଛି। ତେଣୁ ୨୦୦୫ ମସିହାରୁ ୨୦୩୦ ମସିହା ବେଳକୁ କୋଇଲାର ବ୍ୟବହାର ୩୦ପ୍ରତିଶତରୁ ବୃଦ୍ଧି ପାଇଁ ୪୧ପ୍ରତିଶତରେ ପହଞ୍ଚିବ। ସେହିପରି ଚୀନ୍‌ ପରେ ଭାରତରେ ପରିବହନ କ୍ଷେତ୍ର ବର୍ଷକୁ ୧୬ପ୍ରତିଶତ ହାରରେ ବୃଦ୍ଧି ପାଉଛି। ପରିବହନ କ୍ଷେତ୍ରରେ ପେଟ୍ରୋଲିୟମ୍‌ ଜାତ ପଦାର୍ଥର ବ୍ୟବହାର ଯୋଗୁଁ ପରିବେଶରେ ବିଷାକ୍ତ ଗ୍ୟାସ୍‌ର ମାତ୍ରା ବୃଦ୍ଧି ପାଉଛି। ତେଣୁ ନିରନ୍ତର ଶକ୍ତିର ଅଧିକ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ। ସୂର୍ଯ୍ୟ ଶକ୍ତିର ବ୍ୟବହାର ଫଳରେ ଉଭୟ ପରିବେଶ ଓ ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ଶ୍ରୀ ଜମିର କହିଥିଲେ।

ଏହି ଅବସରରେ ସିନେ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତା ଶକ୍ତି ସଂରକ୍ଷଣ ନେଇ ଅଡିଟୋରିୟମ୍‌ରେ ଉପସ୍ଥିତ ଥିବା ଦର୍ଶକଙ୍କୁ ଏହାର ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ଆଇଓସି ଏଣ୍ଡ ଏସ୍‌ଏଲସିର ମୁଖ୍ୟ ମହାପ୍ରବନ୍ଧକ ପି. ଭାରତ ତୈଳ ସଂରକ୍ଷଣ ସକ୍ଷମ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡି.କେ ଦେହୁରି ଓ ଏସ୍‌କେ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ବିପିସିଏଲର ରାଜ୍ୟ ମୁଖ୍ୟ ଡି.ପାଲିତ ଧନ୍ୟବାଦ ପ୍ରଦାନ କରିଥିଲେ। ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଓ୍ଵାକାଥନ୍‌ର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର