ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ

ବିଜେବିରେ ୩ ସଭାପତିି ପ୍ରାର୍ଥୀ
ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ସଭାପତି ଓ ଉପସଭାପତି ପଦ ଲାଗି ୩ ଜଣ ଲେଖାଏ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ସାଧାରଣ ସମ୍ପାଦକ ପଦ ପାଇଁ ୭ ଜଣ ନାମାଙ୍କନ ଦାଖଲ କରିଥିବା ବେଳେ ସହ ସାଧରଣ ସମ୍ପାଦକ ପାଇଁ ୩, କ୍ରୀଡ଼ା ସମ୍ପାଦକ ପଦ ଲାଗି ୪, ନାଟ୍ୟ ସମ୍ପାଦକ ୩, ଏସ୍‌ଏସ୍‌ଜିରେ ୨ ଜଣଙ୍କ ସମେତ ଅନ୍ୟ ପଦବିଗୁଡ଼ିକ ପାଇଁ ମଧ୍ୟ ଦୁଇ ଜଣ ଲେଖାଏ ପ୍ରାର୍ଥୀ ରହିଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଠାରେ ତ୍ରିମୁଖୀ ଲଢ଼େଇ ହେବ ବୋଲି ଏବେଠାରୁ ଜଣାପଡ଼ିଛି। ଛାତ୍ର ବି‌େଜଡି ଏଠାରେ ପ୍ରାର୍ଥୀ ଦେଇଥିବା ବେଳେ ସଙ୍ଗଠନର ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ମଧ୍ୟ ପ୍ରା‌ର୍ଥୀ ଦିଆଯାଇଛି। ସେହିପରି ଛାତ୍ର କଂଗ୍ରେସ ଏହି କ୍ୟାମ୍ପସରେ ପ୍ରାର୍ଥୀ ଦେଇଥିବା ଜଣାପଡ଼ିଛି। ତେଣୁ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି। ଆସନ୍ତାକାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବା ପରେ ପ୍ରକୃତ ଚିତ୍ର ପଦାକୁ ଆସିବ।

ରମାଦେବୀରେ ଲଢ଼େଇ
ଭୁବନେଶ୍ବର: ବାଜା, ବାଣ ସାଙ୍ଗକୁୁ ସମ୍ବଲପୁରୀ ବାଦ୍ୟରେ ଆଜି ପ୍ରକମ୍ପିତ ହୋଇ ଉଠିଥିଲା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସ। ପୂର୍ବାହ୍‌ଣ ୯ଟା ହେବା କ୍ଷଣି ପ୍ରାର୍ଥୀମାନେ ସହରର ବିଭିନ୍ନ ସ୍ଥାନରୁ ପଟୁଆରେ ବାହାରି କ୍ୟାମ୍ପସ ଅଭିମୁ‌ଖେ ଆସିଥିଲେ। ପ୍ରାର୍ଥୀଙ୍କ ସମର୍ଥକମାନେ ରଙ୍ଗବତୀ ଗୀତର ତା‌େଳ ତାଳେ ନାଚିବା ସହ ଆଧୁନିକ ଗୀତରେ ଠୁମ୍‌କା ଲଗାଇଥିଲେ। କ୍ୟାମ୍ପସ ପରିବେଶରୁ ସ୍ପଷ୍ଟ ଜଣାପଡ଼ିଯାଉଥିଲା ନିର୍ବାଚନୀ ଉଷ୍ମତା। ଚଳିତବର୍ଷ ଏଠାରେ ସଭାପତି ଓ ସାଧାରଣ ସମ୍ପାଦକ ପଦବି ପାଇଁ ୪ ଜଣ ଲେଖାଏ ନାମାଙ୍କନ ଦାଖଲ କରିଛନ୍ତି। ଅନ୍ୟ ପ୍ରମୁଖ ପଦଗୁଡ଼ିକ ପାଇଁ ଦୁଇ ଜଣ ଲେଖାଏ ନାମାଙ୍କନ ଓ କେତେକ ପଦବି ପାଇଁ ଜଣେ ଲେଖାଏ ନାମାଙ୍କନ ଭରିଥିବା ଜଣାପଡ଼ିଛି। ସଭାପତି ପଦବି ପାଇଁ ଏକାଧିକ ନାମାଙ୍କନ ଦାଖଲ ହୋଇଥିଲେ ମଧ୍ୟ ଏଠାରେ ମୁଖ୍ୟତଃ ଦ୍ବିମୁଖୀ ପ୍ରତି‌େଯାଗିତା ଅନୁଷ୍ଠିତ ହେବ। ଛାତ୍ର ବିଜେଡି ଓ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ସିଧାସଳଖ ଲଢ଼େଇ ହେବ। ଛାତ୍ର ବିିଜେଡି ସମର୍ଥନରେ ସଭାପତି ପଦ ପାଇଁ ସ୍ବୀକୃତି ମିଶ୍ର ଓ ମଧୁସ୍ମିତା ନାୟକ ସାଧାରଣ ସମ୍ପାଦକ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଇପ୍‌ସିତା ତ୍ରିପାଠୀଙ୍କ ନେତୃତ୍ବରେ ସଙ୍ଗଠନ ଏଠାରେ ନିର୍ବାଚନକୁ ଓହ୍ଲାଇଛି। ଉତ୍କଳ ବିଶ୍ବବିଦ୍ୟାଳୟରେ ଏଥର ନିର୍ବାଚନ ହେଉ ନଥିବାରୁ ଏହି କ୍ୟାମ୍ପସ କବ୍‌ଜା କରି ସମ୍ମାନ ରକ୍ଷା କରିବାକୁ ଉଭୟ ଛାତ୍ର ସଙ୍ଗଠନ ଲାଗିପଡ଼ିଛନ୍ତି। ଏଥର ନିର୍ବାଚନରେ ଛାତ୍ର ବିଜେଡି ପକ୍ଷରୁ ଯୁକ୍ତ୩ ଛାତ୍ରୀଙ୍କୁ ସଭାପତି ପ୍ରାର୍ଥୀ କରାଯାଇଥିବା ବେଳେ ଏବିଭିପି ପିଜି ଛାତ୍ରୀଙ୍କୁ ପ୍ରାର୍ଥୀ କରିଛି। ତେଣୁ କଡ଼ା ଟକ୍କର ହେବାର ଆଶଙ୍କା ରହିଛି। ଏପରିକି ୨୦୧୬ ମସିହା ସ୍ଥିତିର ପୁନରାବୃତ୍ତି ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଉକ୍ତ ବର୍ଷ ଛାତ୍ର ବିଜେଡି ଯୁକ୍ତ୩ ଛାତ୍ରୀଙ୍କୁ ସଭାପତି ପ୍ରାର୍ଥୀ କରି କ୍ୟାମ୍ପସରେ ପରାଜୟର ସ୍ବାଦ ଚାଖିଥିଲା। ଏଥର ‌େସଭଳି ଆଶଙ୍କା ରହୁଥିବାରୁ ଗତ ୫ ବର୍ଷ ଧରି ଛାତ୍ର ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟ ଓ ପରାଜିତ ହୋଇଥିବା ପ୍ରାର୍ଥୀମାନେ ଆଜି ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଗତବର୍ଷ ଏବିଭିପି ସମର୍ଥନରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ତନ୍ମୟୀ ହୋତାଙ୍କୁ ଏଥର କ୍ୟାମ୍ପସ‌େର ଦେଖିବାକୁ ମିଳିଥିଲା।

ଶ୍ରୀ ଜୟଦେବ କଲେଜରେ ନିର୍ବାଚନ ବାତିଲ୍‌
ରାଜଧାନୀ ଉପକଣ୍ଠ ନହରକଣ୍ଟାରେ ଥିବା ଜୟଦେବ କଲେଜରେ ନିର୍ବାଚନ ବାତିଲ୍‌ ହୋଇଛି। ଏଠାରେ ତ୍ରିମୁଖୀ ଲଢ଼େଇ ହେବାର ସମ୍ଭାବନା ରହିଥିଲା। ଏହାପୂର୍ବରୁ ଗତକାଲି ରାତିରେ କ୍ୟାମ୍ପସରେ ବୋମା ମାଡ଼ ହେବା ପରେ ସେଠାରେ ଆଜି ସକାଳୁ ନିର୍ବାଚନ ବନ୍ଦ କରାଯାଇଥିଲା। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କ୍ୟାମ୍ପସ ମୁଖ୍ୟ ଫାଟକରେ ତା‌ଲା ପକାଇ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କ୍ୟାମ୍ପସ ସମ୍ମୁଖରେ ଟାୟାର ଜାଳି ବିରୋଧ କରିଥିଲେ। ଛାତ୍ର ବିଜେଡି ଏଠାରେ ହାରିଯିବାର ଭୟ ଥିବାରୁ ଜାଣିଶୁଣି କଲେଜ କର୍ତ୍ତୃପକ୍ଷ ନିର୍ବାଚନ ବାତିଲ୍‌ କରିଛନ୍ତି ବୋଲି ଛାତ୍ରଛାତ୍ରୀ ଅଭି‌େଯାଗ କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ କ୍ୟାମ୍ପସରେ ଉତ୍ତେଜନା ଲାଗିରହିଥିଲେ ମଧ୍ୟ କର୍ତ୍ତୃପକ୍ଷ‌ଙ୍କ ଦେଖା ମିଳି ନଥିଲା।

କ୍ୟାପିଟାଲ ଲ’ କଲେଜରେ ଦୁଇ ଜଣ ସଭାପତି
କ୍ୟାପିଟାଲ ଲ’ କଲେଜର ବିଭିନ୍ନ ପଦବି ପାଇଁ ୨୦ଜଣ ଛାତ୍ରଛାତ୍ରୀ ନାମାଙ୍କନ ଦାଖଲ କରିଛନ୍ତି। ସଭାପତି, ଉପ ସଭାପତି, ସାଧାରଣ ସମ୍ପାଦକ, ସହ ସାଧାରଣ ସମ୍ପାଦକ, ନାଟ୍ୟ ସମ୍ପାଦକ ପରି ପ୍ରମୁଖ ପଦବି ପାଇଁ ୨ଟି ଲେଖାଏ ନାମାଙ୍କନ ଭରିଛନ୍ତି।

ଦେବରାୟ କଲେଜରେ ୨୪ ନାମାଙ୍କନ
ଦେବରାୟ କଲେଜର ବିଭିନ୍ନ ପଦବି ପାଇଁ ୨୪ଟି ନାମାଙ୍କନ ଦାଖଲ ହୋଇଛି। ସଭାପତି ଓ ସାଧାରଣ ସମ୍ପାଦକ ପଦବି ପାଇଁ ୪ ଜଣ ଲେଖାଏଁ ନାମାଙ୍କନ ଦାଖଲ କରିଥିବା ବେଳେ ଉପ ସଭାପତି , ସହ ସାଧାରଣ ସମ୍ପାଦକ ପଦ ଲାଗି ୩ ଟି ଲେଖାଏ ନାମାଙ୍କନ ଦାଖଲ ହୋଇଛି।

କମଳା ନେହେରୁରେ ୧୧ ନାମାଙ୍କନ
କମଳା ନେହେରୁ ମହିଳା ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ବିଜେଡି ଓ ଏବିଭିପି ମଧରେ ସିଧାସଳଖ ଲଢ଼େଇ ହେବ। ଏଠାରେ ମୋଟ ୧୧ଟି ନାମାଙ୍କନ ଦାଖଲ ହୋଇଛି। ସଭାପତି ପାଇଁ ୩ଟି ନାମାଙ୍କନ ଦାଖଲ ହୋଇଥିବା ବେଳେ ସାଧାରଣ ସମ୍ପାଦକ ପାଇଁ ୨, ଉପସଭାପତି ଓ ସହ ସାଧାରଣ ସମ୍ପାଦକ ପାଇଁ ମାତ୍ର ଜଣେ ଲେଖାଏଁ ନାମାଙ୍କନ ଦାଖଲ କରିଛନ୍ତି।

ମହର୍ଷିରେ ୪ ସଭାପତି ପ୍ରାର୍ଥୀ
ମହର୍ଷି କଲେଜ ଅଫ୍ ନାଚୁରାଲ୍ ଲ’ରେ ବିଭିନ୍ନ ପଦବି ଲାଗି ୪୮ ନାମାଙ୍କନ ଦାଖଲ ହୋଇଛି। ନାମାଙ୍କନ ଦାଖଲ ଲାଗି କଲେଜ କର୍ତ୍ତୃପକ୍ଷ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରିଥିଲେ। ସଭାପତି ପାଇଁ ୪ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ବେଳେ ଉପସଭାପତି ପାଇଁ ୩, ସାଧାରଣ ସମ୍ପାଦକ ପାଇଁ ୫, ସହ ସାଧାରଣ ସମ୍ପାଦକ ପାଇଁ ୪ଟି ଲେଖାଏଁ ନାମାଙ୍କନ ପତ୍ର ଦାଖଲ ହୋଇଛି।

ଏକାମ୍ରରେ ପ୍ରଚାର ଜୋରଦାର
ନିର୍ବାଚନ ପାଇଁ ଏକାମ୍ର କଲେଜ କ୍ୟାମ୍ପସରେ ପ୍ରଚାର ଜୋରଦାର ହେଲାଣି। ସଭାପତି ପଦବି ପାଇଁ ଏଠା‌େର ୪ ଜଣ ନାମାଙ୍କନ ଦାଖଲ କରିଛନ୍ତି। ଉପସଭାପତି ପଦ ଲାଗି ୨ଟି ନାମାଙ୍କନ ପଡ଼ିଥିବା ବେଳେ ସାଧାରଣ ସମ୍ପାଦକ ଲାଗି ୪ ଓ ସହ ସାଧାରଣ ସମ୍ପାଦକ ପଦ ପାଇଁ ୩ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗୁରୁବାର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ରାଜଧାନୀ କଲେଜରେ ନିର୍ବାଚନୀ ହି˚ସା
ବୋମାମାଡ଼ ଓ ଉପସ୍ଥାନ ଖାତା ଗାଏବ୍‌!
ଖଣ୍ତଗିରି: ବୁଧବାର ଛାତ୍ର ସ˚ସଦ ନିର୍ବାଚନକୁ ନେଇ ରାଜଧାନୀ କଲେଜରେ ପୁଣି ଅଶାନ୍ତି ଦେଖାଦେଇଛି। ପ୍ରାର୍ଥିପତ୍ର ଦାଖଲ ସୁରୁଖୁରୁରେ ସରିଥିଲେ ବି ଗୋଟିଏ ଛାତ୍ର ଗୋଷ୍ଠୀ ପକ୍ଷରୁ ବୋମାମାଡ଼ କଲେଜ ପରିସରରେ ନିର୍ବାଚନୀ ହି˚ସାର ଉଷ୍ମତାକୁ ବଢ଼ାଇ ଦେଇଛି। ଅନ୍ୟପଟେ ଜଣେ ସଭାପତି ପ୍ରାର୍ଥୀଙ୍କ ଉପସ୍ଥାନ ଖାତା ଗାଏବ୍‌ ହୋଇଯିବାକୁ ନେଇ ଦିନତମାମ ପ୍ରତିପକ୍ଷ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟାରେ ଖଣ୍ତଗିରି ଥାନା ପୁଲିସ ଧାରଣାରତ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଆଜି ପ୍ରାର୍ଥିପତ୍ର ଦାଖଲକୁ ନେଇ ପ୍ରଥମେ କିଛି ଗଣ୍ତଗୋଳ ଘଟିନଥିଲା। କିନ୍ତୁ ଜଣେ ସଭାପତି ପ୍ରାର୍ଥୀଙ୍କ ଉପସ୍ଥାନ ଖାତା ହଜିଯିବା ଘଟଣା ଜଣାପଡ଼ିବା ପରେ ଗଣ୍ତଗୋଳ ଆରମ୍ଭ ହୋଇଥିଲା। ଲିଙ୍ଗ୍‌ଡେ଼ା କମିସନଙ୍କ ସୁପାରିସ୍‌ ଆଧାରରେ ଉକ୍ତ ପ୍ରାର୍ଥୀଙ୍କ ଉପସ୍ଥାନ କମ୍‌ ଥିବାରୁ କଲେଜ କର୍ତ୍ତୃପକ୍ଷ ଜାଣିଶୁଣି ଉପସ୍ଥାନ ଖାତାକୁ ଗାଏବ୍‌ କରିଥିବା ଅଭିଯୋଗ କରି ପ୍ରତିପକ୍ଷ ଛାତ୍ରଗୋଷ୍ଠୀ କଲେଜ କର୍ତ୍ତୃପକ୍ଷଙ୍କ ଜବାବ ଚାହିଁଥିଲେ। ମାତ୍ର ସନ୍ତୋଷଜନକ ଉତ୍ତର ନମିଳିବାରୁ ସେମାନେ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଏତିକିବେଳେ କଲେଜ ପରିସରରେ ଦୁଇଟି ବୋମାମାଡ଼ ହୋଇଥିଲା। ଏଥିରେ ଧାରଣା ଦେଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଧିକ କ୍ରୋଧିତ କରିଥିଲା। ଶାସକ ଦଳର ଚାପରେ କଲେଜ କର୍ତ୍ତୃପକ୍ଷ ଏଭଳି ଚକ୍ରାନ୍ତ କରିଛନ୍ତି ବୋଲି ଧାରଣରତ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ନାରାବାଜି କରିଥିଲେ। ଗଣ୍ତଗୋଳକୁ ଦୃଷ୍ଟିରେ ରଖି ପୁଲିସ ମୁତୟନ ହୋଇଥିଲା। କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରିଥିଲେ ବି କିଛି ଲାଭ ହୋଇନଥିଲା। ଶେଷରେ ରାତି ପ୍ରାୟ ସାଢେ଼ ୭ଟାବେଳକୁ ଏସିପି ପ୍ରାଣବନ୍ଧୁ ରାଉତ ଓ ଆଇଆଇସି ହିମା˚ଶୁ ଭୂଷଣ ସ୍ବାଇଁ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ। ଏ ନେଇ ଫୋନ୍‌ ଯୋଗେ ଯୋଗାଯୋଗ କରାଯାଇଥିଲେ ବି କଲେଜ ଅଧୢକ୍ଷାଙ୍କ ମତାମତ ମିଳିପାରିନାହିଁ।

ସମ୍ବନ୍ଧିତ ଖବର