ଭୁବନେଶ୍ବର: ଭୁବନେଶ୍ବର (ମଧ୍ୟ), ଉତ୍ତର ଓ ଏକାମ୍ର ନିର୍ବାଚନମଣ୍ଡଳୀରେ ଆଜି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ ସ୍ଥାନୀୟ ଅଞ୍ଚଳର ବିଧାୟକଙ୍କ ସମେତ ବହୁ ବିଜେଡି ନେତା, ପୂର୍ବତନ କର୍ପୋରେଟର୍, କର୍ମୀ ଯୋଗ ଦେଇଥିଲେ।
ଏକାମ୍ର ନିର୍ବାଚନ ମଣ୍ଡଳୀ
ଏକାମ୍ର ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବିଜେଡିର ୨୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ବିଜେବି ନଗରସ୍ଥିତ ପାରାମାଉଣ୍ଟ ପଡ଼ିଆ ଠାରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଜେଡି ଶାସନ କାଳରେ ବିକାଶ ସମ୍ପର୍କରେ କହିଥିଲେ। ଏକାମ୍ର ନିର୍ବାଚନମଣ୍ଡଳୀର ବାସୁଆଘାଇ, ଧଉଳି, ଶିଶୁପାଳଗଡ଼, ଇଟିପୁର ପ୍ରଭୃତି ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଯଥା ଦୟା ନଦୀ ବନ୍ଧ ସୁଦୃଢ଼ୀକରଣ, କଟକ-ପୁରୀ ବାଇପାସ୍ ଆଲୋକୀକରଣ, ଧଉଳି ପର୍ଯ୍ୟଟନସ୍ଥଳୀର ବିକାଶ, ଧଉଳି ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ମିସନ ଶକ୍ତି ଗୃହ ସହ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ ଉପରେ ଆଲୋକପାତ କରିଥିଲେ। ବିଭିନ୍ନ ପଞ୍ଚାୟତରେ ବିଜୁ ସ୍ବାସ୍ଥ୍ୟ କାର୍ଡ, ରାସ୍ତା, ଡ୍ରେନ୍, ଆଲୋକୀକରଣ, ଗ୍ରାମ୍ୟ ଜଳ ଯୋଗାଣ କାର୍ଯ୍ୟ ସମ୍ପର୍କରେ ମଧ୍ୟ ସୂଚନା ଦେଇଥିଲେ।
ବିଭିନ୍ନ ୱାର୍ଡ ଓ ପଞ୍ଚାୟତରୁ ଦଳୀୟ କର୍ମୀମାନେ ଶୋଭାଯାତ୍ରାରେ ଆସି ସଭାସ୍ଥଳରେ ପହଞ୍ଚିଥିଲେ। ଏଥିରେ ବହୁ ଦଳୀୟ ପଦାଧିକାରୀ, ପୂର୍ବତନ କର୍ପୋରେଟର, ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ମହିଳାମାନେ ସାମିଲ ହୋଇଥିଲେ।
ମଧ୍ୟ ନିର୍ବାଚନ ମଣ୍ଡଳୀ
ୟୁନିଟ-୮ ଗଜଲକ୍ଷ୍ମୀ ପଡ଼ିଆରେ ଅନୁଷ୍ଠିତ ସମାରୋହରେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ବିଧାୟକ ଅନନ୍ତ ନାରାୟଣ ଜେନା ସଭାପତିତ୍ବ କରିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶାର ଗରିବ, ଖଟିଖିଆ, ଦିନ ମଜୁରିଆ, ମହିଳାମାନଙ୍କ ଆଶା ବିଶ୍ୱାସର ପ୍ରତୀକ ହୋଇପାରିଛି। କରୋନା ମହାମାରୀ ସମୟରେ ସାରା ଦେଶକୁ ଅକ୍ସିଜେନ ଯୋଗାଇ ମୁଖ୍ୟମନ୍ତ୍ରୀ ଉଦାହରଣ ସୃଷ୍ଟି କରିଛନ୍ତି। ମିସନ ଶକ୍ତି ମାଧ୍ୟମରେ ମହିଳାମାନଙ୍କର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ରାଜନୀତି କ୍ଷେତ୍ରରେ ମଧ୍ୟ ମହିଳାମାନେ ମର୍ଯ୍ୟାଦା ପାଇଛନ୍ତି। ବିଏସ୍କେୱାଇ, ଜାଗା ମିସନ, ଉଜ୍ଜ୍ବଳ ଆଲୋକ, ପିଇବା ପାଣି ବ୍ୟବସ୍ଥା ଉପରେ ମଧ୍ୟ ବିଧାୟକ ଶ୍ରୀ ଜେନା ଆଲୋକପାତ କରିଥିଲେ। ସମସ୍ତ ପୂର୍ବତନ କର୍ପୋରେଟର, ଯୁବ ଛାତ୍ର ମହିଳା ସଂଗଠନର ନେତା ଓ ବରିଷ୍ଠ ନାଗରିକମାନେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ପ୍ରାୟ ୪ ହଜାର ଲୋକ ଏହି ସମାରୋହରେ ଯୋଗ ଦେଇଥିଲେ।
ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ
ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ୱରେ ଆଜି ଚନ୍ଦ୍ରଶେଖରପୁର ସ୍ଥିତ କ୍ଲବ ଟାଉନ ପଡ଼ିଆଠାରେ ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ଗରିବ ଜନସାଧାରଣଙ୍କ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଚିନ୍ତା କରି ଆସିଛନ୍ତି ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ କେଶରୀ ଦେବ, ସାଂସଦ ଅମର ପଟ୍ଟନାୟକ, ସାଂସଦ ସସ୍ମିତ ପାତ୍ର, ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ସୁବାସ ଚନ୍ଦ୍ର ପାତ୍ର, ଯୁବନେତା ମିହିର ରାଉତ, ମନୋଜ ସାହୁ, ନିର୍ମଳ ରାଉତ, ଭୁବନେଶ୍ବର ଛାତ୍ର ବିଜେଡି ସଭାପତି ସୁବାସ ସାହୁଙ୍କ ସମେତ ସମସ୍ତ ପୂର୍ବତନ କର୍ପୋରେଟର, ସାଙ୍ଗଠନିକ ପଦାଧିକାରୀ ଓ ଏସଏଚଜିର ମହିଳାମାନେ ଯୋଗ ଦେଇଥିଲେ।