ଦୁବାଇରୁ ଫେରିଲେ ୧୫୧ ପ୍ରବାସୀ, ସାମାଜିକ ଦୂରତାରେ ବାହାରିଲେ

ଭୁବନେଶ୍ବର : ମାର୍ଚ୍ଚ ୨୪ରେ ବିମାନ ସେବା ବନ୍ଦ ହେବା ପରେ ବିଦେଶରୁ ବହୁ ଲୋକ ଫେରି ପାରି ନ ଥିଲେ। ଦୁବାଇରେ ଥିବା ଓଡ଼ିଆ ସମାଜ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଉଦ୍ୟମରେ ଆଜି ୧୫୧ଜଣ ଭୁବନେଶ୍ବର ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ବି ରହିଛନ୍ତି। ଓଡ଼ିଶାର ୧୨ଟି ଜିଲ୍ଲାର ଲୋକ ଆସିଛନ୍ତି। ରାତି ୯ଟା ୧୫ରେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନରେ ଯାତ୍ରୀମାନେ ଭୁବନେଶ୍ବରରେ ପହଞ୍ଚିଥିଲେ। କିପରି ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବ, ସମସ୍ତ ଯାଞ୍ଚ ପ୍ରକ୍ରିୟା ଠିକ୍‌ ଭାବେ ହୋଇପାରିବ, ଯାତ୍ରୀମାନେକିପରି ସୁବିଧାରେ ବାହାରକୁ ଯାଇପାରିବେ ସେଥିପାଇଁ ଆଜି ଅପରାହ୍‌ଣରେ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ, ଡିସିପି ଅନୁପ ସାହୁ, ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ ପ୍ରମୁଖ ବିମାନବନ୍ଦରର ଟର୍ମିନାଲ-୨ ପରିଦର୍ଶନ କରିବା ସହ ସମସ୍ତ ପ୍ରସ୍ତୁତି ଯାଞ୍ଚ କରିଥିଲେ।

ଆଜି ରାତିରେ ବିମାନ ପହଞ୍ଚିବା ପରେ ପ୍ରତି ବ୍ୟାଚ୍‌ରେ ୨୦ଜଣ ଲେଖାଏ ଯାତ୍ରୀଙ୍କୁ ଓହ୍ଲାଯାଇଥିଲା। ସେମାନେ ଧାଡ଼ିରେ ଆସି ଇମିଗ୍ରେସନ୍ କରିଥିଲେ। ଏହିପରି ୭ଟି ବ୍ୟାଚ୍‌ରେ ଯାତ୍ରୀମାନଙ୍କୁ ବିମାନରୁ ଓହ୍ଲା ଯାଇଥିଲା। ଯାତ୍ରୀମାନେ ଯେପରି ସାମାଜିକ ଦୂରତା ରକ୍ଷା କରିବେ ସେଥିପାଇଁ ଟର୍ମିନାଲ ପରିସରରେ ବୃତ୍ତାକାର ଚିହ୍ନ କରାଯାଇଥିଲା।

ସେଠାରେ ଯାତ୍ରୀମାନଙ୍କର ଥର୍ମାଲ୍ ସ୍କ୍ରିନିଂ କରାଯାଇଥିଲା। ଏହାପରେ ନାମ ପଞ୍ଜୀକରଣ କରି ସେମାନଙ୍କ ହାତରେ ସଙ୍ଗରୋଧ ଷ୍ଟାମ୍ପ୍‌ ଲଗାଯାଇଥିଲା। ଯାତ୍ରୀମାନେ ଯେପରି ସୁବିଧାରେ ଘରକୁ ଫେରିପାରିବେ ସେଥିପାଇଁ ୪ଟି ମୋ ବସ୍‌ ବ୍ୟବସ୍ଥା କରାଯାଇଥିଲା। ଏଥିରେ ଯାତ୍ରୀମାନେ ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରର କେତେକ ରୁଟ୍‌ରେ ଯାଇଥିଲେ। ଆଉ କିଛି ଯାତ୍ରୀ ଓଲା, ଉବେର ବୁକିଂ କରି ଯାଇଥିଲେ। ଆସନ୍ତା ୧୯ତାରିଖରେ ଆଉ ଏକ ବିମାନ ଦୁବାଇରୁ ଆସିବ। ମେ ୨୦ରେ କ୍ବାଲାଲମ୍ପୁର ବି ଏକ ବିମାନ ସିଧାସଳଖ ଭୁବନେଶ୍ବରକୁ ଆସିବ। ଅପରପକ୍ଷେ ମେ ୩୦ରେ ଚିକାଗୋରୁ ଏକ ବିମାନ ଭାୟା ଦିଲ୍ଲୀ ହୋଇ ଭୁବନେଶ୍ବର ଆସିବ।ସୂଚନାଯୋଗ୍ୟ ଯେ, ଗତ ୪ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଦେଶରେ ଥିବା ଓଡ଼ିଆଙ୍କୁ ସିଧା ଭୁବନେଶ୍ବର ଆଣିବାକୁ ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର