ଏବେ ଗୋଷ୍ଠୀ ସହଯୋଗ ଲୋଡ଼ିଲେ : ସଙ୍ଗରୋଧ ବ୍ୟକ୍ତିଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ‌ଯୋଗାଇବାକୁ ଆହ୍ବାନ

ଥଣ୍ଡା, କାଶ ହେଲେ ୧୦୪, ୧୯୨୯ ଓ ୧୦୦ରେ ଜଣାଇବେ ପଡ଼ୋଶୀ

ଭୁବନେଶ୍ବର : ଟ୍ରେନ୍‌ ଓ ବିମାନ ସେବା ଆରମ୍ଭ ହୋଇଛି। ଗୋଟିଏ ବିମାନ ଓ ଗୋଟିଏ ଯାତ୍ରୀବାହୀ ଟ୍ରେନ୍‌ ଇତିମଧ୍ୟରେ ଭୁବନେଶ୍ବରରେ ପହଞ୍ଚି ସାରିଛି। ଆଗକୁ ଆହୁରି ଟ୍ରେନ୍‌ ଓ ବିମାନ ଆସିବାକୁ ଥିବାରୁ କମିସନରେଟ୍‌ ପୁଲିସ ଓ ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)ର ନିଦ ହଜିଯାଇଛି। କେତେ ଯାତ୍ରୀ ଆସିବେ? କେଉଁଠୁ ଆସିବେ? ତାହାର ବି ଆକଳନ କରାଯାଇ ପାରିନାହିଁ। ହଜାର ହଜାର ସଂଖ୍ୟାରେ ପ୍ରବାସୀ ଫେରିବା ଲାଗି ପଞ୍ଜୀକରଣ କରିଥିବାରୁ ସେମାନଙ୍କୁ ସଙ୍ଗରୋଧରେ ରଖିବା, ସେମାନଙ୍କ ରହିବା, ଖାଇବା କଥା ବୁଝିବା, ସ୍ବାସ୍ଥ୍ୟ ଯାଞ୍ଚ କରିବା ପ୍ରଶାସନ ପାଇଁ ବଡ଼ ଆହ୍ବାନ ଭାବେ ଉଭ‌ା ହୋଇଛି। କେବଳ ପୁଲିସ କି ବିଏମ୍‌ସି ଚାହିଁଲେ ଏହାର ମୁକାବିଲା କରିପାରିବ ନାହିଁ। ବରଂ ଗୋଷ୍ଠୀ ସହଯୋଗ ଲୋଡ଼ା ବୋଲି ବିଏମସି କମିସନର୍‌ ପ୍ରେମ ଚନ୍ଦ୍ର ଚୌଧରୀ କହିଛନ୍ତି।

ଆଗକୁ ବହୁ ସଂଖ୍ୟାରେ ଲୋକ ଭୁବନେଶ୍ବର ଫେରିବାକୁ ଥିବାରୁ ପ୍ରଶାସନ ଏହାର ମୁକାବିଲା ଲାଗି ଆଜି ପ୍ରସ୍ତୁତି ଆରମ୍ଭ କରିଛି। ଦିନତମାମ ବୈଠକ ପରେ ବୈଠକ ବସିଥିଲା। ବିଏମ୍‌ସି କମିସନର୍‌ଙ୍କ ସମେତ ପୁଲିସ୍‌ କମିସନର୍‌ ଓ ଭୁବନେଶ୍ବର ଡିସିପି ପ୍ରମୁଖ ଯୋଗଦେଇ କରୋନା ମୁକାବିଲାରେ ଗୋଷ୍ଠୀଙ୍କ ସହଯୋଗ ଏକାନ୍ତ ପ୍ରୟୋଜନ ବୋଲି ମତପ୍ରକାଶ କରିଥିଲେ। ପ୍ରାରମ୍ଭିକ ଭାବେ ଭୁବନେଶ୍ୱରର ଦୁଇଟି ଜୋନ୍‌ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଦକ୍ଷିଣ ପଶ୍ଚିମ ଜୋନ୍‌ର ବୈଠକ ଜୟଦେବ ବିହାର ନିକଟ ସେକ୍ଟର-୬ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଧ୍ୟାହ୍ନରେ ଅନୁଷ୍ଠିତ ହୋଇଥିବା ବେଳେ ଉତ୍ତର ଜୋନ୍‌ର ବୈଠକ ଶୈଳଶ୍ରୀବିହାର ଫେଜ୍‌-୨ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅପରାହ୍‌ଣରେ ହୋଇଥିଲା। ଉଭୟ ବୈଠକରେ ୨୫ରୁ ଅଧିକ ଗୋଷ୍ଠୀ ସଦସ୍ୟ ଭାଗ ନେଇ ନିଜ ମତ ରଖିଥିଲେ।

ବିଏମ୍‌ସି ଓ ପୁଲିସ ଅଧିକାରୀମାନେ କହିଥିଲେ ଯେ ଯଦି କୌଣସି ବ୍ୟକ୍ତି କିମ୍ବା ପରିବାର ସଙ୍ଗରୋଧ ଅବସ୍ଥାରେ ଅଛନ୍ତି, ତେବେ ତାଙ୍କୁ ମାନସିକସ୍ତରରେ ସହଯୋଗ କରନ୍ତୁ। ଏ କ୍ଷେତ୍ରରେ ପଡ଼ୋଶୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କୌଣସି ସଙ୍ଗରୋଧ ପରିବାରକୁ ସାମାଜିକ ବାସନ୍ଦ ଭଳି ବ୍ୟବହାର ନ ଦେଖାଇବା ପାଇଁ ବିଏମ୍‌ସି କମିସନର ଅନୁରୋଧ କରିଥିଲେ। ସେମାନଙ୍କୁ ମାନସିକ ସାହସ ଦେବା ସହ ସେମାନଙ୍କ ପାଇଁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ (ଘର ସଉଦା, ପରିବା ଓ ଔଷଧ ଆଦି) ଆଣି ଦେବାରେ ସହଯୋଗ କରନ୍ତୁ। କ୍ୱାରାଣ୍ଟିନ୍‌ରେ ଥିବା ପରିବାର କିପରି ସମୁଦାୟ ୨୮ ଦିନ ପାଇଁ ନିୟମ ମାନି ରହିବେ, ଏହା ଉପରେ ପଡ଼ୋଶୀ, ଆବାସିକ ସଂଘ, ପୂଜା କମିଟି, ବରିଷ୍ଠ ନାଗରିକ ସଂଘ, ସାମାଜିକ ଅନୁଷ୍ଠାନ, ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷ ନଜର ରଖିବାକୁ ଅନୁରୋଧ କରାଯାଇଥିଲା।

ଭୁବନେଶ୍ୱରରେ ଖୋଲା ଯାଇଥିବା କୋଭିଡ୍ ହସ୍ପିଟାଲ, ସଙ୍ଗରୋଧ କେନ୍ଦ୍ର ଓ ଦେୟଯୁକ୍ତ କ୍ୱାରାଣ୍ଟିନ୍‌ ସେଣ୍ଟର୍‌ ବ୍ୟବସ୍ଥା ବାବଦରେ ବୈଠକରେ କୁହାଯାଇଥିଲା। ଏଥିସହ ଟ୍ରାନ୍‌ଜିଟ୍ ସ୍ଥଳୀ ବାବଦରେ ମଧ୍ୟ ସୂଚନା ଦିଆଯାଇଥିଲା। ଯଦି ପାଖ ପଡ଼ୋଶୀରୁ କୌଣସି ବ୍ୟକ୍ତି ବା ପରିବାରରେ କିଛି କରୋନା ଲକ୍ଷଣ (ଥଣ୍ଡା, ସର୍ଦ୍ଦି, କାଶ, ଗଳା ଦରଜ) ଇତ୍ୟାଦି ଦେଖାଦିଏ, ତେବେ ପଡ଼ୋଶୀମାନେ ୧୦୪, ୧୯୨୯ ଓ ୧୦୦କୁ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା। କୌଣସି ପ୍ରକାରର ଅସୁବିଧା କିମ୍ବା ଗଣ୍ଡଗୋଳ ପରିସ୍ଥିତି ଦେଖା ଦେଲେ ସଙ୍ଗେ ସଙ୍ଗେ ପୁଲିସକୁ ଫୋନ୍ ଯୋଗେ ଜଣାଇବାକୁ ଡିସିପି ଅନୁପ କୁମାର ସାହୁ ଅନୁରୋଧ କରିଥିଲେ।

ଦକ୍ଷିଣ ପଶ୍ଚିମ ଜୋନ୍‌ର ଜୟଦେବ ବିହାର ସାଂସ୍କୃତିକ ଉନ୍ନୟନ ପରିଷଦ, ଏନ୍‌-୫ ବିକାଶ ପରିଷଦ, ରାମେଶ୍ୱର ବରିଷ୍ଠ ନାଗରିକ ସଂଘ ଓ ଜଗନ୍ନାଥ ବରିଷ୍ଠ ନାଗରିକ ସଂଘ ଯୋଗ ଦେଇଥିଲେ। ଉତ୍ତର ଜୋନ୍‌ରେ ଶୈଳଶ୍ରୀ ବିହାର, ଜିଏ କୈଳାସ ଆବାସିକ ସଂଘ, ଶୈଳଶ୍ରୀ ବିହାର ଉନ୍ନୟନ ପରିଷଦ, ବରିଷ୍ଠ ନାଗରିକ ସଂଘ, ଶୈଳଶ୍ରୀ ବିହାର ମହିଳା ସଂଘ, ସ୍ଥାନୀୟ ମହିଳା ଏସ୍‌ଏଚ୍‌ଜି, ବସ୍ତି ଉନ୍ନୟନ କମିଟି(ଶ୍ରୀକୃଷ୍ଣ ନଗର, ବଜରଙ୍ଗ କମିଟି ଓ ମହାବୀର ବସ୍ତି) ଯୋଗ ଦେଇଥିଲେ। ଦକ୍ଷିଣ ପଶ୍ଚିମ ଜୋନ୍‌ରୁ ଜେଡିସି ରବି ନାରାୟଣ ଜେଠୀ ଓ ଉତ୍ତର ଜୋନ୍‌ରୁ ଜେଡିସି ପ୍ରମୋଦ କୁମାର ପୃଷ୍ଟି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଦୁବାଇରୁ ଭୁବନେଶ୍ବରକୁ ଫେରିଲେ ୨୫
ଗତକାଲି ଦୁବାଇରୁ ଭୁବନେଶ୍ବରକୁ ଆସିଥିବା ବିମାନରେ ୧୦ଟି ଜିଲ୍ଲାର ୧୫୧ଜଣ ଯାତ୍ରୀ ରହିଥିଲେ। ସେମାନଙ୍କ ମଧ୍ୟରୁ ୨୫ ଜଣ ଭୁବନେଶ୍ବରର ଥିଲେ। ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ, ସେମାନେ ଏବେ ସଙ୍ଗରୋଧରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣ ଗୃହସଙ୍ଗରୋଧରେ ଥିବା ବେଳେ ଆଉ କିଛି ଜଣ ହୋଟେଲରେ ରହିଥିବା ସୂଚନା ମିଳିଛି। ବିମାନରେ ଖୋର୍ଧା ଜିଲ୍ଲାର ଅନ୍ୟ ସ୍ଥାନକୁ ୨୨ଜଣ ଆସିଥିବା ବେଳେ ଗଞ୍ଜାମର ୨୧ଜଣ ରହିଥିଲେ। ବିଦେଶରୁ ଫେରିବା ଲାଗି ଦିନକୁ ଦିନ ପଞ୍ଜୀକରଣଙ୍କ ବଢ଼ୁଥିବା ସୂଚନା‌ ମିଳିଛି।

ସମ୍ବନ୍ଧିତ ଖବର