ବିଦେଶରୁ ପ୍ରବାସୀ ଓଡ଼ିଆ ଫେରିବା ପ୍ରସଙ୍ଗ : ଗୃହ ସଂଗରୋଧ ଫର୍ମରେ ଦସ୍ତଖତ କରିବେ ସ୍ଥାନୀୟ ବାସିନ୍ଦା

କେବଳ ରାଜଧାନୀ ପାଇଁ ପଞ୍ଜୀକୃତ କଲେଣି ୪ ହଜାର
ଲକ୍ଷଣ ବାହାରିଲେ ସିଧା କୋଭିଡ୍ ହସ୍ପିଟାଲକୁ ପଠାଯିବ
ଲୋକଙ୍କ ସହଯୋଗ ଲୋଡ଼ିଲେ ପୁଲିସ କମିସନର୍‌

ଭୁବନେଶ୍ବର : ବିଦେଶରୁ ପ୍ରବାସୀ ଓଡ଼ିଆ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗତକାଲି ଦୁବାଇରୁ ୧୫୧ ଜଣ ପ୍ରବାସୀ ଓଡ଼ିଆ ଯାତ୍ରୀ ବିମାନରେ ଫେରିଥିବା ବେଳେ ଆଗକୁ ଆହୁରି ବହୁ ସଂଖ୍ୟାରେ ପ୍ରବାସୀ ଫେରିବେ ବୋଲି ଜଣାପଡ଼ିଛି। ଯେଉଁମାନେ ଫେରି‌ବେ, ସେମାନେ ସ୍ବାସ୍ଥ୍ୟ ବିଭାଗ ୱେବ୍‌ସାଇଟ୍‌ରେ ରେଜିଷ୍ଟ୍ରେସନ୍‌ ଆରମ୍ଭ କରିସାରିଛନ୍ତି। ଏବେ ସୁଦ୍ଧା କେବଳ ଭୁବନେଶ୍ବରକୁ ୪ ହଜାର ୧ ଶହ ପ୍ରବାସୀ ଓଡ଼ିଆ ଫେରିବେ ବୋଲି ରେଜିଷ୍ଟ୍ରେସନ୍‌ କରିଛନ୍ତି। ଆସନ୍ତା ମାସ ଶେଷ ସୁଦ୍ଧା ବିଦେଶରୁ ଏହି ପ୍ରବାସୀମାନେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏତେ ସଂଖ୍ୟାରେ ରେଜିଷ୍ଟ୍ରେସନ୍‌ ହୋଇଥିବାରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ସଂପର୍କରେ ପୁଲିସ କମିସନର୍‌, ବିଏମ୍‌ସି କମିସନର୍‌, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଯାତ୍ରୀମାନେ ପହଞ୍ଚି ଟର୍ମିନାଲରୁ ବାହାରକୁ ଆସିବା ପରେ ଉପସ୍ଥିତ ଟିମ୍ ପ୍ରଥମେ ଜଣ ଜଣ କରି ଯାତ୍ରୀଙ୍କର ରେଜିଷ୍ଟ୍ରେସନ୍‌ କରିବ। ପୂରା ଠିକଣା ସହ ସମ୍ପୂର୍ଣ୍ଣ ତଥ୍ୟ ରଖାଯିବ। ଏହା ପରେ ସମ୍ପୃକ୍ତ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ। ସେହି ଯାତ୍ରୀଙ୍କ ହାତରେ ଷ୍ଟାମ୍ପିଂ କରାଯିବ। ଥର୍ମାଲ ସ୍କ୍ରିନିଂ ସମୟରେ ଯଦି କୌଣସି ଯାତ୍ରୀଙ୍କର ଲକ୍ଷଣ ବାହାରେ, ତାହାଲେ ତାଙ୍କୁ ସିଧା କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବ।

ଅନ୍ୟପକ୍ଷରେ ଯାତ୍ରୀ ପରିବହନ ପାଇଁ ଭୁବନେଶ୍ବର, କଟକ, ଖୋର୍ଦ୍ଧା ଭିତରେ ୧୦ଟି ରୁଟ୍ ପାଇଁ ୫ଟି ବସ୍‌ର ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ଯାତ୍ରୀମାନେ ନିଜ ନିଜ ଗାଡ଼ି ବ୍ୟବସ୍ଥାରେ ଯାଇ ପାରିବେ। ଓଲା, ଉବେର କ୍ୟାବ୍ ବୁକ୍ କରି ମଧ୍ୟ ଯାଇପାରିବେ। ଯେଉଁମାନଙ୍କର ଗାଡ଼ି ବ୍ୟବସ୍ଥା ନ ଥିବ, ସେମାନେ ମୋ ବସ୍‌ରେ ଯାଇପାରିବେ ବୋଲି ସୂଚନା ମିଳିଛି। ମାର୍ଚ୍ଚ ୨୪ତାରିଖରୁ ବିମାନ ସେବା ବନ୍ଦ ଥିବା ବେଳେ ଗତକାଲି ପ୍ରଥମଥର ଲାଗି ପ୍ରବାସୀ ଓଡ଼ିଆଙ୍କୁ ନେଇ ଦୁବାଇରୁ ବିମାନ ଆସିଥିଲା। ମେ’ ୧୯ ତାରିଖରେ ଦୁବାଇରୁ ଆଉ ଏକ ବିମାନ, ମେ ୨୦ରେ କ୍ବାଲାଲମପୁର, ମେ’ ୨୪ରେ ଚିକୋଗରୁ ଭାୟା ନୂଆଦିଲ୍ଲୀ ହୋଇ ବିମାନ ଆସିବାର କାର୍ଯ୍ୟସୂଚୀ ରହିଛି।

ଅପରପକ୍ଷେ ପ୍ରବାସୀମାନେ ଯେପରି ଗୃହ ସଂଗରୋଧରେ ରହିବେ, ତାହା ସୁନିଶ୍ଚିତ କରାଇବା ପାଇଁ ପୁଲିସ କମିସନର୍‌ ଜନତାଙ୍କ ସହଯୋଗ ଲୋଡ଼ିଛନ୍ତି। ଆଜି ଜୟଦେବ ବିହାର ରେସିଡେଣ୍ଟ ୱେଲଫେୟାର ଆସୋସିଏସନ୍ ସହ ଏ ନେଇ ବୈଠକ ବସିଥିଲା। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଡିସିପି ଅନୁପ ସାହୁ, ବିଏମସି କମିସନର ପ୍ରେମଚନ୍ଦ ଚୌଧୁରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଗୃହ ସଂଗରୋଧରେ ରହିବାକୁ ଥିବା ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ଲାଗି ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି ପୁଲିସ କମିସନର। ଏହାସହ ଯେଉଁମାନେ ଗୃହ ସଂଗରୋଧ ଆଇନ ଭାଙ୍ଗିବେ, ସେମାନଙ୍କ ସଂପର୍କରେ ଖବର ଦେବା ଲାଗି ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର