ବିଶାଖାପାଟଣାରୁ ଆସି ଯାଁଳାରେ ଫସିଲେ, ଘରେ ପହଞ୍ଚି ପାରିଲେନି ପ୍ରବାସୀ ଓଡ଼ିଆ

ଭୁବନେଶ୍ବର : ବିଶାଖାପାଟଣାରୁ ଲୁଚିଛପି ପଳାଇ ଆସିବାରେ ସକ୍ଷମ ହୋଇଥିଲେ ଘରମୁହାଁ ପ୍ରବାସୀ ଶ୍ରମିକ। ଓଡ଼ିଶା ସୀମା ପାର୍ ହୋଇ ଭୁବନେଶ୍ବର ଉପକଣ୍ଠରେ ପହଞ୍ଚି ଯାଇଥିଲେ। ଆଉ ମାତ୍ର କେଇ ଘଣ୍ଟା ପରେ ଯାଜପୁରରେ ପହଞ୍ଚି ଯାଇଥାଆନ୍ତେ। ମାତ୍ର ଧରା ପଡ଼ିଗଲେ ପୁଲିସ ହାତରେ। ରାଜଧାନୀ ଭୁବନେଶ୍ବରର କମିସନରେଟ୍‌ ପୁଲିସ ଘର ବାହୁଡ଼ା ପ୍ରବାସୀ ଶ୍ରମିକଙ୍କ ବ୍ୟାକୁଳତାକୁ ବୁଝିଲା ନାହିଁ। ମହାମାରୀ କୋଭିଡ୍‌-୧୯ ପାଇଁ ଲାଗୁ ହୋଇଥିବା ଆଇନ୍‌କୁ ଜୋର୍‌ କରି ଧରିଲା। ‌ତେଣୁ ପୁଲିସ ପୁଣି ସେମାନଙ୍କୁ ଏକ ସଙ୍ଗରୋଧ କେନ୍ଦ୍ରକୁ ପଠାଇଲା। ଫଳରେ ଘରଠାରୁ ଅଳ୍ପ ଦୂରରେ ପୁଣି ବନ୍ଦୀ ହୋଇଗଲେ ଘରମୁହାଁ ପ୍ରବାସୀ ଶ୍ରମିକ।

ଆଜି ଅପରାହ୍‌ଣ ପ୍ରାୟ ୪ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ତଳଖେତା ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ୍ ପହଞ୍ଚିଥିଲା। ସେଥିରୁ ୨୭ ଜଣ ଶ୍ରମିକ ଓହ୍ଲାଇଥିଲେ। ସେମାନଙ୍କ ମଧ୍ୟରେ ଯାଜପୁରର ୧୧ ଜଣ, କୋଲକାତାର ୧୦ ଜଣ ଓ ବିହାରର ୬ ଜଣ ଥିଲେ। ସେମାନେ ବିଶାଖାପାଟଣାରେ ଏକ କାରଖାନାରେ କାମ କରୁଥିଲେ। ତାଲାବନ୍ଦ ଲାଗୁ ହେବା ପରେ ସେଠାରେ ରହିଯାଇଥିଲେ। ତେବେ ଗତ ଶନିବାର ସନ୍ଧ୍ୟାରେ ବ୍ରହ୍ମପୁର ଆସୁଥିବା ଏକ ଟ୍ରକ୍‌ର ଚାଳକ ସେମାନଙ୍କୁ ସାଙ୍ଗରେ ଆଣିବାକୁ ରାଜି ହୋଇଥିଲା। ଫଳରେ ରାତାରାତି ସେମାନେ ଟ୍ରକ୍‌ରେ ଉଠି ପଳାଇ ଆସିଥିଲେ। ବ୍ରହ୍ମପୁରରେ ପହଞ୍ଚିବା ପରେ ସେମାନେ ଅନ୍ୟ ଏକ ଗାଡ଼ି ଖୋଜିଥିଲେ ଓ ଏହି ଟ୍ରକ୍ ମିଳି ଯାଇଥିଲା। ଏହି ଟ୍ରକ୍ ଯାଁଳା ପର୍ଯ୍ୟନ୍ତ ସେମାନଙ୍କୁ ଛାଡ଼ିଦେବ ବୋଲି କହିଥିଲା। ଶ୍ରମିକମାନେ ଯାଁଳାରେ ପହଞ୍ଚି ଜାତୀୟ ରାଜପଥରେ ଠିଆ ହୋଇ ଅନ୍ୟ ଗାଡ଼ି ସନ୍ଧାନରେ ଅପେକ୍ଷା କରିଥିଲେ। ସେମାନଙ୍କୁ ଦେଖି ସ୍ଥାନୀୟ ଲୋକେ ଯାଁଳା ଫାଣ୍ଡି ପୁଲିସକୁ ସୂଚନା ଦେଇଥିଲେ। ଯାଁଳା ଫାଣ୍ଡି ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଜଣାଇଥିଲା। ତୁରନ୍ତ ସେମାନଙ୍କୁ ଖୋର୍ଦ୍ଧା ପ୍ରାଣନାଥ କଲେଜରେ ହୋଇଥିବା ସଙ୍ଗରୋଧ କେନ୍ଦ୍ରକୁ ନେବା ପାଇଁ ନିର୍ଦ୍ଦେଶ ଆସିଥିଲା। ଛାଡ଼ି ଦେବାକୁ ଶ୍ରମିକମାନେ କାକୁତି ମିନତି ହୋଇ ଅନୁରୋଧ କରିଥିଲେ ହେଁ କିଛି ଲାଭ ହୋଇନଥିଲା।

ସମ୍ବନ୍ଧିତ ଖବର