ଉଦ୍‌ଘାଟିତ ହେଲା ‘ପ୍ରବାସୀ ଓଡ଼ିଆ ଭବନ’

ଭୁବନେଶ୍ବର: ଆଜି ରାଜଧାନୀରେ ‘ପ୍ରବାସୀ ଓଡ଼ିଆ ଭବନ’ ଉଦ୍‌ଘାଟିତ ହୋଇଯାଇଛି। ୟୁନିଟ୍-୨ ସ୍ଥିତ ଭିଆର୍ ୩/୨ରେ ଏହି ଭବନ କାର୍ଯ୍ୟ କରିବ। ଏହା ଦ୍ବାରା ଦେଶ ବିଦେଶରୁ ଆସୁଥିବା ଓଡ଼ିଆ ଲୋକମାନେ ବି‌ଶେଷ ଉପକୃତ ହେବେ। ବାହାରୁ ଆସୁଥିବା ଓଡ଼ିଆମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ବିଭିନ୍ନ ସମସ୍ୟାରେ ପଡ଼ୁଥିବାରୁ ଏହି ଭବନ ସେମାନଙ୍କୁ ରହଣି ଓ ନିଜ ଘରେ ପହଞ୍ଚାଇବାରେ ସହଯୋଗ କରିବ। ବିଶେଷକରି ବିଦେଶରୁ ଆସୁଥିବା ଓଡ଼ିଆମାନେ ଭୁବନେଶ୍ବରରେ ପହଞ୍ଚିଲା ପରେ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପ୍ରତି ଓଡ଼ିଆ ଭବନ ସ୍ବତନ୍ତ୍ର ଧ୍ୟାନ ଦେବ।

ଦିଲ୍ଲୀସ୍ଥିତ ଓଡ଼ିଆ ମହାମଞ୍ଚ ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଏହି ଦାବି କରିଥିଲେ। ତେଣୁ ଆଜି ଓଡିଆ ମହାମଞ୍ଚର କର୍ମକର୍ତ୍ତା ମନୋଜ କୁମାର ନାୟକ ଓ ଗୋବର୍ଦ୍ଧନ ଧଳଙ୍କ ଅଧ୍ୟକ୍ଷତାରେ ଏହି ଉଦ୍‌ଘାଟନ କାର୍ଯ୍ୟ ସମ୍ପାଦିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଅରୁଣ କୁମାର ସାହୁ, ମନ୍ତ୍ରୀ ସୁଶାନ୍ତ ସିଂ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଅନନ୍ତ ନାରାୟଣ ଜେନା ଓ ବରୀ ବିଧାୟିକା ସୁନନ୍ଦା ଦାସ ପ୍ରମୁଖ ଯୋଗ ଦେଇଥିଲେ। ବରିଷ୍ଠ ସାମ୍ବାଦିକ ତଥା ଏନ୍ଏନ୍ଏସର ସମ୍ପାଦକ ଶ୍ରୀରାମ ଦାସ, ଭାଷା ଆନ୍ଦୋଳନ ଓଡ଼ିଶାର ଆବାହକ ପବିତ୍ର ମହାରଥା, ତନ୍ମୟ ସ୍ବାଁଇ ଓ ଉମାଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର