କୋଟିପତି ମୋହ ଦେଖାଇ ଚୂନ ଲଗାଇଲା: ଧୂର୍ତ୍ତ ପ୍ରଭାକର ଗିରଫ, ହଡ଼ପ କରିଛି ୮ କୋଟି

ଭୁବନେଶ୍ବର : କୋଟିପତି କରାଇ ଦେବାର ମୋହ ଦେଖାଇ ଲୋକଙ୍କୁ ଚୂନ ଲଗାଇଥିବା ଜଣେ ହାଇପ୍ରୋଫାଇଲ୍‌ ଧୂର୍ତ୍ତକୁ ଗିରଫ କରିଛି ମଞ୍ଚେଶ୍ବର ଥାନା ପୁଲିସ। ଅଭିଯୁକ୍ତ ହେଲା କେନ୍ଦ୍ରାପଡ଼ା‌ ରାଜନଗର ଅଞ୍ଚଳର ପ୍ରଭାକର ଜେନା। ଜଣେ ଡାକ୍ତରଙ୍କୁ କୋଟିଏ ଟଙ୍କା ଓ ଜଣେ ବ୍ୟବସାୟୀଙ୍କୁ ୫୨ ଲକ୍ଷ ଟଙ୍କାର ଚୂନ ଲଗାଇବା ଅଭିଯୋଗରେ ତାକୁ ପୁଲିସ ଗିରଫ କରିଛି। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତା ନାଁରେ ଆହୁରି କିଛି ଅଭିଯୋଗ ଆସିବା ସୂଚନା ଥିବାରୁ ପୁଲିସ ତାକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି।

ଧୂର୍ତ୍ତ ପ୍ରଭାକର ବିରୋଧରେ ପ୍ରଥମେ ଅଭିଯୋଗ ଆଣିଥିଲେ ମଞ୍ଚେଶ୍ବର ଅଞ୍ଚଳର ବ୍ୟବସାୟୀ ସୌମ୍ୟଦୀପ୍ତ ନାୟକ। ପ୍ରଭାକର ତା’ର ଦିଶା ଏଣ୍ଟରପ୍ରାଇଜର୍ସ ସଂସ୍ଥାରେ ପୁଞ୍ଜି ବିନିଯୋଗ କରିବାକୁ ସୌମ୍ୟଙ୍କୁ କହିଥିଲା। ପେପର ପ୍ଲେଟ୍ ଓ ବ୍ୟାଗ୍ ଆଦି ତିଆରି କରୁଥିବା ଦିଶା ସଂସ୍ଥାର ଶାଖା ଭୁବନେଶ୍ବର ଓ ଚେନ୍ନାଇରେ ଥିବା କଥା କହିଥିଲା। ବଜାରରେ ଉକ୍ତ କମ୍ପାନି ପ୍ରସ୍ତୁ୍ତ ମାଲ୍‌ର ଚାହିଦା ବଢ଼ୁଥିବାରୁ ସେଥିରେ ଟଙ୍କା ଲଗାଇବାକୁ ଲୋଭ ଦେଖାଇଥିଲା। ଅଧିକ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ପ୍ରଥମେ ସୌମ୍ୟ ୨ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ ଓ ମାସକ ପରେ ପ୍ରଭାକର ତାଙ୍କୁ ମୂଳଧନ ସହ ସୁଧ ବାବଦରେ ୨୦ ହଜାର ଟଙ୍କା ଫେରସ୍ତ କରିଥିଲା। ଏହା ପରେ ସୌମ୍ୟ ୫ ଲକ୍ଷ ବିନିଯୋଗ କରି ସୁଧ ବାବଦରେ ୫୦ ହଜାର ଟଙ୍କା ପାଇଥିଲେ। ଏମିତିରେ ସୌମ୍ୟଙ୍କ ବିଶ୍ବାସ ବଢ଼ିଥିଲା ଓ ସେ ୫୨ ଲକ୍ଷ ଟଙ୍କା ଖଟାଇ ଦେଲେ। କିନ୍ତୁ ଏହା ପରେ ଧୂର୍ତ୍ତ ପ୍ରଭାକର ତା’ର ଅସଲ ଖେଳ ଦେଖାଇଲା। ଆଉ ଟଙ୍କା ଫେରାଇଲା ନାହିଁ କି ଧରାଛୁଆଁ ଦେଲାନାହିଁ। ଶେଷରେ ସେ ସୌମ୍ୟଙ୍କୁ ଏକ ଚେକ୍‌ ଧରାଇଦେଲା ଓ ତାହା ପରେ ବାଉନ୍‌ସ ହୋଇଗଲା। ତେଣୁ ସୌମ୍ୟ ମଞ୍ଚେଶ୍ବର ଥାନା ପୁଲିସର ଦ୍ବାରସ୍ଥ ହୋଇଥିଲେ।

ସେହିପରି ଚନ୍ଦକା ଥାନା ଗୋଠପାଟଣାସ୍ଥିତ ଆକ୍ରୋପଲିସ୍‌ ଆପାର୍ଟମେଣ୍ଟରେ ରହୁଥିବା ଡାକ୍ତର ସସ୍ମିତା ମହାପାତ୍ରଙ୍କୁ ଜାଲରେ ଫସାଇଥିଲା ପ୍ରଭାକର। ନିଜେ ସେ ସେଠାରେ ରହୁଥିବାରୁ ଡା. ଶ୍ରୀମତି ମହାପାତ୍ର ତାକୁ ଜାଣିଥିଲେ। ପ୍ରଭାକର କମ୍ପାନି ପିପିଇ କିଟ୍ ଓ ମାସ୍କ ଆଦି ତିଆରି କରୁଛି ବୋଲି ସେ ଜାଣିଥିଲେ। ତା’ କମ୍ପାନିରେ ଟଙ୍କା ବିନିଯୋଗ କଲେ ଅଧିକ ସୁଧ ହାରରେ ସେ ଟଙ୍କା ଫେରସ୍ତ କରିବ ବୋଲି କହିଥିଲା। ତେଣୁ ଡା. ମହାପାତ୍ର ତାକୁ ଏକ କୋଟି ଟଙ୍କା ଦେଇଥିଲେ। କିନ୍ତୁ ଠକେଇର ଶିକାର ହୋଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ସୌମ୍ୟଙ୍କ ଅଭିଯୋଗ ଆଧାରରେ ଉକ୍ତ ଆପାର୍ଟମେଣ୍ଟରେ ଚଢ଼ଉ କରି ପ୍ରଭାକରକୁ ଗିରଫ କରିବା ପରେ ଡା. ମହାପାତ୍ର ଅଭିଯୋଗ କରିଛନ୍ତି। ପୁଲିସ ସୂଚନାନୁସାରେ ଏବେ ସୁଦ୍ଧା ପ୍ରଭାକର ୮ କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଛି ଓ ଏଭଳି ଅଭିଯୋଗ ବଢ଼ିବ ବୋଲି ସୂଚନା ମିଳିଛି।

ପଢ଼ିଛି ଯୁକ୍ତ ଦୁଇ, ଠକେଇରେ ପିଜି ପାସ୍‌
‘ବିନିଯୋଗ କର, ଅଳ୍ପ ଦିନରେ କୋଟିପତି ହୁଅ। ମୋ ସହ ହାତ ମିଳାଅ, କୋଟି କୋଟି ଟଙ୍କା ରୋଜଗାର କର।’ ଏହା ଥିଲା ଧୂର୍ତ୍ତ ପ୍ରଭାକରର ପ୍ରଚାର। ମାତ୍ର ଯୁକ୍ତ ଦୁଇ ପଢ଼ିଥିବା ପ୍ରଭାକରର ବଡ଼ ସୁନ୍ଦର ଭାବେ ଏମିତି ପ୍ରଚାର କରି ଲୋକଙ୍କୁ ଫସାଉଥିଲା। ବଡ଼ବଡ଼ ବ୍ୟବସାୟୀ ଓ ଡାକ୍ତରଙ୍କ ଭଳି ଲୋକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ସେ ଦିନ‌ରେ ସେମାନଙ୍କୁ ଲଣ୍ଠନ ଦେଖାଉଥିଲା। ଏବେ ତା ଠକାମି ଜଣାପଡ଼ିବା ପରେ ସେ ଠକାମିରେ ପିଜି ପାସ୍‌ କରିଛି ବୋଲି ଚର୍ଚ୍ଚା ହେଉଛି। ସୂଚନାନୁସାରେ ଯୁକ୍ତ ୨ ବାଣିଜ୍ୟ ପାସ୍‌ କରିବା ପରେ ସେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲା। ଏହା ପରେ ସେ ଚେନ୍ନାଇ ଯାଇ ସେଠାରେ ଏକ ବ୍ୟାଗ୍ କମ୍ପାନିରେ ଚାକିରି କରିଥିଲା। ପ୍ରାୟ ୧୦ ବର୍ଷ ଧରି ଚାକିରି କରିବା ପରେ ସେ ଓଡ଼ିଶା ଫେରି ଭୁବନେଶ୍ବରରେ ଦିଶା ଏଣ୍ଟରପ୍ରାଇଜର୍ସ ନାଁରେ ଏକ ସଂସ୍ଥା ଖୋଲିଥିଲା। କିନ୍ତୁ ତା’ର ପ୍ରକୃତ ଉଦ୍ଦେଶ୍ୟ ଥିଲା ଠକେଇ।

ସମ୍ବନ୍ଧିତ ଖବର