ପୁଣି ବନ୍ଧା ହେଲା ଧୂର୍ତ୍ତ ପ୍ରଭାକର

ମଞ୍ଚେଶ୍ବରରୁ ଖସି ଯାଇଥିଲା, କଷ୍ଟ୍‌ ଆକାଉଣ୍ଟାଣ୍ଟଙ୍କୁ ଲଗାଇଥିଲା ଚୂନ

ଭୁବନେଶ୍ବର/ମେଣ୍ଢାଶାଳ : ଅଧିକ ରିଟର୍ଣ୍ଣ ଦେବା ଲୋଭ ଦେଖାଇ ନିଜ କମ୍ପାନିରେ ପୁଞ୍ଜି ଲଗାଇବା ବାହାନାରେ ପ୍ରତିଷ୍ଠିତ ଲୋକଙ୍କୁ ଚୂନ ଲଗାଇଥିବା ହାଇପ୍ରୋଫାଇଲ୍‌ ଠକ ପ୍ରଭାକର ଜେନାକୁ ପୁଲିସ ଗିରଫ କରିଛି। ଏଥର ସେ ଜଣେ କଷ୍ଟ ଆକାଉଣ୍ଟାଣ୍ଟଙ୍କୁ ୧୯ ଲକ୍ଷ ଟଙ୍କାର ଚୂନ ଲଗାଇଥିବା ଅଭିଯୋଗରେ ଚନ୍ଦକା ଥାନା ପୁଲିସ ହାତରେ ଗିରଫ ହୋଇଛି। ଏହା ପୂର୍ବରୁ ତାକୁ ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଥିଲା। କିନ୍ତୁ କୋଭିଡ୍ ଆକ୍ରାନ୍ତ ହୋଇଥିବାରୁ ପୁଲିସ ତାକୁ ନୋଟିସ୍ ଦେଇ ଘରକୁ ଛାଡ଼ିଥିଲା। ମାତ୍ର କୋଭିଡ୍‌ ପାଇଁ ସଙ୍ଗରୋଧରେ ଥାଇ ସେ କୋର୍ଟରୁ ଜାମିନ୍‌ ପାଇଥିଲା। ତାକୁ ଜାମିନ୍‌ ମିଳିବା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଆଉ ଏକ ବଡ଼ ଠକେଇ ଅଭିଯୋଗ ଆସିବା ପୁଲିସ ପାଇଁ ମଉକା ଜୁଟାଇଦେଲା। ତେଣୁ ଗତକାଲି ଚନ୍ଦକା ଥାନା ପୁଲିସ ପୁଣି ପ୍ରଭାକରକୁ ଉଠାଇ କୋର୍ଟ ଚାଲାଣ କରିଛି। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି।

ଠକିବା ପାଇଁ ପ୍ରଭାକର ସବୁବେଳେ ବଡ଼ବଡ଼ ପାର୍ଟିଙ୍କୁ ଟାର୍ଗେଟ୍‌ କରୁଥିଲା। ପୂର୍ବରୁ ସେ ଜଣେ ମହିଳା ଡାକ୍ତରଙ୍କଠାରୁ ପ୍ରାୟ କୋଟିଏ ଟଙ୍କା ଓ ଜଣେ ବ୍ୟବସାୟୀଙ୍କଠାରୁ ୫୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା। ଚନ୍ଦକା ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ସେ ଜଣେ କଷ୍ଟ ଆକାଉଣ୍ଟାଣ୍ଟଙ୍କୁ ଫସାଇଥିଲା। ସେ ହେଲେ ଅରୁଣ ମହାନ୍ତି। ଅରୁଣ ଜଣେ କଷ୍ଟ ଆକାଉଣ୍ଟାଣ୍ଟ ବୋଲି ଜାଣିବା ପରେ ପ୍ରଭାକର ଜାଲ ବିଛାଇଥିଲା। ଚିରାଚରିତ ଭାବେ ନିଜକୁ ଜଣେ ବ୍ୟବସାୟୀ ବୋଲି ପରିଚୟ ଦେଇ ସେ ତା’ ସଂସ୍ଥାର ଜିଏସ୍‌ଟି ଓ ଟାକ୍ସ କାମ ପାଇଁ କରିବା ପାଇଁ ଅରୁଣଙ୍କୁ କହିଥିଲା। ଏଥିରୁ ସେମାନଙ୍କ ଭିତରେ ସର୍ମ୍ପକ ଗଢ଼ି ଉଠିଥିଲା। ଅରୁଣଙ୍କ ମନରେ ବିଶ୍ବାସ ଜନ୍ମାଇବା ପରେ ସେ ତାଙ୍କୁ ତା’ ସଂସ୍ଥାର ପରାମର୍ଶଦାତା ରହିବାକୁ ଅନୁରୋଧ କରିଥିଲା। ଏଥିସହିତ ତା’ ସଂସ୍ଥାରେ ପୁଞ୍ଜି ନିବେଶ କଲେ, ତାଙ୍କୁ ଦୁଇ ଗୁଣା ରିଟର୍ଣ୍ଣ ଦେବାର ଲୋଭ ଦେଖାଇଥିଲା। ଶେଷକୁ ତା’ ମାୟାଜାଲରେ ଅରୁଣ ଫସିଯାଇଥିଲେ। ଅରୁଣଙ୍କ ପତ୍ନୀଙ୍କ ଆକାଉଣ୍ଟରୁ ୬ଟି କିସ୍ତିରେ ସେ ୧୯ଲକ୍ଷ ଟଙ୍କା ନେଇଯାଇଥିଲା। କିନ୍ତୁ ୨୦୨୧ ଅଗଷ୍ଟରେ ଅରୁଣ ଉକ୍ତ ସଂସ୍ଥାର ଜିଏସ୍‌ଟି କାମ କଲା ବେଳେ ଜାଣିବାକୁ ପାଇଲେ ଯେ ଧୂର୍ତ୍ତ ପ୍ରଭାକରର ସେଭଳି କିଛି ବ୍ୟବସାୟିକ ସଂସ୍ଥା ନାହିଁ। ତେଣୁ ସେ ତାଙ୍କ ୧୯ ଲକ୍ଷ ଟଙ୍କା ଫେରାଇବା ପାଇଁ କହିଥିଲେ। ଧୂର୍ତ୍ତ ପ୍ରଭାକର ତାଙ୍କୁ ଏକ ଚେକ୍‌ ଦେଇଥିଲା। ମାତ୍ର ଗତ ୫ ତାରିଖରେ ଉକ୍ତ ଚେକ୍‌ ବାଉନ୍ସ ହୋଇଯାଇଥିଲା। ତେଣୁ ପ୍ରଭାକର ଏକ ବଡ଼ ଠକ ବୋଲି ନିଶ୍ଚିତ ହେବା ପରେ ଅରୁଣ ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଗୋଠପାଟଣା ଅଞ୍ଚଳର ରହୁଥିବା‌ ଡାକ୍ତର ସସ୍ମିତା ମହାପାତ୍ରଙ୍କୁ ଲୋଭ ଜାଲରେ ଫସାଇ ପ୍ରଭାକର ପ୍ରାୟ ଏକ କୋଟି ଟଙ୍କା ଠକି ନେଇଥିଲା। ସେହିପରି ମଞ୍ଚେଶ୍ବର ଅଞ୍ଚଳର ସୌମ୍ୟଦୀପ୍ତ ନାୟକଙ୍କୁ ଫସାଇ ତାଙ୍କଠାରେ ୫୨ ଲକ୍ଷ ଟଙ୍କାର ଚୂନ ଲଗାଇଥିଲା। ଏହି ଦୁଇଟି ଅଭିଯୋଗରେ ଗତ ଜାନୁଆରି ୧୫ରେ ମଞ୍ଚେଶ୍ବର ଥାନା ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର