ବାଲିପାଟଣା: ତ୍ରିବେଣୀ ଅମାବାସ୍ୟା ଅବସରରେ ବନମାଳିପୁର ପ୍ରାଚୀ ନଦୀର ତ୍ରିବେଣୀ ଘାଟରେ ଶହଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଗତକାଲି ରାତିରୁ ଆରମ୍ଭ ହୋଇଥିବା ବୁଡ଼ ଆଜି ଭୋର ପର୍ଯ୍ୟନ୍ତ ଚାଲିଥିଲା। ଶ୍ରଦ୍ଧାଳୁମାନେ ବୁଡ଼ ପକାଇ ପ୍ରଭୁ ପତିତପାବନ ଓ ଶମ୍ଭୁ ବିଲେଶ୍ୱରଙ୍କୁ ଦର୍ଶନ କରିଥିଲେ। ଲୋକମତ ଅନୁଯାୟୀ ପ୍ରାଚୀ ନଦୀ ଏକ ପବିତ୍ର ନଦୀ।ଏହା ଗଙ୍ଗା ନଦୀଠାରୁ ୧୦୮ବର୍ଷ ପୁରୁଣା। ପ୍ରାଚୀ ନଦୀ କୂଳରେ ପ୍ରଭୁ ରାମଚନ୍ଦ୍ର ଅଷ୍ଟଶମ୍ଭୁ ଓ ଅଷ୍ଟସାକ୍ଷୀଙ୍କୁ ପ୍ରତିଷ୍ଠା କରିଥିଲେ ବୋଲି କଥିତ ଅଛି। ସ୍ଥାନୀୟ ତ୍ରିବେଣୀ ଘାଟରେ ପ୍ରାଚୀ ନଦୀ ସହିତ କୁଶଭଦ୍ରାର ଏକ ଧାର ମଣିକର୍ଣ୍ଣିକା ଓ ଗୁପ୍ତଗଙ୍ଗାର ସଙ୍ଗମ ହୋଇଛି।ଏହି ସଙ୍ଗମକୁ ଓଡ଼ିଶାର ଏକ ପ୍ରୟାଗ ବୋଲି କୁହାଯାଏ। ଏହି ସଙ୍ଗମସ୍ଥଳରେ ହିଁ ପ୍ରଭୁ ପତିତପାବନ ପୂଜା ପାଇ ଆସୁଛନ୍ତି। ଘାଟକୁ ଲାଗି ପ୍ରଭୁ ରାମଚନ୍ଦ୍ର ପ୍ରତିଷ୍ଠା କରିଥିବା ଅଷ୍ଟଶମ୍ଭୁଙ୍କ ମଧ୍ୟରୁ ବିଲେଶ୍ୱର ଏବେ ପୂଜା ପାଉଛନ୍ତି।ପ୍ରତିବର୍ଷ ଏହି ପ୍ରୟାଗ କ୍ଷେତ୍ରରେ ରଟନ୍ତି ଚତୁର୍ଦ୍ଦଶୀରେ ତ୍ରିବେଣୀ ବୁଡ଼ ଅନୁଷ୍ଠିତ ହୁଏ। ବୁଡ଼ ପକାଇବା ଲାଗି ଗତକାଲିଠାରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହୋଇଥିଲେ। ଏହି ଅବସରରେ ସ୍ଥାନୀୟ ନାଥ ସଂପ୍ରଦାୟର ଭାଇମାନେ ଶ୍ରଦ୍ଧାଳୁଙ୍କୁ ଖାଦ୍ୟ ଯୋଗାଇ ଥାଆନ୍ତି। ଗତକାଲି ରାତି ତମାମ୍ ତ୍ରିବେଣୀ ପୀଠରେ ଭଜନ, କୀର୍ତ୍ତନ, ଅଷ୍ଟପ୍ରହରୀ ନାମଯଜ୍ଞରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିଲା। ଅନେକ ଶ୍ରଦ୍ଧାଳୁ ବୁଡ଼ ପକାଇ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ସହ ପିଣ୍ଡଦାନ କରିଥିଲେ।
ପ୍ରାଚୀ ନଦୀ ତିବେଣୀ ଘାଟରେ ବୁଡ଼ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼
/sambad/media/post_attachments/wp-content/uploads/2018/01/balipatana-tribeni.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)