କଳିଙ୍ଗରେ ଅଭ୍ୟାସ ଅଭିଯାନ ଜୋରଦାର

କ୍ରୀଡ଼ା ଛାତ୍ରାବାସ ଅନ୍ତେବାସୀ ଉତ୍ସାହିତ

ଭୁବନେଶ୍ୱର: ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ଆଉ ୬ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‌ ହକି କମ୍ପ୍ଲେକ୍ସରେ ଆରମ୍ଭ ହେବ। ଏଥିଲାଗି ଭାରତୀୟ ଦଳ ବୁଧବାରଠୁ ଭୁବନେଶ୍ୱରରେ ପାଦ ଥାପି ସାରିଛି। ଅଭ୍ୟାସ ବି ଆରମ୍ଭ କଲାଣି। ନିଜ ପ୍ରିୟ ଖେଳାଳିଙ୍କୁ ପାଖରେ ଦେଖିବାପରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରବାସର ହକି ଅନ୍ତେବାସୀଙ୍କ ଖୁସି ବହୁଗୁଣ ବଢ଼ି ଯାଇଛି। ଅନ୍ତର୍ଜାତୀୟ ହକି ଖେଳିବା ଓ ଭାରତୀୟ ଜର୍ସି ପିନ୍ଧିବାର ସ୍ୱପ୍ନ ଦେଖୁଥିବା ଏହି ଅନ୍ତେବାସୀମାନେ ବିଶ୍ୱ ହକି ଲିଗ୍‌ ଫାଇନାଲରେ କିଛିଟା ଅଭୁଲା ମୁହୂର୍ତ ସାଉଣ୍ଟିବାର ଆଶାରେ ଅଛନ୍ତି। ବିଶ୍ୱର ଶ୍ରେଷ୍ଠ ଖେଳାଳିଙ୍କ ଖେଳ ଦେଖି ନିଜ ଖେଳରେ ଥିବା ତୃଟିକୁ ସୁଧାରିବା ଲକ୍ଷ୍ୟରେ ରହିଛନ୍ତି। ଏଥିସହ ଭାରତ ଏଠାରେ ବିଜେତା ହେଉ ଏବଂ ଦଳରେ ସାମିଲ ଥିବା ୩ ଓଡ଼ିଆ ତାରକା ବିରେନ୍ଦ୍ର ଲାକ୍ରା, ଦୀପ୍‌ସାନ୍‌ ତିର୍କି ଏବଂ ଅମିତ ରୋହିଦାସ ଭଲ କରନ୍ତୁ ବୋଲି ଶୁଭକାମନା ଦେଇଛନ୍ତି ସେମାନେ।

ଭାରତ ଫାଇନାଲ୍‌ରେ ପହଞ୍ଚିବ: ଆଶିଷ ଟପ୍ନୋ


ମୁଁ ଅଷ୍ଟ୍ରେଲିଆ ହକି ଲିଗରେ ଭାରତ ‘ଏ’ ପକ୍ଷରୁ ଖେଳିବାର ସୁଯୋଗ ପାଇଥିଲି। କିଛିଟା ଅନ୍ତର୍ଜାତୀୟ ଖେଳାଳିଙ୍କ ସହ ମିଶିବାର ବି ସୁଯୋଗ ପାଇଛି। ଏବେ ଆମ ପଡ଼ିଆରେ ଏତେ ବଡ଼ ପ୍ରତିଯୋଗିତା ହେବ ଏବଂ ଆମେ ଏହାର ମଜା ନେବା ସହ କିଛି ଶିଖିବାର ସୁଯୋଗ ବି ମିଳିଯିବ। ଯାହାକି ଆଗକୁ ବଢ଼ିବାକୁ ସାହାଯ୍ୟ କରିବ। ଭାରତ ଯେପରି ଏବେ ଫର୍ମରେ ରହିଛି। ଭାରତ ସବୁ ମ୍ୟାଚ୍‌ ଜିତି ଫାଇନାଲ୍‌ରେ ପହଞ୍ଚିବ ବୋଲି ମୋର ଆଶା ରହିଛି।

କୌଣସି ମ୍ୟାଚ୍‌କୁ ହାତଛଡ଼ା କରିବିନି: ସୁମନ କୁଜୁର


୨୦୧୪ରେ ମୁଁ ଏଠାରେ ଚାମ୍ପିଅନ୍ସ ଟ୍ରଫି ଦେଖିବାର ସୁଯୋଗ ପାଇଥିଲି। ଏବେ ପୁଣି ଥରେ ଆଉ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ବିଶ୍ୱ ହକି ଲିଗ୍‌ ଫାଇନାଲ୍‌ ମୋ’ ଭାଗ୍ୟରେ ଜୁଟିଛି। ବିରେନ୍ଦ୍ର ଲାକ୍ରା ବହୁଦିନ ପରେ ଦଳକୁ ଫେରିଛନ୍ତି ସେ ଏଠାରେ ଭଲ କରନ୍ତୁ ମୋର ଇଚ୍ଛା। ଏଥିସହ ଭାରତୀୟ ଦଳରେ ଅନ୍ୟ ଦୁଇ ଓଡ଼ିଆ ଦୀପ୍‌ସାନ୍‌ ତିର୍କି ଏବଂ ଅମିତ ରୋହି ଦାସ ଭଲ କରିବେ। ଏମାନେ ମଧ୍ୟ ନିଜ ପଡ଼ିଆରେ ଖେଳୁଥିବାରୁ ଏହାକୁ ହାତଛଡ଼ା କରିବେନି।

ବୀରେନ୍ଦ୍ର ଭାଇ ଚମକ ଦେଖାଇବେ: ମଞ୍ଜୁ ଲାକ୍ରା

ଆମ ପଡ଼ିଆରେ ଏତେ ବଡ଼ ପ୍ରତିଯୋଗିତା ହେଉଥିବାରୁ ବହୁତ ଖୁସି ଲାଗୁଛି। ବିଶ୍ୱର ଶ୍ରେଷ୍ଠ ୮ ଦଳର ଖେଳ ଆମେ ଦେଖିବାର ସୁଯୋଗ ପାଇବୁ। ଯାହା ବହୁତ ବଡ଼ ଉପଲବ୍‌ଧି ହେବ। ଏଥିରୁ ମଧ୍ୟ କିଛି ଶିଖିପାରିବୁ। ବୀରେନ୍ଦ୍ର ଭାଇଙ୍କ ସହ ଅମିତ୍‌ ଭାଇ, ଦୀପ୍‌ସାନ ଭାଇ ଭାରତକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବେ। ପୁରୁଷ ପ୍ରତିଯୋଗିତା ଭଳି ଯଦି ମହିଳାଙ୍କ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଏଠାରେ ହୁଅନ୍ତା, ତାହାଲେ ଆମେ ଆମ ଭଉଣୀମାନଙ୍କ ଖେଳ ଦେଖିବାର ସୁଯୋଗ ପାଇ ପାରନ୍ତୁ।

ତିନି ଭାଇଙ୍କ ଖେଳ ଦେଖିବୁ: ପ୍ରେମିିତା ବୋରା


ବିଭିନ୍ନ ଅଞ୍ଚଳରୁ ଆମେ ଆସି ଗୋଟିଏ ଜାଗା କ୍ରୀଡ଼ା ଛାତ୍ରାବାସରେ ରହିଛୁ। ପରିବାରକୁ ପାଖରେ ଦେଖୁନୁ। ଛାତ୍ରାବାସ ଆମ ପରିବାର ହେଇଯାଇଛି। ଆମର ଏହି ପରିବାରର ୩ ଭାଇ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଯାହା ଆମ ପାଇଁ ଖୁସିର ବିଷୟ। ସେମାନେ ବିଶ୍ୱର ଶ୍ରେଷ୍ଠ ଦଳ ବିରୋଧରେ ଖେଳିବାର ଆମେ ନିକଟରେ ଦେଖିବୁ। ସେମାନେ ଭଲ କରିବାକୁ ଆମେ ପଡ଼ିଆରେ ରହି ଉତ୍ସାହିତ କରିବୁ। ଭାରତ ମଧ୍ୟ ଏହି ପ୍ରତିଯୋଗିତାର ଟ୍ରଫି ଜିତିନେବ ବୋଲି ଆମମାନଙ୍କର ଆଶା ରହିଛି।

ସମ୍ବନ୍ଧିତ ଖବର