ପ୍ରଦୀପ-ଆକାଶ ମୁହାଁମୁହିଁ ଜେରା: ଦୁଇ ଦିନିଆ ରିମାଣ୍ଡରେ ନେଇ ମାରାଥନ୍ ଜେରା

କୁଆଡ଼େ ଗଲେ ସର୍ବେଶ୍ବର?, ଅପରାଧ ମନସ୍ତତ୍ତ୍ବିବିତଙ୍କ ସହାୟତା ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ଟାଟା ମୋଟର୍ସ‌‌‌‌ରେ ନିଯୁକ୍ତି ନାଁରେ ଠକେଇ ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମାରାଥନ୍ ଜେରା କରୁଛି କ୍ରାଇମବ୍ରାଞ୍ଚ। ଭୁବନେଶ୍ବର ଏସଡିଜେଏମ୍ କୋର୍ଟ ଦୁଇ ଦିନ ରିମାଣ୍ଡ ମଞ୍ଜୁର କରିବା ପରେ ଆଜି ମଧ୍ୟାହ୍ନରେ କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍ ଝାରପଡ଼ା ଜେଲରୁ ପ୍ରଦୀପଙ୍କୁ କଟକ ମୁଖ୍ୟାଳୟକୁ ନେଇ ଜେରା ଆରମ୍ଭ କରିଛି। ପ୍ରଦୀପଙ୍କ ସହ ତାଙ୍କ ଭାବୀ ଜ୍ବାଇଁ ତଥା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକଙ୍କ ସହ ମୁହାଁମୁହିଁ ଜେରା ଆରମ୍ଭ ହୋଇଛି। ଆକାଶଙ୍କ ୫ ଦିନିଆ ରିମାଣ୍ଡ୍‌ର ଆଜି ଶେଷ ଦିନ ହୋଇଥିବାରୁ ବହୁ ଗୁରୁତ୍ବ ବହନ କରୁଛି। ସମୟ ନଷ୍ଟ ନ କରି ରହସ୍ୟ ଉନ୍ମୋଚନ କରିବା ପାଇଁ ଜୋରସୋର୍‌ରେ ଲାଗି ପଡ଼ିଛି କ୍ରାଇମବ୍ରାଞ୍ଚ। ଏହି ସମୟରେ ଠକେଇ ସିଣ୍ଡିକେଟ ସମ୍ପର୍କରେ ତଦନ୍ତକାରୀ ଟିମ୍ ହାତରେ ଅନେକ ତଥ୍ୟ ଲାଗିଛି। ଠକାମିର ଶିକାର ହୋଇଥିବା କିଛି ପ୍ରାର୍ଥୀଙ୍କଠାରୁ ପ୍ରଦୀପଙ୍କ ଆକାଉଣ୍ଟକୁ ଟଙ୍କା ଆସିଥିବା ସ୍ପଷ୍ଟ ହୋଇଛି। କିଛି ଦିନ ତଳେ ପ୍ରଦୀପଙ୍କ ଆକାଉଣ୍ଟରୁ ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫୦ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ ହୋଇଥିଲା। ଏହି ଅର୍ଥ ଚାକିରି ଠକେଇ ପାଇଁ ଆଦାୟ କରାଯାଇଥିବା ନେଇ କ୍ରାଇମବ୍ରାଞ୍ଚ ସନ୍ଦେହ କରି ପ୍ରଦୀପଙ୍କୁ ପଚରଉଚରା ଜାରି ରଖିଛି।

ଆକାଶର ପିଏ ଡେଭିଡ୍ ପିଟର୍‌ ସହ ମଧ୍ୟ ମୁହାଁମୁହିଁ ଜେରା କରାଯାଇଛି। ଠକେଇ ସମ୍ପର୍କ‌‌ରେ ପିଟର୍‌ ପୂର୍ବରୁ ଜେରା ବେଳେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିଲେ। ଏପରିକି ଭିଡିଓ ଜରିଆରେ ଆକାଶର ପୂରା ଗୁମର ଖୋଲି ଦେଇଥିଲେ ପିଟର୍‌। ତେଣୁ ପିଟର୍‌ଙ୍କ ତଥ୍ୟକୁ ଆଧାର କରି ଜେରା କରାଯିବା ପରେ କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଆଉ କିଛି ତଥ୍ୟ ଲାଗିଛି। ଏବେ ସୁଦ୍ଧା ୧୨୪ଜଣ ପ୍ରାର୍ଥୀଙ୍କ ତାଲିକା ତଦନ୍ତକାରୀ ଟିମ୍ ହାତରେ ଲାଗି ସାରିଛି। ସେମାନଙ୍କ ଭିତରୁ କେତେଜଣ ଠକାମିର ଶିକାର ହୋଇଛନ୍ତି, ତାହାର ପ୍ରମାଣ ଯୋଗାଡ଼ କରୁଛି ଟିମ୍। ଓଡ଼ିଶା, ପାଟନା, ପୁନେ ଛଡ଼ା ଏମାନେ ଆଉ କେଉଁଠି ଠକେଇ କରିଛନ୍ତି? ଆହୁରି କେତେ ପିଲା ଠକାମିର ଶିକାର ହୋଇଛନ୍ତି? କାହା କାହା ଆକାଉଣ୍ଟକୁ କେତେ ଟଙ୍କା ଯାଇଛି? ଠକେଇ ଟଙ୍କା କେଉଁଠି ବିନିଯୋଗ ହୋଇଛି? ଏହି ଟଙ୍କାରେ କିଛି ସମ୍ପତ୍ତି କିଣାଯାଇଛି କି? ସେ ସମ୍ପର୍କରେ ମଧ୍ୟ ଖୋଳତାଡ଼ ଜାରି ରଖିଛି ଟିମ୍।

ବ୍ରହ୍ମପୁର ସିଟି କଲେଜର ପୂର୍ବତନ ଅଧ୍ୟକ୍ଷ ଭି.ସର୍ବେଶ୍ବର ରାଓ ମଧ୍ୟସ୍ଥି ଭାବେ କାମ କରୁଥିବା ମଧ୍ୟ ଜଣାପଡ଼ିଛି। ଗତ ୩୦ ତାରିଖରେ ସର୍ବେଶ୍ବର କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବାପରେ ଫେରାର୍‌ ହୋଇଯାଇଛନ୍ତି। ସେ ଆନ୍ଧ୍ରପ୍ରଦେଶରେ ଆତ୍ମଗୋପନ କରିଥିବା କୁହାଯାଉଛି। ସର୍ବେଶ୍ବରକୁ ଧରିବା କ୍ରାଇମବ୍ରାଞ୍ଚ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ସର୍ବେଶ୍ବର ହିଁ ପୂରା ସିଣ୍ଡିକେଟ୍‌ର ଗୁମର ଖୋଲିବେ ବୋଲି ଆଶା ରଖିଛି ତଦନ୍ତକାରୀ ଟିମ୍। ଅନ୍ୟପକ୍ଷରେ ଠକେଇ ସମ୍ପର୍କରେ ଆକାଶର ଆପରାଧିକ ମାନସିକତା ଓ ଅଧିକ ତଥ୍ୟ ଜାଣିବା ଲାଗି ଅପରାଧ ମନସ୍ତତ୍ତ୍ବିତବିଦ୍‌ଙ୍କ ସହାୟତା ନିଆଯାଇଛି। ଜଣେ ମନସ୍ତତ୍ତ୍ବବିଦ୍‌ ଗତକାଲି ଆକାଶକୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପଚାରିଥିଲେ। ଆକାଶ ତାହାର ଉତ୍ତର ମଧ୍ୟ ଦେଇଛି। ତାହାକୁ ତର୍ଜମା କରାଯିବା ପରେ ଠକେଇ ସମ୍ପର୍କରେ ଅଧିକ ତଥ୍ୟ ମିଳିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଟାଟା ମୋଟର୍ସ ଠକେଇ ମାମଲାରେ ଗତ ୩ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିଲା। ସେହିପରି ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗତ ମାସ ୨୭ ତାରିଖରେ ଆଇଏଫଏସ୍‌ ଅଫିସର୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶକୁ ଗିରଫ କରିଥିଲା ଭିଜିଲାନ୍ସ।

ସମ୍ବନ୍ଧିତ ଖବର