ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଜ୍ବାଇଁ ହେଲେ ସିନେ ଅଭିନେତା ଅର୍ଧେନ୍ଦୁ

ଭୁବନେଶ୍ବର : ସିନେ ଅଭିନେତା ଅର୍ଧେନ୍ଦୁଙ୍କର ବରିଷ୍ଠ ରାଜନୀତିଜ୍ଞ ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ସହ ବିବାହ ହୋଇଛି। ଆଜି ଯଥାରୀତି ଦୁହିଁଙ୍କ ବିବାହ ସମ୍ପନ୍ନ ହୋଇଛି। ନିର୍ବନ୍ଧ ହେବା ପରଠୁ ଏହି ଯୋଡ଼ିଙ୍କ ବିବାହ ଚର୍ଚ୍ଚାରେ ରହିଥିବା ବେଳେ ଆଜି ବାଜା ବାଣ ରୋଶଣି କରି ବରଯାତ୍ରୀଙ୍କ ସହ ବରବେଶରେ ବରମୁଣ୍ଡା ପଡ଼ିଆରେ ପହଞ୍ଚିଥିଲେ ଅର୍ଧେନ୍ଦୁ। ରାଜକୀୟ ସାଜସଜା ମଧ୍ୟରେ ତାଙ୍କୁ ସ୍ବାଗତ କରାଯାଇଥିବା ବେଳେ ସେଠାରେ ବାହାଘର ସମ୍ପନ୍ନ ହୋଇଛି। ଏହି ବରଯାତ୍ରୀ ଓ ବିବାହ ଉତ୍ସବରେ ବହୁ ନେତା, ମନ୍ତ୍ରୀ, ଅଭିନେତା ସାମିଲ୍‌ ହୋଇ ନବଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ସୂଚନାଯୋଗ୍ୟ ପଲ୍ଲବୀ ପେସାରେ ଡାକ୍ତର ହୋଇଥିବା ବେଳେ ଅର୍ଧେନ୍ଦୁ ବେଶ କିଛି ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ଅର୍ଜନ କରିଛନ୍ତି। ପଲ୍ଲବୀ ଓ ଅର୍ଧେନ୍ଦୁ ଦୁହେଁ ଏକ ଇଭେଣ୍ଟରେ ଦେଖା ହୋଇଥିବା ବେଳେ ତାହା ପରେ ପ୍ରେମର ରୂପ ନେଇଥିଲା। ଏହି ପ୍ରେମ ଆଜି ଦୁଇ ଜଣଙ୍କୁ ଜୀବନସାଥୀ କରିଛି।

ସୂଚନାଯୋଗ୍ୟ, ଅର୍ଧେନ୍ଦୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘କାଉଁରୀ କନ୍ୟା’। ତା’ପରେ ସେ ‘ଅ ଆ ହର୍ଷେଇ’, ‘ଟପୋରି’ ଓ ‘ବ୍ଲାକ୍‌ମେଲ୍‌’ ଏବଂ ‘ମୁଁ ପରଦେଶୀ ଚଢ଼େଇ’ ଭଳି ସିନେମାରେ ନାୟକ ଭୂମିକା ନିଭାଇଥିଲେ।
‘ମୁଁ ପରଦେଶୀ ଚଢ଼େଇ’ରେ ଅର୍ଧେନ୍ଦୁ ଓ ଅନୁଭାଙ୍କ ଯୋଡ଼ିକୁ ଦେଖିବାକୁ ମିଳିଥିଲା। ଏହି ସିନେମାରେ ପ୍ରଥମଥର ପାଇଁ ଏକାଠି ହୋଇଥିଲେ ଏଦୁଇ କଳାକାର। ‘ମୁଁ ପରଦେଶୀ ଚଢେଇ’ର ନିର୍ଦେଶକ ହେଲେ କେ.ମୁରଲୀ କ୍ରିଷ୍ଣା।

ସମ୍ବନ୍ଧିତ ଖବର