କଟକ: ଅର୍ଥତତ୍ତ୍ବ ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ ଜେଲ୍ରେ ବେଆଇନ ଅଟକ ଅଭିଯୋଗ କରି ଦାୟର କରିଥିବା ମାମଲାରେ ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ମହଲତ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୬କୁ ଧାର୍ଯ୍ୟ କରାଯାଇଛି। ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଦୀପଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାର ହାଇକୋର୍ଟ ଶୁଣାଣି କରି ଜୁଲାଇ ୨୧ରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଥିଲେ। ସମାନ ପ୍ରସଙ୍ଗ ନେଇ ପ୍ରଦୀପଙ୍କ ବିରୋଧରେ ରହିଥିବା ଏକାଧିକ ମାମଲାର ସାନି ସ୍ଥିତି ପ୍ରସଙ୍ଗରେ ଅବଗତ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଥତତ୍ତ୍ବ ଚିଟଫଣ୍ଡ ମାମଲାରେ ପ୍ରଦୀପ ୨୦୧୩, ମେ୧୩ରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୭, ଏପ୍ରିଲ ୬ରେ ଭୁବନେଶ୍ବର ସ୍ପେସାଲ ସିଜେଏମ୍ ଅଦାଲତ ଅର୍ଥତତ୍ତ୍ବ ଠକେଇ ନେଇ ଥିବା ସିବିଆଇ ମାମଲାରେ ପ୍ରଦୀପଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏହାପରେ ସମ୍ବଲପୁର ସିଜେଏମ୍ ଅଦାଲତ ଅର୍ଥତତ୍ତ୍ବ ଠକେଇ ଅଭିଯୋଗ ସଂପର୍କିତ ମାମଲାର ଶୁଣାଣି କରି ତାଙ୍କୁ ୨୦୧୭, ନଭେମ୍ବର ୧୫ରେ ୫ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ଅଦାଲତରେ ମଧ୍ୟ ତାଙ୍କ ବିରୋଧରେ ଏକାଧିକ ମାମଲା ବିଚାରାଧୀନ ରହିଛି। ଇତିମଧ୍ୟରେ ସେ ୭ ବର୍ଷ ଜେଲ ଦଣ୍ଡ ଭୋଗ କରି ସାରିଥିବାବେଳେ ତାଙ୍କୁ ଜେଲରୁ ମୁକ୍ତ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଗୋଟିଏ ପ୍ରସଙ୍ଗକୁ ନେଇ ତାଙ୍କ ବିରୋଧରେ ଏକାଧିକ ମାମଲା ଚାଲିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନରେ ଦର୍ଶାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ବିରୋଧରେ ଥିବା ମାମଲା ଗୁଡିକୁ ରଦ୍ଦ ଘୋଷଣା କରାଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍ଗୋ, ସିଦ୍ଧାର୍ଥ ଦାସ ଓ ସୌମ୍ୟରଂଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/Pradeep-Sethi.jpg)