ବାଲିପାଟଣା: ସ୍ଥାନୀୟ ତୁରିନ୍ତିରାଠାରୁ ଚଣାହଟ୍ଟା ଦେଇ ତରୋବେଇ ପର୍ଯ୍ୟନ୍ତ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ କାମ ନିମ୍ନମାନର ହୋଇଛି ବୋଲି ଅଭିଯୋଗ ହୋଇଛି। ପିଚୁ ପଡ଼ିବାର ଦିନକ ପରେ ଛେଲା ଛେଲା ହୋଇ ପିଚୁ ଉଠି ଯାଇଥିବାରୁ ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ତେବେ ଚର୍ଚ୍ଚାର ବିଷୟ ହେଉଛି, ଏନେଇ ଥାନାରେ ପାଲଟା ଅଭିଯୋଗ କରିଥିବା ଠିକାସଂସ୍ଥା ପରେ ଥାନାରୁ ମାମଲା ପ୍ରତ୍ୟାହାର କରିନେଇଛି।
ସୂଚନାନୁସାରେ, ୫.୩୪ କିମି ଲମ୍ବର ଏହି ରାସ୍ତା ନିର୍ମାଣ କାମ ପାଇଁ ଏକ ଠିକା ସଂସ୍ଥା ଦାୟିତ୍ୱ ନେଇଛି। ୨୦୨୩ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଧାର୍ଯ୍ୟ ହୋଇଥିଲା।
କିନ୍ତୁ କାମ ଏବେ ବି ଚାଲିଛି, ସରି ନାହିଁ। ମଙ୍ଗଳବାର ଓ ବୁଧବାର ଦିନ କୁଳନ୍ତିରା ଗ୍ରାମଠାରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ପିଚୁ କାମ ହୋଇଛି। ହେଲେ ଦେଖିବାକୁ ମିଳିଛି ଯେ ସ୍ଥାନେସ୍ଥାନେ ପିଚୁ ଫାଟି ଆଁ କରିଛି। କୁଳନ୍ତିରାଶାସନ ସଂକଟ ତାରିଣୀଙ୍କ ମନ୍ଦିର ନିକଟରେ ପିଚୁ ଛେଲା ଛେଲା ହୋଇ ଉଠିଯାଇଛି। ତେଣୁ କାମ ନିମ୍ନମାନର ହୋଇଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବର୍ଷା ସମୟରେ ତରବରିଆ ଭାବେ ନିମ୍ନମାନର କାମ ହୋଇଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ମାତ୍ର ଏନେଇ ପାଲଟା ଅଭିଯୋଗ ଆଣିଥିଲା ଠିକାସଂସ୍ଥା। ଠିକାସଂସ୍ଥା କହିବା କଥା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ହେଉଥିବା କାମ ପାଇଁ ଠିକାଦାର ୫ ବର୍ଷ ଯାଏ ଦାୟୀ ରହିବା ନିୟମ ରହିଛି। ରାସ୍ତା ଖରାପ ହେଲେ ଠିକାଦାର ନିଜ ଦାୟିତ୍ବରେ ମରାମତି କରାଇବ। ମାତ୍ର ସ୍ଥାନୀୟ କିଛି ଲୋକ ଠିକାସଂସ୍ଥାର ଦୃଷ୍ଟି ଆକର୍ଷଣ ନକରି ନୂଆ କରି ପଡ଼ିଥିବା ପିଚୁକୁ ତାଡ଼ି ଉଠାଇ ଦେଇଛନ୍ତି। ତେବେ ଶେଷ ଖବର ଅନୁସାରେ, ଠିକାଦାର ଥାନାରେ ଦେଇଥିବା ଏତଲା ଉଠାଇ ନେଇଥିବା ଜଣାପଡ଼ିଛି।