ବାଲିପାଟଣା: ଗୁରୁବାର ରାତିରେ ବନମାଳିପୁର ପ୍ରଧାନପାଟଣା ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ମାମଲାରେ ଉଭୟ ପକ୍ଷରୁ ୬ଜଣ ଆହତ ହୋଇଛନ୍ତି। ଖଣ୍ଡାଚୋଟର ଜବାବ ଦେବାକୁ ଯାଇ ପ୍ରତିପକ୍ଷର ଯୁବକମାନେ ଲୁହାରଡ୍ ଓ କାଠ ଫାଳିଆରେ ଆକ୍ରମଣ କରିଛନ୍ତି। ଏଥିରେ ଖଣ୍ଡାରେ ଆକ୍ରମଣ କରିଥିବା ରମାକାନ୍ତ ସାହୁ ଓରଫ୍ ବାବୁନି ଓ ତାଙ୍କ ମା’ ଚମ୍ପା ସାହୁ ଗୁରୁତର ହୋଇଛନ୍ତି। ବାଲିପାଟଣା ଥାନରେ ୨ଟି ପୃଥକ୍ ପୃଥକ୍ ମାମଲା ରୁଜୁ ହୋଇଛି ଓ ପୁଲିସ କାହାକୁ ଗିରଫ କରିନାହିଁ। ଉତ୍ତେଜନାକୁ ଆଖିରେ ରଖି ଗାଁରେ ପୁଲିସ ମୁତୟନ କରାଯାଇଛି।
ପୂଜା କମିଟିକୁ ନେଇ ପୂର୍ବରୁ ଥିବା ଗୋଷ୍ଠୀ ବିବାଦ ଗତକାଲି ରାତିରେ ଉଗ୍ରରୂପ ନେଇଥିଲା। ରାତି ପ୍ରାୟ ୯ଟାବେଳେ ବାବୁନି ଘରକୁ ଫେରୁଥିଲେ। ସେ ଗାଁ କ୍ଲବ ଦେଇ ଘରକୁ ଯାଉଥିବା ବେଳେ ସେଠାରେ ଠିଆ ହୋଇଥବା କିଛି ଯୁବକ ତାଙ୍କୁ ଚାହିଁଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ବାବୁନି ସେମାନଙ୍କୁ ଗାଳିଗୁଲଜ କରି ଘରକୁ ଚାଲି ଯାଇଥିଲେ। ଏହି ଖବର ଗାଁରେ ପ୍ରଚାରିତ ହେବା ପରେ ବାବୁନିଙ୍କ ବିପକ୍ଷ ଯୁବକମାନେ ଏକାଠି ହୋଇ ତାଙ୍କ ଘରକୁ ଯାଇଥିଲେ ଓ ଗାଳି କରିବାର କାରଣ ପଚାରିଥିଲେ। କଥା କଟାକଟିରୁ ହାତାହାତି ପର୍ଯ୍ୟନ୍ତ କଥା ଯିବା ପରେ ବାବୁନି ଏକ ଖଣ୍ଡା ଆଣି ସେମାନଙ୍କୁ ଆକ୍ରମଣ କରିଥିଲେ। ଫଳରେ ରଞ୍ଜନ ସାହୁଙ୍କ ସମେତ ଚାରି ଜଣ ଆହତ ହୋଇଥିଲେ। ଖଣ୍ଡାରେ ଆକ୍ରମଣ ଦେଖି ଭୟରେ ସେମାନେ ଛତ୍ରଭଙ୍ଗ ଦେଇଥିଲେ ମଧ୍ୟ ପରେ ପୁଣି ଏକାଠି ହୋଇ ବାବୁନିଙ୍କ ଘର ଉପରେ ଆକ୍ରମଣ କରିଥିଲେ। ସେମାନେ ବାବୁନିଙ୍କ ଘରକୁ ଢ଼େଲାମାଡ଼ କରିବା ସହ କବାଟ ଝରକା ଭାଙ୍ଗି ପକାଇଥିଲେ। ତେଣୁ ବାଧ୍ୟ ହୋଇ ବାବୁନି ଓ ତାଙ୍କ ମା’ ଚମ୍ପା ବାହାରକୁ ଆସି ସେମାନଙ୍କୁ ପ୍ରତିରୋଧ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଯୁବକମାନଙ୍କ ଲୁହାରଡ୍ ଓ କାଠଫାଳିଆ ମାଡ଼ରେ ମା’ପୁଅ ଆହତ ହୋଇଥିଲେ। ଖବର ପାଇ ବନମାଳିପୁର ଥାନା ପୁଲିସ ଗାଁରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।