ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ‘ଭୁବନେଶ୍ୱର ଇତିହାସ’ ଲୋକାର୍ପିତ: ଓଡ଼ିଶା ଇତିହାସର ଗବେଷଣା ଏବେ ବି ଅସମ୍ପୂର୍ଣ୍ଣ

ଭୁବନେଶ୍ବର : ଓଡ଼ିଶାର ଐତିହ୍ୟ ଗରିମାମୟ। ଏହାର ଇତିହାସ ବଳିଷ୍ଠ। ଏହାର କୀର୍ତ୍ତିରାଜିର ଉପମା ନାହିଁ କି ତୁଳନା ନାହିଁ। କିନ୍ତୁ ଏବେ ବି ବହୁ କୀର୍ତ୍ତିରାଜି ଲୋକଲୋଚନକୁ ଆସିପାରିନାହିଁ। ଏବେ ବି ଓଡ଼ିଶା ଇତିହାସର ଉପଯୁକ୍ତ ଗବେଷଣା ହୋଇପାରିନାହିଁ। ତେଣୁ ଆଜିର ଐତିହାସିକ ଓ ଗବେଷକମାନେ ଏ ଦିଗରେ ଆଗେଇ ଆସିବା ଜରୁରୀ। କାରଣ ଜାତି ଇତିହାସ ବାବଦରେ ଜ୍ଞାନ ନଥିଲେ, ସେ ଜାତିର ଅଗ୍ରଗତି ହୋଇନଥାଏ। ଆଜି ଓଡ଼ିଶା ନାଗରିକ ମହାମଞ୍ଚ ଓ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ବିଶିଷ୍ଟ ଐତିହାସିକ, ଗବେଷକ ତଥା ସ୍ତମ୍ଭକାର ଡ. ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀଙ୍କ ୮୧ତମ ଜନ୍ମ ଦିବସ ଅବସରରେ ଅତିଥିମାନେ ଏହା କହିଛନ୍ତି। ଜୟଦେବ କମ୍ପେକ୍ସରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ତାଙ୍କ ଗବେଷଣାତ୍ମକ ପୁସ୍ତକ ‘ଭୁବନେଶ୍ବର ଇତିହାସ’ ଉନ୍ମୋଚନ କରାଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନର ସଦସ୍ୟ ନିରଞ୍ଜନ ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ବେନହୁର ଡ. ତ୍ରିପାଠୀଙ୍କ ସାରସ୍ବତ କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ସତ୍ୟ, ସଠିକ୍ ଗବେଷଣା ସହିତ ଆଜିର ଯୁବପିଢି ସେହି ଦିଗରେ କାର୍ଯ୍ୟ କରିବା ପାଇଁ ଅଗ୍ରସର ହୁଅନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ। ସେ କହିଥିଲେ ଯେ ୧୯୪୮ମସିହାରୁ ଭୁବନେଶ୍ବର ନୂଆ ରୂପ ପାଇଛି। ଆମର କର୍ତ୍ତବ୍ୟ ହେଉଛି ଯେଉଁଠି ରହିବା, ଯେଉଁଠି ପଢିବା, ସେ ସ୍ଥାନ ସମ୍ପର୍କରେ ନିଶ୍ଚିତ ରୂପେ ଜାଣିବା। କିନ୍ତୁ ଏଠାରେ ରହି ପାଠ ପଢୁଥିବା ପିଲାମାନେ ଏହି ସ୍ଥାନ ସମ୍ପର୍କରେ ଜାଣିପାରୁ ନାହାନ୍ତି। ଏହି ଇତିହାସ ଲେଖି ଡଃ ତ୍ରିପାଠୀ ଭୁବନେଶ୍ବରକୁ ଜାଣିବାର ସୌଭାଗ୍ୟ ଆମକୁ ଦେଇଛନ୍ତି। ତେଣୁ ଏହି ପୁସ୍ତକକୁ ସମସ୍ତେ ପଢ଼ିବା ଆବଶ୍ୟକ। ମୁଖ୍ୟ ଅତିଥି ଶ୍ରୀ ରାଉତ କହିଥିଲେ ଯେ ବର୍ତ୍ତମାନ ସମୟରେ ଭୁବନେଶ୍ବର ସମେତ ଆମ ସମଗ୍ର ରାଜ୍ୟ ବିଷୟରେ ସମସ୍ତେ ଭଲ ଭାବେ ଜାଣିବା ଉଚିତ୍। ଆମେ ଆମ ରାଜ୍ୟ ବାବଦରେ ଜାଣିନଥିବା ହେତୁ ପଡ଼ୋଶୀ ରାଜ୍ୟମାନେ ଆମ ରାଜ୍ୟର କିଛି ଅଞ୍ଚଳକୁ ଅକ୍ତିଆର କରିବାକୁ ପଛାଉନାହାନ୍ତି। ଓଡ଼ିଶାକୁ ନେଇ ଯେତିକି ଇତିହାସ ଗବେଷଣା ଆବଶ୍ୟକ, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇପାରିନାହିଁ। ଓଡ଼ିଶାରେ ଅନେକ କୀର୍ତ୍ତିରାଜି ରହିଛି। ଯାହା ଲୋକଲୋଚନକୁ ଆସି ପାରିନାହିଁ। ତେଣୁ ଏହା ଉପରେ ଐତିହାସିକମାନେ ଗବେଷଣା କରି ଲୋକଲୋଚନକୁ ଆଣିବା ଆବଶ୍ୟକ।

ତେବେ ପରିଣତ ବୟସରେ ଅକ୍ଲାନ୍ତ ପରିଶ୍ରମ କରି ଡ. ତ୍ରିପାଠୀ ‘ଭୁବନେଶ୍ବର ଇତିହାସ’ ଲେଖିଥିବା ହେତୁ ତାଙ୍କ ପାଖରେ କୃତଜ୍ଞ ବୋଲି କହିଥିଲେ। ଏହି ଅବସରରେ ଉତ୍ସବର ସଭାପତି ଶ୍ରୀଯୁକ୍ତ ଶତପଥୀ କହିଲେ ଯେ ପୂଜ୍ୟପୂଜା ହେଉଛି ଆମର ପାତାଳଭେଦୀ ସଂସ୍କୃତି। ନିଷ୍ଠା, ସମୟାନୁବର୍ତ୍ତିତା, କର୍ତ୍ତବ୍ୟ ପରାୟଣତା ତଥା ଗଭୀର ଅଧ୍ୟୟନ ଦ୍ବାରା ନିଜର ତଥା ରାଷ୍ଟ୍ରର ପ୍ରଭୂତ ଉନ୍ନତି ହୋଇପାରିବ ବୋଲି ସେ କହିଥିଲେ। ଏହି ଅବସରରେ ଡଃ ତ୍ରିପାଠୀଙ୍କୁ ପ୍ରଧ୍ୟାପକ ରମେଶଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ବରିଷ୍ଠ ସାମ୍ବାଦିକ କ୍ରାନ୍ତିଧର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଅମରେନ୍ଦ୍ର ମହାପାତ୍ର, ବେଣୁଧର ହରିଚନ୍ଦନ, ସାମ୍ବାଦିକ ପ୍ରିୟବ୍ରତ ବାରିକ, ଡ. ଅସିତ୍‌ ଦାସ ପ୍ରମୁଖ ଶୁଭ ଅଭିନନ୍ଦନ ଜଣାଇଥିଲେ। ବାପୁ ଓଝା ଧନ୍ୟବାଦ ଦେଇଥିବାବେଳେ ସତ୍ୟବ୍ରତ ଜେନା ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର